ଅପରାଜିତାଙ୍କ ନୂଆ ଇନିଙ୍ଗସ୍ । ନେତ୍ରୀ ବନିଲେ ଭାଷଣ ଦେଲେ

ଦଳୀୟ କର୍ମୀ ଜଣାଇଲେ ଶୁଭେଚ୍ଛା

421

କନକ ବ୍ୟୁରୋ: ଓଡ଼ିଶାର ଗ୍ରାମାଂଚଳରେ ୬୬ ପ୍ରତିଶତ ପରିବାର ଗରିବ । ଏକଥା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି । ୨୯ଟି ରାଜ୍ୟରୁ ଶୌଚାଳୟ ନିର୍ମାଣରେ ଓଡ଼ିଶା ସବୁଠାରୁ ପଛରେ ଅର୍ଥାତ୍ ୨୯ ନମ୍ବରରେ । କେନ୍ଦ୍ର ସରକାରରେ କାମ କଲା ବେଳେ ରାଜ୍ୟର ଏଭଳି ତଥ୍ୟ ମୁଁ ଦେଖିଛି । ତେବେ ଓଡ଼ିଶା ଗରିବ କାହିଁକି ରହିବ ବୋଲି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ଉତ୍ସବରେ ଭାଷଣ ଦେଇ ପ୍ରଶ୍ନ ଉଠାଇଛନ୍ତି ନିକଟରେ ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ । ବିଜେପି କ୍ଷମତାକୁ ଆସିଲେ, ବିକାଶର ଏକ ବିକଳ୍ପ ମଡେଲ୍ ଦେବ ବୋଲି ସେ ଘୋଷଣା କରିଥିଲେ ।

ମୋଦିଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା ଓ ସେ ନିସ୍ୱାର୍ଥ ସେବା ହିଁ ଓଡ଼ିଶାକୁ ପ୍ରଗତି ପଥରେ ଆଣିପାରିବ ବୋଲି ଅପରାଜିତା କହିଛନ୍ତି । ଅନ୍ୟପଟରେ ରାଜ୍ୟ ସରକାରଙ୍କ ଶାସନକୁ ତୀବ୍ର ସମାଲୋଚନା କିରଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର । ସେ କହିଛନ୍ତି- ରାଜ୍ୟ ସରକାର ୨୦୧୫େରେ ପିଡବ୍ଲ୍ୟୁଡି କୋଡ୍ରେ ପରିବର୍ତନ କରିଛନ୍ତି । ୫୦ ହଜାର ଟଙ୍କା ପରିବର୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ କେ-ଟୁରେ ବିନା ଟେଣ୍ଡରରେ କରାଯାଉଛି । ଏଭଳି ଭାବେ ବର୍ଷକୁ ୧୦ ହଜାର କୋଟି ଟଙ୍କା ଚେଲାଚାମୁଣ୍ଡାଙ୍କୁ ଦିଆଯାଉଛି ।

 

ସେହିପରି ଡେଙ୍କାନାଳର ବେଲଟିକିରିରେ ବେଆଇନ ଭାବେ ସେଲଟର ହୋମ୍ ଚାଲୁଥିବା ସରକାର ସ୍ୱୀକାର କରିଛନ୍ତି । ମାତ୍ର ରାଜ୍ୟରେ ବର୍ତମାନ ଏଭଳି ୨୩ଟି ବେଆଇନ ସେଲ୍ଟର ହୋମ୍ ଚାଲୁଛି । ମୁଖ୍ୟମନ୍ତ୍ରୀ ନିଜକୁ ଶ୍ରେଷ୍ଠ ପ୍ରଶାସକ ବୋଲି ଦାବି କରୁଥିବା ବେଳେ କିଭଳି ଏହା ହେଉଛି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଦିଲ୍ଲୀରେ ଜାତୀୟ ସଭାପତି ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅପରାଜିତା ଗତ ମଙ୍ଗଳବାର ବିଜେପିରେ ସାମିଲ ହୋଇଥିଲେ । ମୋଦିଙ୍କ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ଯୋଗ ଦେଇଥିବା କହିଥିଲେ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ଅନେକ ବଡ ନିଷ୍ପତି ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ରାଜ୍ୟ ବିଜେପିରେ ଅପରାଜିତାଙ୍କ ଭୂମିକା କଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।