ଜମ୍ମୁ-କାଶ୍ମୀର କୁଲଗାଁଓରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ! ଜଣେ ଆତଙ୍କବାଦୀ ନିହତ

88

କନକ ବ୍ୟୁରୋ: ଦକ୍ଷିଣ କାଶ୍ମୀରର କୁଲଗାଓଁର ବେହିବାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀକୁ ନିହତ କରିଛନ୍ତି । ନିହତ ଆତଙ୍କବାଦୀ ଲସ୍କର କମାଣ୍ଡର ଇସଫାକ ପଦର ବୋଲି ସୂଚନା ମିଳିଛି । ଏବେବି ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସେପଟେ ପୁଂଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ ।

ପାକିସ୍ତାନ ପଟୁ ହୋଇଥିବା ଅସ୍ତ୍ରବୀରତି ଉଲ୍ଲଂଘନରେ ବିଏସଏଫ ସବଇନସପେକ୍ଟର ସହିଦ ହୋଇଛନ୍ତି । ସେହିପରି ଗତକାଲି ରାତିରେ ଶ୍ରୀନଗର ପଂଥା ଚୌକରେ ଜମ୍ମୁ-କାଶ୍ମୀର ପୁଲିସ ବସ୍ ଉପରକୁ ଗୁଳି ଚାଳନା କରିଥିଲେ ଆତଙ୍କବାଦୀ । ଏଥିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୮ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି ।

ସେପଟେ ଇଦ୍ ଅବସରରେ ସମୁହ ନମାଜ ପାଠ ପରେ ଶ୍ରୀନଗରରେ ଉତ୍ତେଜନା ଦେଖାଦେଇଛି । ଶ୍ରୀନଗରର କୁଲଗାଓଁ ଓ ଅନନ୍ତନାଗରେ ପୁଲିସ ଓ ସ୍ଥାନୀୟଲୋକେ ମୁହାଁମୁହିଁ ହୋଇଛନ୍ତି । ବେହିବାଗରେ ଲସ୍କର କମାଣ୍ଡରର ମୃତ୍ୟୁକୁ ନେଇ ପ୍ରତିବାଦ କରିଛନ୍ତି ସ୍ଥାନୀୟଲୋକେ । ସୁରକ୍ଷାକର୍ମୀଙ୍କ ଉପରକୁ ଢେଲାପଥର ମାଡ କରିଛନ୍ତି ସ୍ଥାନୀୟଲୋକେ । ପ୍ରଦର୍ଶନକାରୀଙ୍କୁ ଆୟତ କରିବାକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୁଲିସ ।