ପ୍ରସନ୍ନଙ୍କୁ ହରାଇବା ପାଇଁ ବିଜେଡି ରଚିଥିଲା ଷଡଯନ୍ତ୍ର ! ବିଜେପୁର ଗୁମର ଖୋଲିଲେ ପୂର୍ବତନ ବିଜେଡି ବିଧାୟକ ଅଶୋକ

118

କନକ ବ୍ୟୁରୋ : ଓଡିଆ ରୁଢି ‘ଗୃହଭେଦୀ ବିଭୀଷଣ’ ବିଷୟରେ ଅନେକ ଲୋକ ଜାଣିଥିବେ । ଆଉ ତାହାର ପ୍ରମାଣ ଏବେ ବିଜେଡି ଦଳରେ ଦେଖିବାକୁ ମିଳୁଛି । ଏବେ ରାଜ୍ୟ ରାଜନୀତିକୁ ଗରମ କରୁଛି ବିଜେପୁର ନିଆଁ । ପ୍ରତିଦିନ ବିଜେପୁର ରାଜନୀତି ମଇଦାନକୁ ଗୁଗୁଲି ଫିଙ୍ଗୁଛନ୍ତି ବରିଷ୍ଠ ନେତା । କିନ୍ତୁ ପୂର୍ବତନ ବିଜେଡି ବିଧାୟକ ଅଶୋକ ପ୍ରାଣିଗ୍ରାହୀଙ୍କ ବୟାନକୁ ନେଇ ବିଜେଡି ଭିତରେ ସୃଷ୍ଟି ହୋଇଛି କମ୍ପନ । କିପରି ନିଜର ଦଳ ଭିତରେ ଥିବା ନେତା ଗୃହଭେଦୀ ବିଭୀଷଣ ସାଜିପାରନ୍ତି ତାହାର ଉଦାହରଣ ଦେଇଛନ୍ତି ଅଶୋକ । ଅଶୋକଙ୍କ ଦେଇଥିବା ବୟାନକୁ ନେଇ ଏବେ ବିଜେଡି ଦଳରେ କେହି କାହାକୁ ବିଶ୍ୱାସକୁ ମଧ୍ୟ ନେଇ ପାରୁ ନାହାନ୍ତି । ଏଭଳି ଶଙ୍କା ଭିତରେ ଦଳ ବିଜେପୁରରେ ଫାଇଟ କରିବାକୁ ଚିନ୍ତା କରୁଛି । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଅଶୋକ କହିଛନ୍ତି, ବିଜେଡିରେ ସେ ପ୍ରତିଥର ଚକ୍ରାନ୍ତର ଶିକାର ହୋଇଛନ୍ତି । ଆଉ ଏହାର ଆରମ୍ଭ ହୋଇଥିଲା ୧୯୯୫ ମସିହାରୁ । ୧୯୯୫ ମସିହାରେ ତାଙ୍କ ଟିକଟ୍ କଟାଯାଇଥିଲା । କିନ୍ତୁ ସେତେବେଳେ ସେ ସ୍ୱାଧୀନ ଭାବେ ଲଢି ୩୨ ହଜାର ଭୋଟ ହାତେଇଥିଲେ ।

ashokପରେ ୨୦୦୦ ମସିହାରେ ତାଙ୍କୁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ କରାଯାଇଥିଲା ।ଏହି ନିର୍ବାଚନରେ ସେ ବିଜୟୀ ହୋଇ ପ୍ରଥମଥର ପାଇଁ ବିଧାୟକ ହୋଇଥିିଲେ । କିନ୍ତୁ ୨୦୦୪ରେ ସ୍ଥିତି ବଦଳି ଯାଇଥିଲା । ୨୦୦୪ରେ ପ୍ରସନ୍ନ ଆଚାର୍ଯ୍ୟ ମୋତେ ଚକ୍ରାନ୍ତ କରି ହରାଇଲେ । କାଳେ ନେତୃତ୍ୱରେ ବାଧା ସୃଷ୍ଟି ହେବ ତେଣୁ ମୋ ବିରୋଧରେ ଚକ୍ରାନ୍ତ କରିଥିଲେ ପ୍ରସନ୍ନ । ଏହାସହ କଂଗ୍ରେସ ପ୍ରାର୍ଥୀଙ୍କୁ ସାହାଯ୍ୟ କରି ବିଜେପୁରରେ ସୁବଳଙ୍କୁ ବିଜୟୀ କରିଥିଲେ । ଏହାପରେ ୨୦୦୯ ନିର୍ବାଚନରେ ତାଙ୍କ ଟିକଟ ପୁଣିଥରେ କାଟି ଦିଆ ଯାଇଥିଲା । ତାଙ୍କ ବଦଳରେ ଏକ ନୂଆ ଚେହେରାକୁ ନିବାର୍ଚନ ଋଣାଙ୍ଗନରେ ଓହ୍ଲାଇଥିଲା ଦଳ । କିନ୍ତୁ ସେହି ପ୍ରାର୍ଥୀ ମଧ୍ୟ ପୁଣିଥରେ ପ୍ରସନ୍ନଙ୍କ ଚକ୍ରାନ୍ତର ଶିକାର ହେଲେ । ଆଉ ବାଜି ମାରିନେଲା କଂଗ୍ରେସ ।

prasana acharyaତେବେ ବିଜେପୁରରେ ସମସ୍ତଙ୍କ ବିରୋଧରେ ଚକ୍ରାନ୍ତ କରୁଥିବା ପ୍ରସନ୍ନ ନିଜେ ୨୦୧୪ରେ ଦଳୀୟ ନେତୃବୃନ୍ଦଙ୍କ ଚକ୍ରାନ୍ତର ଶିକାର ହେଲେ । ଅଶୋକ କହିଛନ୍ତି ହେଭିୱେଟ ପ୍ରସନ୍ନଙ୍କ ବିରୋଧରେ ଅନ୍ୟ କେହି ନୁହେଁ ବରଂ ଦଳୀୟ ନେତା କଳ୍ପତରୁ ରଚିଥିଲେ ଚକ୍ରବ୍ୟୁହ । ପ୍ରସନ୍ନଙ୍କୁ ହରାଇବା ପାଇଁ ତାଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ କହିଥିଲେ କଳ୍ପତରୁ । ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜେପୁରରେ ଲଢନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି ତାଙ୍କୁ କଳ୍ପତରୁ ଫୋନ କରି କହିଥିଲେ । କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଗଲା । ଏହା ମଧ୍ୟ ଚକ୍ରାନ୍ତ ଥିଲା ବୋଲି ସେ କହଛନ୍ତି । ଦଳରୁ ବହିଷ୍କାର ହେବା ପରେ ମଧ୍ୟ ସେ ଦଳ ପ୍ରତି ଆନୁଗତ୍ୟ ରଖିଥିଲେ । କିନ୍ତୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯିବା ପରେ ବିଜେଡି ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଅଶୋକ ।

Naveen-Patnaikସର୍ବଦା ବୟାନବାଜିରୁ ଦୂରେଇ ରହୁଥିବା ଓ ଗଣମାଧ୍ୟମ ଆଗରେ କମ ମତ ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବୟାନବାଜି ଲଢେଇରେ ଲମ୍ପ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୬ ଦିନିଆ ଦିଲ୍ଲୀ ଗସ୍ତ ଯିବା ପୂର୍ବରୁ ବିଜେପୁରକୁ ନେଇ ସ୍ୱଷ୍ଟ ମତ ରଖିଛନ୍ତି । ବିଜେପୁରକୁ ନେଇ ବିଜେଡି ମଧ୍ୟରେ କୌଣସି ଦ୍ୱନ୍ଦ ନାହିଁ ଏବଂ ସବୁ ସମସ୍ୟାର ସମାଧାନ ହୋଇଛି ବୋଲି ଦୃଢ ସହକାରେ କହିଛନ୍ତି ନବୀନ । ତା ଛଡା ଅଶୋକ ଆଣିଥିବା ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛନ୍ତି ନବୀନ । ଏହାସହ ବିଜେପୁର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଆଣିଥିବା ଆକ୍ଷେପ ଆଦୌ ଠିକ୍ ନୁହେଁ ବୋଲି ସେ କହିଛନ୍ତି । ତେବେ ନବୀନଙ୍କ କଥାରେ ସତ୍ୟତା ଅଛି କି ନାହିଁ ତାହା କଳ୍ପତରୁ ବଞ୍ଚିଥିଲେ ଜଣା ପଡି ଯାଇଥାନ୍ତା ବୋଲି କହିଛନ୍ତି ଅଶୋକ ।

RITA-SAHU-UPଗତକାଲି ନବୀନ ରୀତାଙ୍କୁ ବିଜେପୁରରୁ ପ୍ରାର୍ଥୀ ଘୋଷଣା କରିବା ପରେ ୨୦୧୪ରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଥିବା ଅଶୋକ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ଖୋଲା ଚିଠି । ଯେଉଁଥିରେ ସେ ବିଜୁ ପରିବାର ସହିତ ଭାବାତ୍ମକ ସଂପର୍କ ଛିନ୍ନ କରୁଥିବା ଉଲ୍ଲେଖ କରିଛନ୍ତି । ସେପଟେ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବାକୁ ନେଇ ନବୀନଙ୍କୁ ସମାଲୋଚନା କରିଛନ୍ତି ଅଶୋକ । କହିଛନ୍ତି, ଦୀର୍ଘ ୧୩ ବର୍ଷ ଧରି ଯେଉଁ ପରିବାର ବିଜେଡିର ନୀତି ଆଦର୍ଶ ବିରୋଧରେ କାମ କରୁଥିଲା ସେହି ପରିବାରକୁ ଉପ ନିର୍ବାଚନରେ ପ୍ରାର୍ଥୀ କରାଇ ଦଳ ବିଜୁ ପ୍ରେମୀଙ୍କ ମନରେ କଷ୍ଟ ଦେଇଛି ।

bjp-wonଅଶୋକ ଏବେ ବିଜେପି ମୁହାଁ ହୋଇଥିବା ଏକରକମ ସ୍ୱଷ୍ଟ ହୋଇଯାଇଛି । ସେ କହିଛନ୍ତି, ଏବେ ସେ ଆଉ ବିଜେଡି ସହ ନାହାନ୍ତି ହେଲେ କଂଗ୍ରେସ ହାତ କେବେ ଧରିବେ ନାହିଁ ବୋଲି ରୋକଠୋକ କହିଛନ୍ତି । ଏବେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢିଛି, ତାଙ୍କ ସମର୍ଥକ ଚାହିଁଲେ ସେ ବିଜେପି ଦଳରୁ ମଧ୍ୟ ନିର୍ବାଚନ ଲଢିବେ ବୋଲି ଇଙ୍ଗିତ କରିଛନ୍ତି । ବିଜେପୁର ଫେରିଲା ପରେ ଅଂଚଳ ବାସୀଙ୍କ ସହ ଆଲୋଚନା କରି କେଉଁ ଦଳକୁ ଯିବି ନିଷ୍ପତି ନେବି ବୋଲି ଅଶୋକ ପାଣିଗ୍ରାହୀ କହିଛନ୍ତି । ଅଶୋକ ପାଣିଗ୍ରାହୀ ଯଦିଓ ବିଜେଡିର ରାଜନୈତିକ ଦୃଶ୍ୟପଟରେ ଅଲୋଡା ହୋଇଯାଇଥିଲେ, ତଥାପି ତାଙ୍କ ପାଖରେ ଥିବା ପକେଟ ଭୋଟ ଆଗାମୀ ଦିନରେ ବିଜେଡିକୁ ଅଡୁଆରେ ପକାଇପାରେ ବୋଲି ଅନୁମାନ କରାଯାଉଛି ।