ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ଫର୍ମ ନିଅଣ୍ଟ ! ୨ ହଜାର ଫର୍ମକୁ ୨୦ ହଜାର ଆବେଦନକାରୀ

408

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ସଦ୍ୟଘୋଷିତ ‘କାଳିଆ’ ଯୋଜନା ପାଇଁ ଫର୍ମ ମିଳୁନି । ଆବେଦନକାରୀଙ୍କ ତୁଳନାରେ ବହୁ କମ୍‌ ଆବେଦନପତ୍ର ରହିଛି । ଯାହାକୁ ନେଇ କେତେକ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁରରେ ଏଭଳି ଅନିୟମିତତା ହୋଇଥିବା ଅଭିଯୋଗ ଉଠାଇ କଂଗ୍ରେସ ପକ୍ଷରୁ କୃଷି ଉପ‌ନିର୍ଦ୍ଦେଶକଙ୍କୁ ଘେରାଉ କରାଯାଇଛି । କେନ୍ଦୁଝର ଜିଲ୍ଲା ହାଟଡିହିରେ ଫର୍ମ ଅଭାବକୁ ନେଇ କେତେକ ପଞ୍ଚାୟତରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନା ଅନୁସାରେ, ଯାଜପୁରର କୋରେଇ ବ୍ଲକକୁ ମୋଟ ୨ ହଜାର ଫର୍ମ ଯୋଗାଇ ଦିଆଯାଇଥିବା ବେଳେ ହଜାର ହଜାର ଚାଷୀଙ୍କ ପାଇଁ ଏହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ବ୍ଲକ୍‌ର ୨୮ ପଞ୍ଚାୟତରେ ପାଖପାଖି ୨୦ ହଜାରରୁ ଅଧିକ ଲୋକ ଆବେଦନ କରିବା ପାଇଁ ପହଞ୍ଚି ଫର୍ମ ମାଗିଥିଲେ । ଏହାକୁ ନେଇ ନୋଡ଼ାଲ ଅଫିସର ହଟହଟା ହୋଇଥିଲେ। ତାରାକୋଟ, ଖମଣ, ବରୁଣ୍ତାଇ, ଧନେଶ୍ବର, ତୁଳତୀ ଆଦି ବହୁ ପଞ୍ଚାୟତରେ ଫର୍ମ ପାଇଁ ଲୋକଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିବାର ମଧ୍ୟ ସୂଚନା ମିଳିଛି ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା, ପଞ୍ଚୁଗୋଛିଆ ଆଦି ପଞ୍ଚାୟତରେ ପ୍ରବଳ ଭିଡ଼ ଦେଖାଯାଇଥିଲା । ସମଣାରେ ମଧ୍ୟାହ୍ନ ୧୨ଟା ବେଳକୁ ଫର୍ମ ସରିଯିବାରୁ ସେଠାରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା । ନୋଡାଲ ଅଫିସର ବାଧ୍ୟ ହୋଇ କାର୍ଯ୍ୟାଳୟରେ ତାଲା ପକାଇ ବସିଥିଲେ । ସେହିପରି ପଞ୍ଚୁଗୋଛିଆ ପଞ୍ଚାୟତରେ ନୋଡାଲ ଅଫିସର ରହୁନଥିବାରୁ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବାହାରେ ୫ ଟଙ୍କାରେ ଫର୍ମ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତକୁ ଆବଶ୍ୟକ ପରିମାଣର ଫର୍ମ ଆସୁନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସହକାରୀ କୃଷି ଅଧିକାରୀ ଚନ୍ଦ୍ରମୋହନ ପାତ୍ର ସୂଚନା ଦେଇଛନ୍ତି ।