୨୮ବର୍ଷ ସାଂସଦ ଥିବା ମନମୋହନ ସିଂଙ୍କ କାର୍ଯ୍ୟକାଳ ଶେଷ : ବଜେଟ୍ ଅଧିବେଶନରେ ଅନୁପସ୍ଥିତ ରହିବେ ପୂର୍ବତନ ପ୍ରଧାନମନ୍ତ୍ରୀ

267

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଗତକାଲି ଅର୍ଥାତ ଶୁକ୍ରବାରଦିନ ଶେଷ ହୋଇଯାଇଛି । ଗତ ୨୮ ବର୍ଷ ହେଲା ଅର୍ଥାତ୍ ୧୯୯୧ରୁ ସେ ଆସାମରୁ ରାଜ୍ୟସଭାକୁ ଯାଉଥିଲେ । କିନ୍ତୁ ଏଥର ଆସାମ ବିଧାନସଭାରେ କଂଗ୍ରେସର ଆବଶ୍ୟକ ସଦସ୍ୟ ନଥିବାରୁ ତାଙ୍କୁ ଏଠାରୁ ମନୋନୀତ କରିବା ସମ୍ଭବ ହେବ ନାହିଁ । ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ କଂଗ୍ରେସର ମାତ୍ର ୨୫ ଜଣ ସଦସ୍ୟ ଅଛନ୍ତି । କିନ୍ତୁ ରାଜ୍ୟସଭାକୁ ପଠେଇବାକୁ ୪୩ଟି ସଦସ୍ୟ ଅବଶ୍ୟକ ହେଉଥିବାରୁ ଏଥର ମନମୋହନଙ୍କୁ ପଠାଇବା ସମ୍ଭବ ହେଉନାହିଁ ।

ସେଥିପାଇଁ ତାଙ୍କୁ ଅନ୍ୟ କୌଣସି ରାଜ୍ୟରୁ ପଠାଇବାକୁ କଂଗ୍ରେସ ଯୋଜନା କରୁଛି । କିନ୍ତୁ ଅନ୍ୟରାଜ୍ୟରେ ମଧ୍ୟ ତାଙ୍କୁ ବର୍ତ୍ତମାନ ପାଇଁ ପଠାଇବା ସହଜ ନୁହେଁ । କାରଣ ଏବେ ରାଜ୍ୟସଭାରେ ମୋଟ ୯ଟି ଆସନ ଖାଲି ରହିଛି । ସେଥିମଧ୍ୟରୁ ଓଡ଼ିଶାରେ ୪ଟି, ବିହାର ଓ ଗୁଜୁରାଟରେ ୨ଟି ଲେଖାଏଁ ଓ ତାମିଲନାଡୁରେ ଗୋଟିଏ ସିଟ ଖାଲି ଅଛି । କେବଳ ଗୁଜୁରାଟକୁ ଛାଡି ଏସବୁ ରାଜ୍ୟରେ କଂଗ୍ରେସର ଆବଶ୍ୟକ ସଂଖ୍ୟା ନାହିଁ । କେବଳ ଗୁଜୁରାଟରେ କଂଗ୍ରେସ ଜଣଙ୍କୁ ରାଜ୍ୟସଭା ପଠାଇ ପାରିବ । ଏଣୁ ତାଙ୍କୁ ଗୁଜୁରାଟରୁ ପଠାଯାଇପାରେ ।