ଅଟଳ ବିହାରୀ ବାଜପେୟୀ କିଣିଥିଲେ ଦିଲ୍ଲୀର ପ୍ରଥମ ମେଟ୍ରୋ ଟିକଟ । ଦିଲ୍ଲୀରେ ମେଟ୍ରୋ ସେବା ଥିଲା ବାଜପେୟୀଙ୍କ ପାଇଁ ସ୍ୱପ୍ନ

45

କନକ ବ୍ୟୁରୋ : ଦିଲ୍ଲୀ ମେଟ୍ରୋରେ ପ୍ରତ୍ୟେକ ଦିନ ୨୫ଲକ୍ଷରୁ ଅଧିକ ଲୋକ ଯାତାୟତ କରନ୍ତି । ତେବେ ଦିଲ୍ଲୀ ମେଟ୍ରୋରେ ଯାତାୟତ କରୁଥିବା ଯାତ୍ରୀଙ୍କୁ ବୋଧୁଏ ଜଣାନଥିବା କି ସେହି ୮.୨ କିଲୋମିଟର ରେଳ ଲାଇନର ଉଦଘାଟନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କରିଥିଲେ । ବାଜପେୟୀ ୨୪ଡିସେମ୍ବର ୨୦୦୨ ମସିହାରେ ଦିଲ୍ଲୀ ମେଟ୍ରୋ ରେଳ ନିଗମର ସବୁଠାରୁ ବଡ କୋରିଡରର ଉଦଘାଟନ କରିଥିଲେ । ଏହି ରେଳ ଉଦଘାଟନ କରିବା କାରଣରୁ ଦିଲ୍ଲୀବାସୀଙ୍କ ଏକ ବଡ ସ୍ୱପ୍ନ ପୂରଣ ହୋଇଥିବା ଜଣାଯାଏ । ତେବେ ସେହି ସମୟରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସିଲା ଦୀକ୍ଷିତ, ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରୀ ଅନନ୍ତ କୁମାରଙ୍କ ସହ ଅନେକ ବରିଷ୍ଠ ଅଫିସର ସେଠାରେ ଉପସ୍ଥିତ ଥିଲେ ।

 

ଅଟଳ ବିହାରୀ ବାଜପେୟୀ ହିଁ ଦିଲ୍ଲୀ ମେଟ୍ରୋର ପ୍ରଥମ ଯାତ୍ରୀ ଥିଲେ । ନିଜ ପକେଟରୁ ଟଙ୍କା ବାହାର କରି କରମିରି ଗେଟରେ ଟିକଟ କରିବା ସହ ସିଲମପୁରୀ ପର୍ଯ୍ୟନ୍ତ ଟ୍ରେନରେ ଯାଇଥିଲେ । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବାଜପେୟୀଙ୍କ ସମେତ ଅନେକ ନେତା ଓ ବରିଷ୍ଠ ଅଧିକାରୀମାନେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ । ପରେ ପୂର୍ବରୁ ଆୟୋଜନ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସବୁଜ ପତାକା ଦେଖାଇ ଟ୍ରେନ ଚଳାଚଳ ଆରମ୍ଭ କରିଥିଲେ । ତେବେ ଏହାର ଉଦଘାଟନ ସମୟରେ ବାଜପେୟୀ କହିଥିଲେ ଯେ, ଏହା ଆରମ୍ଭ ହେବା ଫଳରେ ଅନେକ ଲୋକ ସହଜରେ ଯାତ୍ରା କରିପାରିବେ । ରାସ୍ତା ଗୁଡିକରେ ଦିନକୁ ଦିନ ଭିଡ ଯେଉଁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିିଛି ଏହା ମାଧ୍ୟମରେ କମ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ।

 

ଅଟଳ ବିହାରୀ ବାଜପେୟୀ ଏପରି ଏକ ସାସଂଦ ଥିଲେ ଯିଏ କି ଅଲଗା ଅଲଗା ରାଜ୍ୟରୁ ସାସଂଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁୁଜୁରାଟ ଓ ଦିଲ୍ଲୀରେ ସାସଂଦ ରହିଥିଲେ । ୧୦ ଥର ଲୋକସଭା ସାସଂଦ ଓ ୨ଥର ରାଜ୍ୟସଭା ସାସଂଦ ଭାବରେ ନିର୍ବାଚିତ ହୋଇଥିଲେ । ୧୯୯୫ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ପି.ବି ନରସିଂହ ରାଓ ଓ ବିଜେପି ନେତା ମଦନ ଲାଲା ଖୁରାନା ମିଶିକି ଦିଲ୍ଲୀ ମେଟ୍ରୋ କୋର୍ପୋରେସନର ଗଠନ କରିଥିଲେ । ଏହାପରେ ୧୯୯୮ ମସିହାରେ ଦିଲ୍ଲୀ ମେଟ୍ରୋର ପ୍ରଥମ ଲାଇନର କାମ ଆରମ୍ଭ ହୋଇଥିଲା ।୨୦୦୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ ।