ଭୋଟ୍ କିଣା ରାଜନୀତି ! ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀ ସାରଦା ନାୟକ

28

କନକ ବ୍ୟୁରୋ : ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀ ସାରଦା ନାୟକ । ଭୋଟ ପାଇଁ ନୋଟ ବାଂଟିବା ଅଭିଯୋଗରେ ହେଲେ ଅପଦସ୍ତ । ଗାଁ ଲୋକଙ୍କ ଦ୍ୱାରା ୩ ଘଂଟାରୁ ଅଧିକ ସମୟ ଅଟକ ରହିବା ପରେ ପୁଲିସ ଓ ବଣେଇ ଉପଜିଲ୍ଲାପାଳ ତାଙ୍କୁ ଉଦ୍ଧାର କରିଛନ୍ତି । ସାରଦାଙ୍କୁ ଥାନାରେ ଆଣି ରଖାଯାଇଛି । ପଂଚାୟତ ନିର୍ବାଚନ ଚାଲିଥିବାବେଳେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା, ଛତା ଓ ବ୍ୟାଗ ବାଂଟିବା ଅଭିଯୋଗରେ ଗାଁ ଲୋକଙ୍କ ଦ୍ୱାରା ଅଟକ ରହିଥିଲେ ସାରଦା ନାୟକ ।

ସୁନ୍ଦରଗଡ ଗୁରୁଣ୍ଡିଆ ବ୍ଲକର ଜରଡା ପଂଚାୟତରେ ଅଟକ ରହିଥିଲେ । ତାଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ଅଟକାଇ ଦେଇଥିଲେ ଗ୍ରାମବାସୀ । ବିଜେଡି ନେତା ଓ ତାଙ୍କ ସହଯୋଗୀଙ୍କଠାରୁ ୧୦ହଜାର ଟଙ୍କା ଓ ମଦ ଜବତ ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ସାରଦା ଓ ସହଯୋଗୀଙ୍କୁ ଅଟକ ରଖି ଉପଜିଲ୍ଲାପାଳଙ୍କୁ ଖବର ଦେଇଥିଲେ ଗ୍ରାମବାସୀ ।

ପୂର୍ବରୁ ମଧ୍ୟ ସାରଦାଙ୍କ ନାଁରେ ଭୋଟ୍ ପାଇଁ ନୋଟ୍ ବାଂଟିଥିବା ଅଭିଯୋଗ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବ ରାତିରେ ଜିଲ୍ଲାର ଝିରପାଣି ବ୍ଲକରେ ସାରଦା ନାୟକ ଟଙ୍କା ବାଂଟୁଥିବାବେଳେ ଅଟକ ରଖିଥିଲେ ଲୋକେ । ଏପରିକି ତାଙ୍କୁ ଦୁର୍ବ୍ୟବହାର କରିବା ସହ ମୁଥ ମାରିଥିବା ଜଣାପଡିଥିଲା । ଶାସକ ଦଳ ସଦସ୍ୟ ହୋଇଥିବାରୁ ତାଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

ତେବେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ସେପଟେ ଆଶ୍ଚର୍ଯ୍ୟଜନକ ଭାବେ ଦୁର୍ବ୍ୟବହାରର ଶିକାର ହୋଇଥିଲେ ସୁଦ୍ଧା ପୁଲିସରେ କୌଣସି ଅଭିଯୋଗ କରିନଥିଲେ ସାରଦା ନାୟକ ।