ମାଛରେ ମିଳିଲା ବିଷ, ଗ୍ରାହକ ଛାନିଆ । ଫର୍ମାଲିନ୍ ମିଶିବା ଘଟଣାରେ ଆସିଲା ରିପୋର୍ଟ, ପମ୍ଫ୍ରେଟ୍ ମାଛରେ ବିଷାକ୍ତ ରସାୟନ ଥିବା ନେଇ ପ୍ରମାଣ
କନକ ବ୍ୟୁରୋ : ଆନ୍ଧ୍ର ମାଛରେ ବିଷ । ଓଡିଶା ବଜାରରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ୍ ମିଶିଥିବା ନେଇ ରିପୋର୍ଟ ଆସିଛି । ଆଜି ମତ୍ସ୍ୟବିଭାଗ ଅଧିକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ମାଛ ସାମ୍ପୁଲ ସବୁ ସଂଗ୍ରହ କରି ପରୀକ୍ଷା କରିଛନ୍ତି । ଭୁବନେଶ୍ୱର ୪ ନମ୍ବର ମାଛ ହାଟରେ କରିଥିବା ପରୀକ୍ଷାରୁ ମାଛରେ ଫର୍ମାଲିନ୍ ମିଶିଥିବା ସୂଚନା ମିଳିଛି । ତେବେ ଏସବୁ ଭିତରେ ଆନ୍ଧ୍ର ମାଛରେ ଫର୍ମାଲିନ ମିଶିବା ଘଟଣାରେ ଆସାମ ସହ କଥା ହୋଇଛନ୍ତି ରାଜ୍ୟ ସରକାର । ଏ ନେଇ ପ୍ରତି ଜିଲ୍ଲାରେ ଏକ ସ୍ୱତନ୍ତ୍ର ଟିମ ଗଠନ ହେବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ ଓ ପଶୁ ସଂପଦ ବିଭାଗ ସଚିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆପଣ ନିୟମିତ ଭାବେ ଖାଉଥିବା ମାଛରେ ଏତେ ବଡ ବିଷାକ୍ତ ଦ୍ରବ୍ୟ ଫରମାଲିନ ମିଶିଛି ବୋଲି ବୋଧ ହୁଏ କେବେ ଚିନ୍ତା କରିନଥିବେ । କିନ୍ତୁ ଏହା ସତ ଯେ, ଆପଣଙ୍କ ଖାଇବା ଥାଳିରେ ଥିବା ମାଛରେ ଫରମାଲିନ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ମିଶିଥାଇପାରେ । ଏକଥା ଆମେ ଏଥିପାଇଁ କହୁଛୁ କାରଣ, ଗତକାଲି ଆନ୍ଧ୍ର ମାଛରେ ଫରମାଲିନ ମିଶିଥିବା ନେଇ ଆସାମ ସରକାର ଏହା ଉପରେ କଟକଣା ଲଗାଇଥିଲେ । ପରେ ଏନେଇ କନକ ନ୍ୟୁଜରେ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତୁରନ୍ତ ବଜାରକୁ ଆସୁଥିବା ମାଛର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କିଛି ଅଧିକାରୀ ୪ ନମ୍ବର ମାଛ ହାଟରେ ପହଞ୍ଚି କିଛି ମାଛର ନମୂନା ସଂଗ୍ରହ କରିଥିଲେ । ଯାହାର ପରୀକ୍ଷଣ ପରେ ଫରମାଲିନ ଥିବା ସ୍ପଷ୍ଟ ହୋଇଥିଲା । ଏପରିକି ଓଡିଶାକୁ ଆସୁଥିବା ବିଭିନ୍ନ ମାଛ ଗାଡିରୁ ମଧ୍ୟ ମାଛର ନମୂନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷଣ ପାଇଁ ପଠାଯାଇଛି ।
ତେବେ ଯେଉଁ ମାଛରୁ ଫରମାଲିନ ମିଶିଥିବାର ରିପୋର୍ଟ ଆସିଛି ତାହା ଆନ୍ଧ୍ରରୁ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ସବୁ ଜିଲ୍ଳାରେ ମାଛ ବଜାର ଉପରେ ନଜର ରଖିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଫରମାଲଡିହାଇଡ ନାମକ ଏକ ରାସାୟନିକ ଦ୍ରବ୍ୟର ୪୦ ପ୍ରତିଶତ ସଲ୍ୟୁସନରେ ପ୍ରସ୍ତୁତ ହେଉଥିବା ଫରମାଲିନ ସାଧାରଣତଃ ମଣିଷର ମୃତ ଦେହ ସଂରକ୍ଷଣରେ ବ୍ୟବହାର କରାଯାଏ ।
ପୂର୍ବରୁ, ମାଛର ସଂରକ୍ଷଣ ନେଇ ଫରମାଲିନ ବା ଫରମାଲଡିହାଇଡ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର ଖବର ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ମାଛରେ ଫର୍ମାଲିନ ମିଶିବା ଖବର ପରେ ଗ୍ରାହକଙ୍କ ମନରେ ଛାନିଆ ପଶିଛି । ଫଳରେ ମାଛ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିଛି । କଟକ ଓ ବ୍ରହ୍ମପୁରରେ ମାଛରେ ଫର୍ମାଲିନ୍ ମିଶିବା ଖବର ପରେ ବ୍ୟବସାୟ ଅପେକ୍ଷାକୃତ କମ୍ ରହିଥିବା ଜଣାପଡ଼ିଛି । ଗ୍ରାହକ ଆସୁଛନ୍ତି ହେଲେ କହୁଛନ୍ତି ଆନ୍ଧ୍ର ମାଛ ଦିଅନ୍ତୁ ନାହିଁ । ଫଳରେ ବ୍ୟବସାୟ ମାନ୍ଦା ରହିଛି । ସେହିପରି ଆନ୍ଧ୍ର ମାଛ ସପ୍ତାହରେ ୪ ଥର ଗଞ୍ଜାମ ଜିଲ୍ଲାକୁ ଆସୁଛି । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟବସାୟୀ ଏହି ମାଛକୁ ନିର୍ଭର କରନ୍ତି । ଥରକେ ୧୫ ଟନ ମାଛ ଏଠାକୁ ଆସେ । କିନ୍ତୁ ଗତ କିଛି ଦିନ ହେବ ଆନ୍ଧ୍ରରୁ ମାଛ ଆସିବା ମଧ୍ୟ କମ୍ ହୋଇଛି ।