କଳ୍ପନା ଜଳ୍ପନାର ଅନ୍ତ : ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ

119

କନକ ବ୍ୟୁରୋ : ଅନେକ ଚର୍ଚ୍ଚା ଆଲୋଚନା ଭିତରେ ବିଜେପିରେ ମିଶିଛନ୍ତି ବ୍ୟୁରୋକ୍ରାସିର ବହୁ ଚର୍ଚ୍ଚିତ ଚେହେରା ଅପରାଜିତା ଷଡଙ୍ଗୀ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଅପରାଜିତା ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ମୋଦି ଓ ବିଜେପିର ଅଭିମୁଖ୍ୟରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଆସିଥିବା କହିଥିବା ବେଳେ ପଲିଟିକ୍ସରେ ସଫଳ ଇନିଂସ ଖେଳିବାର ଦୃଢୋକ୍ତି କରିଛନ୍ତି । ଯାହକୁ ନେଇ ସରଗରମ ହୋଇଛି ରାଜନୀତି ।

image courtesy-http://www.odishabytes.com

 

ବିଜେପିରେ ଯୋଗଦେବା ପାଇଁ ପାଇଁ ଦିଲ୍ଲୀ ଆକବର ରୋଡ ସ୍ଥିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବାସଭବନରେ ପହଁଚିଥିଲେ ଅପରାଜିତା ଷଡଙ୍ଗୀ । ପୂର୍ବରୁ ଶାହାଙ୍କ ବାସଭବନରେ ଉପସ୍ଥିତ ଥାଆନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ବିଜେପି ସଭାପତି ଓ କିଛି ତୁଙ୍ଗ ନେତା । ନିଜେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅପରାଜିତାଙ୍କୁ ସ୍ୱାଗତ କରିଥିଲେ ।

ଏହାପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅପରାଜିତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଲେ । ଆଉ ଏହି ପ୍ରକ୍ରିୟା ଶେଷ ହେବାପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଅପରାଜିତା କହିଥିଲେ ଦିଲ୍ଲୀରେ କାମ କରିବା ସମୟରେ ସେ ଅତି ନିକଟରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳି ଦେଖି ପ୍ରଭାବିତ ହୋଇଥିଲେ । ଦିଲ୍ଲୀରେ ଗୋଟିଏ ପଟେ ଅପରାଜିତା ବିଜେପିରେ ସାମିଲ ହେଉଥିବା ବେଳେ ତାଙ୍କୁ ନେଇ ଓଡିଶା ରାଜନୀତି ବି ସରଗରମ ହେଉଥିଲା । ସବୁଠାରୁ ବଡ ପ୍ରଶ୍ନ ଥିଲା କେଉଁ ଭୂମିକାରେ ଆସିବେ ଅପରାଜିତା । ଏବଂ ଓଡିଶା ରାଜନୀତି ଉପରେ ଏହାର କଣ ପ୍ରଭାବ ପଡିବ ?

୧୯୯୪ ବ୍ୟାଚର ଓଡିଶା କ୍ୟାଡରର ଏହି ଆଇଏଏସ ସଫଳତାର ସହ ରାଜ୍ୟରେ ଅନେକ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଏମିତିକି ପ୍ରଶାସିକ ଭାବେ ନେତା,ମନ୍ତ୍ରୀଙ୍କ ଠାରୁ ଭିନ୍ନ ମତ ରଖି ରାଜ୍ୟ ରାଜନୀତିକୁ ହଲଚଲ କରିଛନ୍ତି । ଏଣୁ ରାଜନୀତିର ମୈଦାନରେ ବିଜେପି ତାଙ୍କୁ ଏକ ଗୁରୁ ଦାୟିତ୍ୱ ଦେବା ନେଇ ଚର୍ଚ୍ଚା ହେଉଛି । ଅପରାଜିତାଙ୍କୁ କେଉଁ ପଦ ମିଳିବ ବା କେଉଁଠୁ ଦଳ ତାଙ୍କ ପ୍ରାର୍ଥୀ କରିବ ସେନଇ ଉକ୍ରଣ୍ଠା ବଢିଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଓଡିଶାରେ ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆସନ୍ତା କାଲି ଭୁବନେଶ୍ୱରରେ ପହଁଚିବେ ଅପରାଜିତା । ଏହାପରେ ତାଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।