ଦରିଆ ପାରିରେ ରଥଯାତ୍ରା : ବିଦେଶରେ ଭକ୍ତଙ୍କ ଗହଳି ଓ ଘଂଟଘଂଟି ଧ୍ୱନିରେ ଗଡ଼ିଲା ରଥ

62

କନକ ବ୍ୟୁରୋ : କେବଳ ଓଡିଶା ବା ଭାରତରେ ନୁହେଁ ସାତ ଦରିଆ, ତେର ନଈ ପାରରେ ବି ଗଡିଛି କାଳିଆର ରଥ । ଦରିଆ ପାରିରେ ରଥଯାତ୍ରା । ସିଙ୍ଗାପୁରରେ ଭକ୍ତଙ୍କ ଗହଳି ଓ ଘଂଟଘଂଟି ଧ୍ୱନି ଭିତରେ ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି ମହାପ୍ରଭୁ । ସିଙ୍ଗାପୁରର ହୋଗାଙ୍ଗ ଷ୍ଟାଡିମୟରେ ଆୟୋଜିତ ଏହି ରଥଯାତ୍ରାରେ ସାମିଲ ହୋଇଥିଲେ ପ୍ରବାସୀ ଓଡ଼ିଆଙ୍କ ସମେତ ସ୍ଥାନୀୟ ବାସିନ୍ଦା ।

ସୁଦୁର କାଲିଫର୍ଣ୍ଣିଆରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ଭକ୍ତ ଆନନ୍ଦର ସହ ତିନି ଠାକୁରଙ୍କୁ ନେଇ ରଥ ଟାଣିଛନ୍ତି । ବିଧି ମୁତାବକ ପୂଜାର୍ଚ୍ଚନା ପରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ବିଦେଶୀ ଭକ୍ତ ମଧ୍ୟ ଜଗନ୍ନାଥଙ୍କ ନାମକୀର୍ତ୍ତନରେ ମଜ୍ଜି ଯାଇଥିବା ଦେଖିବାକୁ ମିଳିଛି ।

ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ୱାଶିଂଟନରେ ମଧ୍ୟ ମହାସମାରୋହରେ ପାଳିତ ହୋଇଛି ରଥଯାତ୍ରା । ପ୍ରବାସୀ ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ରଥଯାତ୍ରାରେ ପରଦେଶୀ ଭକ୍ତ ମଧ୍ୟ ଯୋଗ ଦେଇଛନ୍ତି । ପାରମ୍ପରିକ ରୀତିରେ ତିନି ଠାକୁରଙ୍କୁ ରଥରେ ବିଜେ କରାଯିବା ପରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଭକ୍ତ ଆନନ୍ଦର ସହ ତିନି ଠାକୁରଙ୍କ ରଥକୁ ଟାଣିନେଇଥିଲେ ।

ଉତ୍ତର ଆମେରିକାର ପ୍ରମୁଖ ଦେଶ କାନାଡ଼ା ରାଜରାସ୍ତାରେ ବି ଶୁଭିଲା ଜୟ ଜଗନ୍ନାଥ ଧ୍ୱନି । ଆନନ୍ଦ ଉଲ୍ଲାସର ସହ କାନାଡ଼ାରେ ପ୍ରଭୁ ଜଗନ୍ନାଥଙ୍କୁ ରଥରେ ଟାଣି ଗୁଣ୍ଡିଚା ମନ୍ଦିରକୁ ନିଆଯାଇଛି । ପ୍ରବାସୀ ଓଡ଼ିଆଙ୍କ ନେତୃତ୍ୱରେ ହୋଇଥିବା ଏହି ରଥଯାତ୍ରାରେ ବିଦେଶୀ ଭକ୍ତ ମଧ୍ୟ ଯୋଗ ଦେଇଥିଲେ । ଭକ୍ତଙ୍କ ହାତରେ ଜଗନ୍ନାଥଙ୍କ ପତାକା ମଧ୍ୟ ଦେଖିବାକୁ ମିଳିଥିଲା ।