ଅଣ୍ଡାମାଡ଼ କଲେ ବିଜେଡିରେ ମିଶିଲେ ! ବିଜୁ ଜନତା ଦଳରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ କାଉଁସିଲର ଧର୍ମେନ୍ଦ୍ର ଦେବତା

58

କନକ ବ୍ୟୁରୋ : ଅଣ୍ଡା ମାର, ବିଜେଡିରେ ଯୋଗ ଦିଅ । ଏପରି ଫଣ୍ଡାରେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଦେବଗଡର ପୂର୍ବତନ କଂଗ୍ରେସ କାଉଁସିଲର ଧର୍ମେନ୍ଦ୍ର ଦେବତା । ବର୍ଷକ ତଳେ ତତ୍କାଳୀନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଅଣ୍ଡାମାଡ କରିଥିଲେ ଧର୍ମେନ୍ଦ୍ର । ହେଲେ ଆଜି ବିଜୁ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇ ରାଜନୀତିରେ ଅଣ୍ଡା ମାଡର ସମୀକରଣ ବଦଳାଇ ଦେଇଛନ୍ତି ।

ଜାନୁଆରୀ ୫, ୨୦୧୬ରେ ତତ୍କାଳୀନ ସ୍ୱାସ୍ଥ୍ର୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଗାଡି ଉପରେ ଅଣ୍ଡାମାଡ କରିଥିଲେ ଦେବଗଡ କଂଗ୍ରେସ କର୍ମୀ । ଯାହାର ନେତୃତ୍ୱ ନେଇଥିଲେ ପୂର୍ବତନ କଂଗ୍ରେସ କାଉଁସିଲର ଧର୍ମେନ୍ଦ୍ର ଦେବତା । ଯେଉଁଥି ପାଇଁ ସେ ଜେଲ ବି ଯାଇଥିଲେ ।

ଠିକ୍ ବର୍ଷକ ପରେ ଜାନୁଆରୀ ୫ ୨୦୧୭ରେ ମନ୍ତ୍ରୀଙ୍କୁ ଅଣ୍ଡାମାଡ କରିଥିବା ଧର୍ମେନ୍ଦ୍ର ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଆଉ ତାଙ୍କ ସହ ଦେବଗଡ କଂଗ୍ରେସର ୬୬୫ ଜଣ କଂଗ୍ରେସ କର୍ମୀ ବି ଧରିଛନ୍ତି ନବୀନଙ୍କ ହାତ । ମନ୍ତ୍ରୀଙ୍କୁ ଅଣ୍ଡାମାଡ କରିଥିବା ଧର୍ମେନ୍ଦ୍ରଙ୍କ ପାଇଁ ଦେବଗଡରେ ବିଜେଡିର ଶକ୍ତି ବୃଦ୍ଧି ପାଇବ କହି ଦଳକୁ ପାଛୋଟି ନେଇଛନ୍ତି ନବୀନ ।

ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟୁଥିବା ବିରୋଧୀ ଦଳ ନେତାଙ୍କୁ ମର୍ଯ୍ୟଦାସଂପର୍ଣ୍ଣ ପଦ ଦେଇ ଦଳରେ ମିଶାଇବା ନବୀନଙ୍କ ପାଇଁ ନୂଆ ନୁହେଁ । ଏକ ଦଶନ୍ଦି ଧରି ବିଧାନସଭାରେ ନବୀନଙ୍କ ପାଇଁ ଅଡୁଆ ସାଜୁଥିବା ତତ୍କାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଓ ଅନୁପ ସାଏ ଏହାର ଜ୍ୱଳନ୍ତ ଉଦାହରଣ । ଆଉ ଏବେ ବିଜେଡିର ଦୁର୍ବଳ ଦେବଗଡ ଜିଲ୍ଳାର ଦାୟିତ୍ୱ ଧର୍ମେନ୍ଦ୍ରଙ୍କୁ ମିଳିବା ନେଇ ଚର୍ଚ୍ଚା ହେଉଛି ।