ଦେଶସେବାରୁ ରାଜନୀତି । ବାରଣାସୀରୁ ସପା ଟିକେଟରେ ଲଢିବେ ତେଜ ବାହାଦୁର ଯାଦବ, ମୋଦିଙ୍କୁ ଦେବେ କଡା ଟକ୍କର ।

335

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ଚକ୍ରବ୍ୟୁହରେ ନେତା ଦେଉଛନ୍ତି ଅଗ୍ନିପରୀକ୍ଷା । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଚତୁର୍ଥ ପର୍ଯ୍ୟାୟରେ ଦେଶର ୭୨ଟି ଲୋକସଭା ଆସନରେ ଆଜି ଭୋଟ୍ ଦେଉଛନ୍ତି ମତଦାତା । ସେପଟେ ରୋଚକ ସ୍ଥିତିରେ ପହଞ୍ଚିଛି ବାରଣାସୀ ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବା ପାଇଁ ବାରାଣାସୀ ଆସନରେ ପ୍ରାର୍ଥୀ ବଦଳାଇଛି ସପା-ବସପା ମହାମେଣ୍ଟ । ପୂର୍ବରୁ ବାରଣାସୀ ଆସନରୁ ଶାଲିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିଲା ସପା-ବସପା ମେଣ୍ଟ । ଏବେ ଶାଲିନୀଙ୍କ ଟିକେଟ୍ କଟିଛି । ଏବଂ ତାଙ୍କ ସ୍ଥାନରେ ବିଏସଏଫର ପୂର୍ବତନ ଯବାନ ତେଜ ବାହାଦୂର ଯାଦବଙ୍କୁ ପ୍ରାର୍ଥୀ କରିଛି ସପା-ବସପା ମେଣ୍ଟ । ତେଜ ବାହାଦୂର ଏବେ ବାରଣାସୀରେ ମୋଦିଙ୍କୁ ଟକ୍କର ଦେବେ ।

ବାରଣାସୀରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଲଢିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେହି ଚର୍ଚ୍ଚାକୁ ହାୱା ଦେଇ ବିଜେପିକୁ ଅନେକ ଦିନ ଧରି ଦ୍ୱନ୍ଦ୍ୱରେ ରଖିଥିଲା କଂଗ୍ରେସ । ତେବେ ଶେଷରେ ପ୍ରିୟଙ୍କା ଗାନ୍ଧି ବାରଣାସୀରୁ ଲଢିବେନି ବୋଲି ସ୍ପଷ୍ଟ କରିଥିଲା କଂଗ୍ରେସ । ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ବାରଣାସୀରେ ଦୀର୍ଘ ଦିନ ଧରି ଚାଲିଥିବା ସସପେନ୍ସର ଅନ୍ତ ଘଟିବା ପରେ ଏବେ ପୁଣି ରୋଚକ ହୋଇଉଠିଛି ରାଜନୀତି । ଗତକାଲି ୫୦ଜଣ ହଳଦୀ ଚାଷୀ ମୋଦିଙ୍କ ବିପକ୍ଷରେ ବାରଣାସୀ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଆଜି ପ୍ରାର୍ଥୀ ବଦଳାଇ ବିଏସଏଫର ଜଣେ ପୂର୍ବତନ ଯବାନଙ୍କୁ ପ୍ରାର୍ଥୀ କରିଛି ସପା-ବସପା ମେଣ୍ଟ ।