ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ପରଲୋକ ! ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

90

କନକ ବ୍ୟୁରୋ : ବିଶିଷ୍ଟ ରାଜନେତା ରବି ରାୟଙ୍କ ଦେହାନ୍ତ । ଆଜି କଟକ ବଡ ମେଡିକାଲରେ ଆଖି ବୁଜିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି । ବେଶ କିଛି ଦିନ ହେବ ଅସୁସ୍ଥ ଥିଲେ ରବି ରାୟ । ଗୁରୁତର ଅବସ୍ଥାରେ ଏସସିବିର ସେଂଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଧିନ ଅବସ୍ଥା ଏହି ବିଶିଷ୍ଟ ଜନନାୟକ ରବି ରାୟଙ୍କ ପରୋଲୋକ ହୋଇଛି । ମୃତ୍ୟୁ ବେଳକୁ ରବି ରାୟଙ୍କୁ ୯୧ ବର୍ଷ ହୋଇଥିଲା । ପ୍ରଥମ ଓଡିଆ ବାଚସ୍ପତି ଭାବେ ଲୋକସଭା ପରିଚାଳନା କରିଥିଲେ ରବି ରାୟ।

୧୯୨୬ ନଭେମ୍ବର ୨୬ରେ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଲୋକସଭାର ନବମ ବାଚସ୍ପତି ରବି ରାୟ । ରେଭେନ୍ସାରୁ ସ୍ନାତକ ଶେଷ କରିବା ପରେ ମଧୁସୁଦନ ଆଇନ କଲେଜରେ ଆଇନ ପଢିଥିଲେ ଏହି ସ୍ୱାଧୀନତା ସଂଗ୍ରାମୀ । ଦେଶ ସ୍ୱାଧୀନତା ସମୟରେ ତାଙ୍କୁ ବ୍ରିଟସ୍ ସେନାଙ୍କ ଦ୍ୱାର ଗିରଫ ହେବା ପାଇଁ ଜେଲ ଯିବାକୁ ମଧ୍ୟ ପଡିଥିଲା । ସେ ଏକାଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ, ଆଇନଜୀବୀ ଓ ବିଷିଷ୍ଟ ରାଜନେତା ।

୧୯୪୮ରୁ ସୋସିଆଲିଷ୍ଟି ପାର୍ଟିରେ ସାମିଲ ହୋଇ ରାଜାନୀତିରେ ପାଦ ଥାପିଥିଲେ ରବି ରାୟ । ୧୯୬୭ରେ ପୁରୀ ଲୋକସଭା ଆସନରୁ ଚତୁର୍ଥ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪-୧୯୮୦ ଯାଏଁ ରାଜ୍ୟସଭା ସଦସ୍ୟ ଥିଲେ । ମୋରାଜି ଦେଶାଇଙ୍କ ସରକାର ସମୟରେ ଗୋଟିଏ ବର୍ଷ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଏହି ବିଶିଷ୍ଟ ରାଜନେତା । ୧୯୭୯ରୁ ୮୦ ରବି ରାୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।

ଏହାପରେ ୧୯୮୯ରେ ଜନତା ଦଳର ସାଂସଦ ଭାବେ ପୁନଃ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ । ଏହାପରେ ସେହି ବର୍ଷ ଲୋକସଭାର ନବମ ବାଚସ୍ପତି ଭାବେ ତାଙ୍କୁ ନିର୍ବାଚିତ କରାଯାଇଥିଲା । ସେ ହିଁ ଲୋକସଭାରେ ଜଣେ ଓଡିଆ ବାଚସ୍ପତି । ରବି ରାୟଙ୍କ ଦେହାନ୍ତ ଖରବ ପାଇ ତାଙ୍କ ଶେଷ ଦର୍ଶନ ପାଇଁ ଏସସିବି ପରିସରରେ ରାଜନେତା ଓ ବହୁ ବରିଷ୍ଠ ବ୍ୟକ୍ତି ପହଂଚିଛନ୍ତି ।

ପୂର୍ବତନ ବାଚସ୍ପତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ଏସସି ଜମୀର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଂସଦ ଭର୍ତୃହରି ମହତାବ, ବୈଷ୍ଣବ ପରିଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଦନ ସିଂହଦେଓ, ବିଧାୟକ ପ୍ରଭାତ ବିଶ୍ୱାଳ, ଦେବାଶିଷ ସାମନ୍ତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।