ସମ୍ବଲପୁରରେ ବିଦେଶିନୀଙ୍କ ତାଲିମ୍ କେନ୍ଦ୍ର : ୧୫ ଜଣ ଛାତ୍ରୀଙ୍କୁ ସିଲେଇ ଶିଖାଉଛନ୍ତି ନ୍ୟୁଜିଲାଣ୍ଡର ଆନ୍ନା ଉଇଲସନ

25

କନକ ବ୍ୟୁରୋ :  ସମ୍ବଲପୁର ମାଲିପାଲିରେ ଚାଲିଛି ବିଦେଶିନୀଙ୍କ ତାଲିମ୍ କେନ୍ଦ୍ର । ୧୫ ଜଣ ଛାତ୍ରୀଙ୍କୁ ସିଲେଇ ତାଲିମ୍ ଦେଉଛନ୍ତି ବିଦେଶିନୀ । ୪ ମାସ କୋର୍ସ ପାଇଁ ନାମ ଲେଖା ବାବଦକୁ ୧୫୦ ଟଙ୍କା ଓ ମାସକୁ ୪୦୦ ଟଙ୍କା ଦେଉଛନ୍ତି ଛାତ୍ରୀମାନେ । ୨୦୦୬ ମସିହାରେ ସ୍ୱାମୀଙ୍କ ସହିତ ଭାରତ ଭ୍ରମଣରେ ଆସଥିଲେ ନ୍ୟୁଜିଲାଣ୍ଡର ଆନ୍ନା ଉଇଲସନ୍ । ସେହି ସମୟରେ ଭାରତ ପ୍ରତି ଆକୃଷ୍ଟ ହେବା ସହ ଭାରତର ପୋଷାକ ପ୍ରତି ଆକର୍ଷିତ ହୋଇଥିଲେ । ସେହି ଆକର୍ଷଣ ତାଙ୍କୁ ସୁଦୂର ନ୍ୟୁଜିଲାଣ୍ଡରୁ ସମ୍ବଲପୁରକୁ ଟାଣି ଆଣିଛି ।

୧୯୯୩ ମସିହାରେ ଫ୍ୟାଶନ୍ ଡିଜାଇନୟର ପାଠ ପଢିଥିବା ବିଦେଶିନୀ ଜଣଙ୍କ କେବଳ ସିଲେଇ ତାଲିମ୍ ଦେଉଛନ୍ତି ତାହା ନୁହେଁ, ମହିଳା ଓ ଝିଅମାନଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି । ସେମାନେ ତିଆରି କରୁଥିବା ଡ୍ରେସ ନିଜେ ପିନ୍ଧିବା ସହ ଅନ୍ଲାଇନ ସପିଂ ମାଧ୍ୟମରେ ବିକ୍ରୀ କରୁଛନ୍ତି । ଏମିତିକି ନ୍ୟୁଜିଲାଣ୍ଡରେ ଥିବା ୩ଟି ଦୋକାନରେ ବିକ୍ରୀ ହେଉଥିବା ଜଣାପଡିଛି । ବିଦେଶିନୀଙ୍କର ଏଭଳି ଉଦମ୍ୟ ଯୋଗୁଁ ଖୁବ୍ ପ୍ରଶଂସା ପାଇଛନ୍ତି । କାରଣ କିଛି ପିଲାଙ୍କୁ ସ୍ୱାବଲମ୍ଭୀ କରିପାରୁଛନ୍ତି । ନିଜର ଶିକ୍ଷାକୁ ଲୋକଙ୍କ ମଧ୍ୟରେ ବାଂଟିବାର ଯେଉଁ ଦୃଢ ଇଚ୍ଛା ତାହା ମହତ ପାଲଟିଛି ।