ମାଛରେ ମିଶିଛି ବିଷ : ଫର୍ମାଲିନ୍ ମିଶୁଥିବା ପରୀକ୍ଷାରୁ ହେଲା ପ୍ରମାଣ, ମାଛ ସାମ୍ପୁଲରୁ ବାହାରିଲା ରସାୟନ

41

କନକ ବ୍ୟୁରୋ : ଓଡିଶା ବଜାରରରେ ବିକ୍ରି ହେଉଥିବା ମାଛରେ ମିଶିଛି ଫର୍ମାଲିନ୍ ପରି ମାରାତ୍ମକ ରସାୟନ । ବଜାରରେ ମିଳୁଥିିବା ମାଛକୁ ଅଧିକ ଦିନ ସତେଜ ରଖିବା ପାଇଁ ଫର୍ମାଲିନ୍ ମିଶାଯାଉଥିବା ନେଇ ଅଭିଯୋଗ ଆସିଥିଲା । ଆଜି ମତ୍ସ୍ୟବିଭାଗ ଅଧିକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ମାଛ ସାମ୍ପୁଲ ସବୁ ସଂଗ୍ରହ କରି ପରୀକ୍ଷା କରିଛନ୍ତି । ଭୁବନେଶ୍ୱର ୪ ନମ୍ବର ମାଛ ହାଟରେ କରିଥିବା ପରୀକ୍ଷାରୁ ମାଛରେ ଫର୍ମାଲିନ୍ ମିଶିଥିବା ସୂଚନା ମିଳିଛି । ପାମ୍ପଲେଟ୍ ମାଛ ସାମ୍ପୁଲରେ ପରୀକ୍ଷା କରିବା ପରେ ଏହାର ରଙ୍ଗ ବଦଳି ଯାଇଥିଲା । ପୂର୍ବରୁ ଅସ୍ତରଙ୍ଗ ଅଂଚଳରେ ମାଛରେ ଫର୍ମାଲିନ୍ ମିଶିୁଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା ।

ଆନ୍ଧ୍ର ମାଛରେ ମିଶାଯାଉଛି ଫର୍ମାଲ ଡିହାଇଡ୍ ନାମକ ରସାୟନ । ଏହି କାରଣରୁ ଆନ୍ଧ୍ର ମାଛ ଉପରେ ଆସାମ ସରକାର ୧୦ ଦିନ ପାଇଁ ବ୍ୟାନ୍ ଲଗାଇଛନ୍ତି । ଆଉ ଏହି ଘଟଣା ଓଡ଼ିଶାରେ ମଧ୍ୟ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ମାଛକୁ ଯାଂଚ୍ ପାଇଁ ପରୀକ୍ଷାଗାରକୁ ପଠାଯାଇଥିଲା । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଘଟଣାର ଅନୁଧ୍ୟାନ କରାଯିବ । କିଛି ଦିନ ତଳେ ମାଛରେ ଫର୍ମାଲ ଡିହାଇଡ୍ ମିଶାଯାଉଥିବା ନେଇ କନକ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା । ଏବେ ପୁଣି ସାମ୍ନାକୁ ଆସିଛି ସେହି ଘଟଣା ।

ଆନ୍ଧ୍ର ମାଛକୁ ବ୍ୟାନ କଲା ଆସାମ । ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମାଛ ଉପରେ କଟକଣା ଲଗାଇଛି ଆସାମ । ଆଉ ଏହି ବ୍ୟାନ୍ ପଛରେ ବି ରହିଛି ସେହି ରାସାୟନିକ ପ୍ରଲେପ-ଫର୍ମାଲିନ୍ ବା ଫର୍ମାଲ ଡିହାଇଡ୍ର ମିଶ୍ରଣ । ମାଛକୁ ଅଧିକ ଦିନ ଯାଏଁ ସତେଜ୍ ରଖିବା ପାଇଁ ଏଭଳି ରାସାୟନିକ ଦ୍ରବ୍ୟର ଉପଯୋଗ ହେଉଛି । ଆପଣ ହୁଏତ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫର୍ମାଲିନ୍ ମୃତଦେହକୁ ସଂରକ୍ଷିତ ରଖିବା କ୍ଷେତ୍ରରେ ବ୍ୟବହାର ହୁଏ । ଆଉ ଏଭଳି ଏକ ରାସାୟନିକ ପଦାର୍ଥ, ଯଦି ମାଛକୁ ଅଧିକ ଦିନ ଯାଏଁ ସତେଜ୍ ରଖିବାକୁ ବ୍ୟବହାର କରାଯାଏ, ତେବେ ଏହାର ପାଶ୍ୱର୍ ପ୍ରତିକ୍ରିୟା କ’ଣ ହେବ ଯେକେହି ବି ଅନୁମାନ କରିପାରିବ । କିପରି ମାଛକୁ ସତେଜ ରଖିବା ପାଇଁ ଫର୍ମାଲିନ୍ ବ୍ୟବହାର କରାଯାଉଛି ତାହା କନକ ନ୍ୟୁଜର କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ।

ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଆସୁଥିବ ଏଭଳି ଅପମିଶ୍ରିତ ମାଛ ଖାଇଲେ ମଣିଷ ଶରୀର ଉପରେ କ’ଣ ସବୁ ପ୍ରଭାବ ପଡ଼ିବ ।

-ଏହି କେମିକାଲ ଅଳ୍ପ ମାତ୍ରାରେ ଶରୀରକୁ ଗଲେ ସାଂଘାତିକ୍ ପେଟ ରୋଗ ହୁଏ

– ଫର୍ମାଲିନ୍ ଯୋଗୁଁ ଚର୍ମ ରୋଗ ହେବାର ମଧ୍ୟ ଆଶଙ୍କା ରହିଛି

– ଏହି କେମିକାଲର ପରିମାଣ ଅଧିକ ହେଲେ କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଛି

ସଜ ମାଛର ଏଭଳି ଚାଂଚଲ୍ୟକର ସତ ସାମ୍ନାକୁ ଆସିବା ପରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି କେଉଁ ମାଛରେ ରହିଛି ବିଷ, ତାହା ଆପଣ ଜାଣିବେ କେମିତି ?

-ମାଛରେ ‘ଫର୍ମାଲ୍ ଡିହାଇଡ’ମିଶାଯାଇଥିଲେ ଏହା ସାଧାରଣ ମାଛ ଠାରୁ ଅଧିକ ଟାଣୁଆ ଲାଗିବ

-କେମିକାଲ ମିଶା ମାଛକୁ ଚୋବାଇବା ସମୟରେ ଏହା ରବର ଭଳି ଲାଗିବ

-କେମିକାଲ ମିଶା ମାଛର କାତି ମଧ୍ୟ ସଜ ମାଛ ଠାରୁ ଅଧିକ ଟାଣୁଆ

-ମାଛର ଗାଲି ଅତ୍ୟଧିକ ଲାଲ ଓ ଆଖି ଅଧିକ ସଫା

-ମାଛ ଭାଜିବା ସମୟରେ ଯେଉଁ ବାସ୍ନା ଆସେ, କେମିକାଲ ମିଶା ମାଛର ବାସ୍ନା ତା’ଠାରୁ ଭିନ୍ନ ରହିବ

-ଜିଅନ୍ତା ମାଛରେ କୌଣସି କେମିକାଲ ମିଶାଯାଇନଥିବା ସମ୍ଭାବନା ଅଧିକ