ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଅବସ୍ଥା ଜଟିଳ : ୧୦ ଘଣ୍ଟାରେ ପୁଣି ଥରେ ହାଲଚାଲ ବୁଝିବାକୁ ଯାଇପାରନ୍ତି ଶାହ

341

କନକ ବ୍ୟୁରୋ : ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନାହିଁ । ୧୦ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ହାଲଚାଲ ବୁଝିବାକୁ ଯିବେ ଶାହ । ଶାହଙ୍କ ସମେତ ସମସ୍ତ ମନ୍ତ୍ରୀମାନେ ମଧ୍ୟ ଏମ୍ସ ଯିବାର ସମ୍ଭାବନା ରହିଛି । ଏହାପୂର୍ବରୁ ଗତକାଲି ରାତିରେ ଏମ୍ସରେ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହା ।

ନିଶ୍ୱାସ, ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ୯ତାରିଖରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଜେଟଲୀଙ୍କ ଚିକିତ୍ସା କରୁଛନ୍ତି । ୨୦୧୮ରେ ଜେଟଲୀଙ୍କ କିଡନି ପ୍ରତ୍ୟାରୋପଣ ହୋଇଥିଲା । ଏହାପରେ ଜେଟଲୀ କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । ଏବଂ ଚଳିତ ବର୍ଷ ଆରମ୍ଭରୁ ଅଧିକ ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ । ସେଠାରେ ତାଙ୍କର ଅପରେସନ ହୋଇଥିଲା । ଅସୁସ୍ଥତା ପାଇଁ ସେ ଏଥର ନିର୍ବାଚନ ଲଢିବାକୁ ମନା କରିଥିଲେ । ତାସହ ମନ୍ତ୍ରୀମଣ୍ଡଳରେ ନରହିବାକୁ ବି କହିଥିଲେ ।

ଅଗଷ୍ଟ ୯ରେ ଜେଟଲୀ ଏମ୍ସରେ ଭର୍ତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭା ବାଚଷ୍ପତି ଓମା ବିର୍ଲା ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏମ୍ସ ଯାଇଥିଲେ ।