ଓଡ଼ିଶାକୁ ବଢ଼ିଛି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ! ବିଦେଶୀଙ୍କ ସୂତ୍ରରୁ ବଢ଼ିଛି ରାଜସ୍ୱ

1

କନକ ବ୍ୟୁରୋ : ଓଡ଼ିଶାକୁ ବଢ଼ିଛି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ । ପୂର୍ବ ବର୍ଷ ତୁଳନାରେ ୨୦୧୭ ବର୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ୨୦୧୭ ନଭେମ୍ବର ସୁଦ୍ଧା ୮୪ହଜାର ୬୫୮ ଜଣ ବିଦେଶୀ ଓଡ଼ିଶାକୁ ଭ୍ରମଣ କରିଥିବା ଜଣାପଡ଼ିଛି । କେବଳ ନଭେମ୍ବର ମାସରେ ୧୩ ହଜାର ୪୭୩ ଜଣ ବିଦେଶୀ ଓଡ଼ିଶାକୁ ଆସିଛନ୍ତି । ୨୦୧୬ ବର୍ଷରେ ମୋଟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୭୬ହଜାର ୩୬୧ରେ ସୀମିତ ଥିଲା । ତେବେ ଗତ ଡିସେମ୍ବର ମାସର ତଥ୍ୟ ଆସିଲେ ୨୦୧୭ ବର୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧ଲକ୍ଷ ଟପିଯିବ ବୋଲି ପର୍ଯ୍ୟଟନ ବିଭାଗର ନିର୍ଦେଶକ ନୀତିନ ଭାନୁଦାସ ଜଓ୍ଵାଲେ କହିଛନ୍ତି ।

ଶ୍ରୀ ଜଓ୍ଵାଲେଙ୍କ ସୂଚନା ମୁତାବକ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସହ ପର୍ଯ୍ୟଟନ ସୂତ୍ରରୁ ରାଜସ୍ୱ ବି ବଢ଼ିଛି । ୨୦୧୬ରେ କେବଳ ବିଦେଶୀ ପର୍ୟ୍ୟଟକଙ୍କଠାରୁ ଆୟ ୩୫୦ କୋଟି ଥିବା ବେଳେ ୨୦୧୭ ନଭେମ୍ବର ସୁଦ୍ଧା ଏହା ୩୮୮.୦୫କୋଟି ଛୁଇଁଛି । ବିସ୍ମୟର କଥା ହେଉଛି, ୨୦୧୫ ନବକଳେବର ବର୍ଷରେ ପର୍ଯ୍ୟଟନ ବିଭାଗ ତା’ର ଭିତ୍ତିଭୂମିର ବିକାଶ ପାଇଁ ବହୁ ଅର୍ଥ ବ୍ୟୟ କରିଥିଲେ ହେଁ ସେହିବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୬୬ହଜାର ୯୭୧ ଥିଲା । ଯାହା ୨୦୧୪ରେ ଆସିଥିବା ୭୧ହଜାର ୪୨୬ ସଂଖ୍ୟାଠାରୁ ବି କମ୍‌ । ତେବେ ସଂପ୍ରତି ଏହି ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଗତବର୍ଷ ଜୁଲାଇରେ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନ୍‌ସିପ୍‌ ଏବଂ ଡିସେମ୍ବରରେ ବିଶ୍ୱ ହକି ଲିଗ୍‌ ପାଇଁ ବହୁ ବିଦେଶୀଙ୍କ ଆଗମନ ବଢ଼ିଥିବା କୁହାଯାଉଛି । ସେହିପରି ୨୦୧୭ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ଏୟାରପୋର୍ଟରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାରପ୍ରସାର ଏବଂ ମୁମ୍ବାଇ ମେଟ୍ରୋ ଟ୍ରେନ୍‌ରେ ବ୍ରାଣ୍ଡିଂର ପ୍ରଭାବ ଏଥିରେ ପ୍ରମୁଖ ଭୂମିକା ନେଇଛି ବୋଲି ଶ୍ରୀ ଜଓ୍ଵାଲେ କହିଛନ୍ତି ।

ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି)ର ରେକର୍ଡ ଅନୁଯାୟୀ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ପ୍ରକାଶ ପାଇଛି । ଏନ୍‌ସିଆର୍‌ବିର ରିପୋର୍ଟ ଅନୁଯାୟୀ ୨୦୧୪ରୁ ୨୦୧୬ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଦ୍ୱାରା ୪ଟି ଆପରାଧିକ ମାମଲା ହୋଇଛି । ୩ ବର୍ଷ ମଧ୍ୟରେ ସମସ୍ତ ଆପରାଧିକ ମାମଲା କେବଳ ପୁରୀରେ ଘଟିଛି । ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଗକୁ ବିଭାଗ ପକ୍ଷରୁ ଆହୁରି ବ୍ରାଣ୍ଡିଂ କରାଯିବାର ଯୋଜନା ରହିଥିବା ବେଳେ ଅନ୍ତର୍ଜାତୀୟ ଖେଳ ଆୟୋଜନ ଦୃଷ୍ଟିରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଆସନ୍ତା ବର୍ଷ ଦେଢ଼ ଲକ୍ଷ ଟପିବା ଆଶା କରାଯାଉଛି ବୋଲି ଶ୍ରୀ ଜଓ୍ଵାଲେ କହିଛନ୍ତି ।

Comments are closed.