ବାଦାମ-ବିସ୍କୁଟ ଭିତରେ ବିଦେଶୀ ଟଙ୍କା । ବିସ୍କୁଟ ପ୍ୟାକେଟ୍ ଏବଂ ଗୋଟା ବାଦାମ ଭିତରେ ବିଦେଶୀ ନୋଟର ହେଉଛି ତସ୍କରୀ ।

521

କନକ ବ୍ୟୁରୋ : ଚୋରି, ଡକାୟତି, ଲୁଟ୍ ଏବଂ ତସ୍କରୀ । ଦିନକୁ ଦିନ ଏଭଳି ଅପରାଧଜନିତ ଘଟଣା ବଢି ବଢି ଚାଲିଛି । ତେବେ ତସ୍କରୀକୁ ନେଇ ଆଗରୁ ଆପଣ ଅନେକ ଘଟଣା ବିଷୟରେ ଶୁଣିଥିବେ । ଏପରିକି ବିଭିନ୍ନ ଉପାୟରେ ଟଙ୍କା, ସୁନା ଗହଣାର ତସ୍କରୀ କରିଥାନ୍ତି ଅପରାଧୀ । କିନ୍ତୁ ଆଜି ଆମେ ଆପଣଙ୍କୁ ତସ୍କରୀ ଅପରାଧର ଏମିତି ଏକ ଘଟଣା କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ପ୍ରତିଦିନ ବିସ୍କୁଟ କିମ୍ବା ବାଦାମ ଖାଉଥିବେ । କିନ୍ତୁ ଏହି ବିସ୍କୁଟ ଆଉ ବାଦାମ ଭିତରେ ଅପରାଧର ଏକ ବଡ ନକ୍ସା ବି ତିଆରି କରାଯାଇପାରିବ, ତାହା ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଉ ଏହି ଖାଦ୍ୟ ସାମଗ୍ରୀ ଭିତରେ ଯେଉଁ ଜିନିଷର ତସ୍କରୀ ଚାଲିଥିଲା, ତାହା ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ । ବିସ୍କୁଟ ଆଉ ବାଦାମ ଭଳି ଖାଦ୍ୟ ସାମଗ୍ରୀ ଭିତରେ କରାଯାଉଥିଲା ବିଦେଶୀ ଟଙ୍କାର ତସ୍କରୀ ।

ବିଦେଶୀ ଟଙ୍କାର ଏଭଳି ଢଙ୍ଗରେ ବି ତସ୍କରୀ ହୋଇପାରେ, ତାହା ଯେକୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ । ଆଇନ୍ ଆଖିରେ ଧୂଳି ଦେଇ କିଛି ଏହିଭଳି ଭାବେ ବିଦେଶୀ ଟଙ୍କାର ତସ୍କରୀ ଚଳାଇଥିଲେ ଅପରାଧୀ । ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଜଣେ ବ୍ୟକ୍ତିକୁ ସନ୍ଦେହ କରି ଅଟକ ରଖିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ଯବାନ ।

ସେହି ବ୍ୟକ୍ତିଜଣଙ୍କୁ ସନ୍ଦେହ କରି ଅଟକ ରଖିବା ପରେ, ଜିନିଷପତ୍ରକୁ କଡା ଯାଂଚ କରାଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଗରେ ରହିଥିଲା ପୁଳା ପୁଳା ବାଦାମ ଏବଂ ବିସ୍କୁଟ ପ୍ୟାକେଟ୍ । ତେବେ ବାଦମ ଆଉ ଏତେ ବିସ୍କୁଟ ଦେଖି ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ । ଆଉ ଯେତେବେଳେ, ବିସ୍କୁୁଟ ପ୍ୟାକେଟ୍ ଗୁଡିକ ଖୋଲାଯାଇଥିଲା, ଏବଂ ବାଦାମ ଗୁଡିକ ଛଡାଯାଇଥିଲା, ସେତେବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଥିଲା, ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ସିଲ୍ ହୋଇଥିବା ବିସ୍କୁଟ ପ୍ୟାକେଟ୍ ଏବଂ ବାଦମ ଭିତରେ ରହିଥିଲା ବିଦେଶୀ ନୋଟ୍ । ଆଇନ୍ ଆଖିରେ ଧୂଳିଦେଇ ଚାଲିଥିଲା ବଡ ଧରଣର ତସ୍କରୀ । ସିଆଇଏସଏଫର ସୂଚନା ଅନୁଯାୟୀ, ଜବତ କରାଯାଇଥିବା ବିଦେଶୀ ନୋଟର ଭାରତୀୟ ମୂଲ୍ୟ ପାଖାପାଖି ୪୫ ଲକ୍ଷ ଟଙ୍କା ହେବ । ଯାହାର ଚାଲିଥିଲା ଚୋରାଚାଲାଣ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ବିଦେଶୀ ନୋଟ୍ ଜବତ ହୋଇଛି, ତାହା ସାଉଦିଆରବ, କତାର, କୁଏତ ଏବଂ ଓମାନର ଟଙ୍କା । ଯାହାକୁ ଅତି ଚତୁରତାର ସହ ନେଇଯାଉଥିଲା ଅପରାଧୀ ।