ହୁତୁହୁତୁ ହୋଇ ଜଳିଲା ସମ୍ବଲପୁର ସହର ମୋତିଜିରା ପାଖ ଜଙ୍ଗଲ ! ୩ ଏକର ଜଙ୍ଗଲ ପୋଡି ପାଉଁଶ

55

କନକ ବ୍ୟୁରୋ : ସମ୍ବଲପୁର ସହର ମୋତିଜିରା ପାଖ ଜଙ୍ଗଲରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ନିଆଁରେ ପ୍ରାୟ ୩ ଏକର ଜଙ୍ଗଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ନିଆଁକୁ ଆୟତ କରିବା ପାଇଁ ନାକେଦମ ହୋଇଛି ୩ ଟି ଦମକଳ ଗାଡି । ତେବେ ନିଆଁ କବଳରୁ ଅଳ୍ପକେ ବର୍ତିଯାଇଛି ୱାଇଲ୍ଡ ଲାଇଫ୍ ଡିଏଫଓଙ୍କ କାର୍ଯ୍ୟାଳୟ । ଆଜି ପ୍ରାୟ ଦିନ ସାଢେ ୧୨ଟା ସୁଦ୍ଧା ମୋତିଜିରା ପାଖ ଜଙ୍ଗଲରେ ଅଚାନକ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା, ଜଙ୍ଗଲ ପାଖରେ ଥିବା ଏକ ବାଉଁଶ ବୁଦାରୁ ନିଆଁ ଜଙ୍ଗଲକୁ ବ୍ୟାପିଛି । ଜଙ୍ଗଲି ନିଆଁ ଦ୍ୱାରା ବଡ ବଡ ଗଛ ସବୁ ପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ବନ କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଛନ୍ତି । ଜଙ୍ଗଲି ନିଆଁକୁ ନେଇ ସହରରେ ଓ ସହରର ଆଖପାଖରେ ରହୁଥିବା ଲୋକ ଆତଙ୍କିତ ହୋଇପଡିଛନ୍ତି ।

ବୌଦ୍ଧରେ ଜଳୁଛି ଜଙ୍ଗଲ । ପୋଡି ପାଉଁଶ ହୋଇଯାଉଛି ସବୁଜ ବନାନୀ । ଜିଲ୍ଲାର ବିଭିନ୍ନ ରେଞ୍ଜର ବହୁ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ଫଳରେ ବହୁ ପରିମାଣ ମୁଲ୍ୟବାନ ଗଛ ପୋଡି ନଷ୍ଟ ହେଉଛି । ଜିଲ୍ଲା ୪୦ ଡିଗ୍ରୀ ତାପମାତ୍ରାରେ ସିଝୁଥିବା ବେଳେ ଜଙ୍ଗଲ ନିଆଁ ଆହୁରି ଅସ୍ତବ୍ୟସ୍ତ କରି ଦେଇଛି । ନିଆଁ ଲାଗିବା ଯୋଗୁଁ ଜଙ୍ଗଲୀ ଜୀବଜନ୍ତୁ ଜୀବନ ଭୟରେ ଜନବସତି ଆଡକୁ ମାଡି ଆସୁଥିବା ଅଭିଯୋଗ ହୋଇଛି ।

ତେବେ ଜାଣି ଶୁଣି ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେମାନଙ୍କ କହିବା କଥା ପତ୍ରଝଡା ସମୟରେ କେନ୍ଦୁପତ୍ର ବିଭାଗର ବୁଶ୍ କଟିଙ୍ଗ ବେଳେ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଛି । ସେପଟେ ନିଆଁ ଲିଭାଇବା ପାଇଁ ବନ ବିଭାଗ ସ୍ୱାର୍ଡ ଗଠନ କରିଥିଲେ ସୁଦ୍ଧା କିଛି ଲାଭ ମିଳୁନାହିଁ । ଅନ୍ୟପଟେ ଲୋକଙ୍କ ଅଭିଯୋଗ ଏବଂ ସାଟେଲାଇଟ୍ ମାଧ୍ୟମରେ ଖବର ପାଇ ନିଆଁ ଲିଭାଉଛୁ । ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବନଖଣ୍ଡ ଅଧିକାରୀ ।