ପ୍ରୟାଗରାଜ କୁମ୍ଭମେଳାର ବିଦେଶୀ ଭକ୍ତଙ୍କ ସମାଗମ: ମୋକ୍ଷ ପ୍ରାପ୍ତି ଆଶା ରଖି ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଲେ ବିଦେଶୀସନ୍ଥ

96

କନକ ବ୍ୟୁରୋ: ପ୍ରୟାଗରାଜରେ ଆରମ୍ଭ ହୋଇଛି କୁମ୍ଭମେଳା । ଆଉ ଏହି କୁମ୍ଭମେଳାର ଅନ୍ୟତମ ଆକର୍ଷଣ ସାଜିଛନ୍ତି ବିଦେଶୀସନ୍ଥ । ସୁଦୁର ରୁଷ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡରୁ ଉତ୍ତରପ୍ରଦେଶକୁ ଛୁଟି ଆସିଛନ୍ତି ବିଦେଶୀ ସାଧୁ ସନ୍ଥ । ହିନ୍ଦୁ ଧର୍ମ ଓ ପରଂପରାରେ ଆସ୍ଥା ରଖୁଥିବା ଏହି ବିଦେଶୀମାନେ ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି । ପ୍ରୟାଗରାଜରେ ଶତାଧିକ ବିଦେଶୀ ଶ୍ରଦ୍ଧାଳୁଙ୍କ ସମାଗମ ଲୋକଙ୍କୁ ଆକର୍ଷିତ କରୁଛି ।

ବିଦେଶୀ ଭକ୍ତ ଓ ନାଗାସାଧୁଙ୍କ ସମାଗମ ଏଥର ପ୍ରୟାଗରାଜ କୁମ୍ଭମେଳାରେ ଭିନ୍ନ ପରିବେଶ ସୃଷ୍ଟି କରିଛି । ହଜାର ହଜାର ସଂଖ୍ୟାରେ ନାଗା ସାଧୁ ଏକାଠି ସାହିସ୍ନାନ କରିଛନ୍ତି । ସେପଟେ ହେଲିକପ୍ଟର ସହାୟତାରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଉପରେ ପୁଷ୍ପ ବୃଷ୍ଟି ହୋଇଛି । ବିଶ୍ୱାସ ରହିଛି ଗଙ୍ଗା, ଯମୁନା ଓ ସରସ୍ୱତୀର ସଂଗମ ସ୍ଥଳ ପ୍ରୟାଗରାଜରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତିି ହୋଇଥାଏ । ତେଣୁ ଏଠାରେ ବୁଡ ପକାଇବା ପାଇଁ ୧୨ କୋଟିରୁ ଅଧିକ ଭକ୍ତ ଆସିବାର ସମ୍ଭାବନା ଥିବା କୁହାଯାଉଛି ।

ପ୍ରଥମ ଥର ପାଇଁ କୁମ୍ଭମେଳାରେ ସାମିଲ ହୋଇଛି କିନ୍ନର ଆଖଡା 

ସାହି ସ୍ନାନରେ ସାମିଲ ହୋଇଛନ୍ତି ହଜାର ହଜାର କିନ୍ନର । ଏଥିପାଇଁ କିନ୍ନର ଆଖଡା ପକ୍ଷରୁ ସ୍ୱତନ୍ତ୍ର ରଥ ବାହାର କରାଯାଇଛି । ପ୍ରୟାଗରାଜ କୁମ୍ଭମେଳାରେ ପ୍ରଥମ ଥର ସାହି ସ୍ନାନ କରିଛନ୍ତି କିନ୍ନର । ପୂର୍ବରୁ ହୋଇଥିବା ଏହି କୁମ୍ଭମେଳାରେ ୧୩ଟି ଆଖଡା ସାମିଲ ହୋଇଥିବାବେଳେ ଏଥର କିନ୍ନର ଆଖଡା ସାମିଲ ହେବା ପରେ ଏହା ୧୪ରେ ପହଁଚିଛି । ଗତ ୨ ବର୍ଷ ହେବ କିନ୍ନର ମାନଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ନର ଆଖଡାର ଆଚାର୍ଯ୍ୟ ମହାମଣ୍ଡେଳଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀ ଓ ଅନ୍ୟ କିନ୍ନର ସନ୍ଥ ମାନେ ସଂଗମରେ ସ୍ନାନ ପରେ ଜୁନା ଆଖଡାର ମୌଜଗିରୀ ଆଶ୍ରମ ଯାଇଥିଲେ ।

ସେଠାରେ କିନ୍ନର ଆଖଡାର ସମସ୍ତ ପଦାଧିକାରୀ ଜୁନା ଆଖଡାରେ ସାମିଲ ହୋଇଥିଲେ । ମଧ୍ୟପ୍ରଦେଶ ଉଜ୍ୱୟିନ ପରେ ପ୍ରୟାଗରାଜ କୁମ୍ଭମେଳାରେ କିନ୍ନର ଆଖାଡା ପାଇଁଁ ଅନୁମତି ମିଳିଛି । ୨୦୧୬ ଉଜୟିନ ସିଂହସ୍ଥ କୁମ୍ଭରେ କିନ୍ନର ଆଖଡାର ସ୍ଥାପନ ହୋଇଥିଲା । କିନ୍ନରଙ୍କୁ ସନାତମ ଧର୍ମରେ ସାମିଲ କରାଯାଇଛି । ଅଖିଳ ଭାରତୀୟ ଆଖଡା ପରିଷଦର ବିରୋଧ ପରେ ବି ପ୍ରଥମ ଥର ପାଇଁ ପ୍ରୟାଗରାଜ କୁମ୍ଭମେଳାରେ କିନ୍ନର ଆଖଡା ଲାଗିଛି । ଗତ ୬ ତାରିଖରେ କିନ୍ନର ଆଖାଡା ପକ୍ଷରୁ ଏକ ଭବ୍ୟ ଦେବତ୍ୱ ଯାତ୍ରା ବାହାରିଥିଲା ।