ଜେଲରୁ ମୁକୁଳିଲେ କଂଗ୍ରେସ ନେତା ରମେଶ ଜେନା ! ବିଶାଳ ଶୋଭାଯାତ୍ରାରେ ପାଛୋଟିଲେ ସମର୍ଥକ, ୨୦୧୬ରୁ ଥିଲେ ଜେଲରେ ।

118

କନକ ବ୍ୟୁରୋ : ଜେଲରୁ ମୁକୁଳିଲେ ରମେଶ ଜେନା । କଂଗ୍ରେସର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଜାମିନ ମିଳିଲା ପରେ ମଙ୍ଗଳବାର ସେ ଛତ୍ରପୁର ଜେଲରୁ ବାହାରିଛନ୍ତି । ଗଂଜାମ ଜିଲାର ଏହି ଟାଣୁଆ ନେତା ଆଜି ଜେଲରୁ ବାହାରିବା ସମୟରେ ତାଙ୍କୁ ପାଛୋଟି ନେଇଥିଲେ ତାଙ୍କର ହଜାର ହଜାର ସମର୍ଥକ । ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ ରମେଶଙ୍କୁ ସ୍ୱାଗତ କରିବାକୁ ଛତ୍ରପୁର ଜେଲରେ ପହଂଚିଥିଲେ । ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ବ୍ରହ୍ମପୁରକୁ ନିଆଯାଇଛି ।

୨୦୧୬ ମାର୍ଚ୍ଚ ମାସରେ ଗଂଜାମ ପୋଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ରମେଶଙ୍କୁ ତାଙ୍କ ଦୁଇ ସହଯୋଗୀଙ୍କ ସହ ଖଣ୍ଡଗିରି ନିକଟରେ ଥିବା ଏକ ଆପାର୍ଟମେଂଟରୁ ଉଠାଇନେଇଥିଲା ଗଂଜାମ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । ଏହା ପରେ ପୋଲିସ ହାତରେ ଲାଗିଥିଲା ଏହି ବାହୁବଳୀ ବିଧାୟକଙ୍କ ବିରୋଧରେ ଏକାଧିକା ପ୍ରମାଣ । ହତ୍ୟା, ଦାଦାବଟି ଆଦାୟଠାରୁ ଆରମ୍ଭ କରି ନାରୀ ନିର୍ଯ୍ୟାତନା ଭଳି ସଙ୍ଗୀନ ଅପରାଧ ସହ ରମେଶ ଜଡିତ ଥିବା ପୋଲିସ ଜାଣିପାରିଥିଲା । ଆଉ ବିଭିନ୍ନ ଦଫାରେ ରମେଶ ଜେନାଙ୍କ ବିରୁଦ୍ଧରେ ପୋଲିସ ଋଜୁ କରିଥିଲା ୪୦ରୁ ଅଧିକ ମାମଲା । ସେହିଦିନଠାରୁ ସେ ଜେଲରେ ରହିଆସିଥିଲେ । କିନ୍ତୁ ପର୍ଯ୍ୟାୟକ୍ରମେ ତାଙ୍କୁ ହାଇକୋର୍ଟ ଏକାଧିକ କେସରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିବା ବେଳେ ଆଉ କିଛି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ତାଙ୍କ ବିରୋଧରେ ଥିବା ଶେଷ ମାମଲାରେ ହାଇକୋର୍ଟ ତାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଥିଲେ ।

କିନ୍ତୁ ରମେଶଙ୍କ ଗିରଫଦାରୀ ରାଜନୈତିକ ପ୍ରଣୋଦିତ ଥିଲା ବୋଲି ବିଭିନ୍ନ ସମୟରେ ଅଭିଯୋଗ ଆଣିଛି କଂଗ୍ରେସ । ରମେଶଙ୍କ ଗଂଜାମ ଜିଲାରେ ପତିଆରା ବୃଦ୍ଧି, ଖାସ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସମର୍ଥନ ଯୋଗାଡ କରିବାରେ ସେ ସଫଳ ହେବା ଯୋଗୁ ତାଙ୍କ ଉପରେ ଶାସକଦଳ ଆକ୍ରୋଶ ରଖି ତାଙ୍କୁ ଏକାଧିକ ମାମଲାରେ ଫସାଇ ଦିଆଯାଇଥିବା କୁହନ୍ତି କଂଗ୍ରେସ ନେତା ।

ଗଂଜାମ ଜିଲା ସାନଖେମୁଣ୍ଡି ବିଧାନସଭା ଆସନରୁ ରମେଶ ଜେନା ୨୦୦୯ ମସିହାରେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୧ ମସିହା ଫେବୃଆରୀରେ ରାଜଧାନୀ ଚନ୍ଦ୍ରମା ଆପାର୍ଟମେଣ୍ଟରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରେ ଜେଲ ଯିବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ନେତା । ଗଂଜାମ ଜିଲାର ତିନି କଂଗ୍ରେସ ନେତା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ କିଛି ଦିନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏମାନଙ୍କ ସହ ରମେଶଙ୍କ ସମର୍ଥକ କିଛି କର୍ପୋରେଟର ମଧ୍ୟ ବିଜେଡିରେ ମିଶିଥିଲେ । ତେଣୁ ରମେଶ ମଧ୍ୟ ଜେଲରୁ ବାହାରିବା ପରେ ବିଜେଡିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେଣୁ ଏବେ ରମେଶ ବିଜେଡି ଶିବିରକୁ ଲମ୍ଫ ମାରୁଛନ୍ତି ନା ଗଂଜାମ ପଲିଟିକ୍ସରେ କଂଗ୍ରେସର ମଙ୍ଗ ଧରୁଛନ୍ତି, ତା ଉପରେ ଏବେ ରହିଛି ସମସ୍ତଙ୍କ ନଜର ।