ଆନ୍ଧ୍ରମାଛରୁ ବାହାରିଲା ବିଷ : ସମ୍ବଲପୁରରେ ନମୁନା ପରୀକ୍ଷା ବେଳେ ୨ଟି ମାଛରୁ ମିଳିଲା ବିଷାକ୍ତ ଫର୍ମାଲିନ୍

36

କନକ ବ୍ୟୁରୋ : ସମ୍ବଲପୁର ମାଛରୁ ମିଳିଲା ବିଷ । ଆଜି ସମ୍ବଲପୁର ସହରରେ କରାଯାଉଥିବା ଯାଂଚ ସମୟରେ ଦୁଇଟି ଆନ୍ଧ୍ର ମାଛରେ ମିଳଛି ବିଷାକ୍ତ ଫର୍ମାଲିନ୍ । ମତ୍ସ୍ୟ ଓ ପଶୁସମ୍ପଦ ବିଶେଷଜ୍ଞ ଟିମ୍ ଯାଂଚ କରୁଥିବା ସମୟରେ ଏହା ଜଣାପଡିଛି । ତେବେ ଅଧିକ ତଥ୍ୟ ପାଇଁ ମାଛକୁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଇ ଅଧିକ ଯାଂଚ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଟିମ୍ । ସେପଟେ ବିଷାକ୍ତ ମାଛ ମିଳିବା ପରେ ସହରରେ ଯାଂଚ ପ୍ରକ୍ରିୟାକୁ ଜୋରଦାର କରିଛି ମହାନଗର ନିଗମ । ମାଛରେ ଫର୍ମାଲିନ ମିଶିଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନମୁନା ସଂଗ୍ରହ କରାଯାଉଛି । ଆନ୍ଧ୍ର ମାଛରେ ଫର୍ମାଲିନ ମିଶିଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ମାଛ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଜିଲ୍ଲାରେ ଏକ ଟିମ୍ ଗଠନ କରି ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ବଲପୁରର ବୁଢ଼ାରଜା, ଅଇଁଠାପାଲି, କୁଲୁଥକାନି ଆଦି ଅଞ୍ଚଳରୁ ମତ୍ସ୍ୟବିଭାଗ ପକ୍ଷରୁ ମାଛ ନମୂନା ସଂଗ୍ରହ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଆସାମ ସରକାର ମାଛରେ ଫର୍ମାଲିନ ପ୍ରୟୋଗ ହୋଇଥିବାରୁ ଆନ୍ଧ୍ରପ୍ରଦେଶରୁ ଯାଉଥିିବା ମାଛ ଉପରେ ବ୍ୟାନ ଲଗାଇ ଥିଲେ । ଏହି ଫର୍ମାଲିନ୍‌ ରାସାୟନିକଟି ଶବକୁ ସତେଜ ରଖିବା ପାଇଁ ପ୍ରୟୋଗ ହୋଇଥାଏ ଓ ଏହା କ୍ୟାନସର ରୋଗ ସୃଷ୍ଟି କରିଥାଏ ବୋଲି କୁହାଯାଏ । ତେବେ ଆସାମ ସରକାର ଆନ୍ଧ୍ରମାଛ  ଉପରେ ରୋକ୍‌ ଲଗାଇବା ପରେ  ଓଡ଼ିିଶା ସରକାର ମାଛର ନମୂନା ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଏଥିପାଇଁ ଗତ ୧୨ ତାରିଖ ଦିନ   ପଦକ୍ଷେପ ନେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ।

ଏହି ନିର୍ଦ୍ଦେଶକ୍ରମେ ୧୩ ତାରିଖ ଦିନ  ୪ ନମ୍ବର ମାଛ ହାଟରୁ ମାଛର ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ରାସାୟନିକ ପରୀକ୍ଷାରୁ ସଂଗୃହିତ ମାଛ ମଧ୍ୟରୁ ପାମ୍ପଲେଟ୍‌ ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଥିବା ସ୍ପଷ୍ଟ ହୋଇଥିଲା ।  ତା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ ଦିଆଯାଉଛି କିମ୍ବା ନାହିଁ ତାହା ଜାଣିବା ପାଇଁ ମାଛ ନମୂନରା ସଂଗ୍ରହ କରାଯାଉଛି । ଗତକାଲି କଟକ, ବ୍ରହ୍ମପୁର ଓ ରାଉରକେଲାରେ ମାଛ ନମୂନା ସଂଗ୍ରହ ହୋଇଥିବା ବେଳେ ଆଜି ସମ୍ବଲପୁର ଓ ଖୋର୍ଦ୍ଧାର ବିଭିନ୍ନ ମାଛ ବଜାରରେ ଚଢ଼ାଉ କରାଯାଇ ମାଛରେ ଫର୍ମାଲିନ ଦିଆଯାଇଛି କିମ୍ବା ନାହିଁ  ତାହା ଯାଞ୍ଚ କରାଯାଉଛି ।