ଦେଶର କୌଣସି ମସଜିଦକୁ ପ୍ରଥମଥର ପାଇଁ ଯିବେ ମୋଦି! ସାଙ୍ଗରେ ରହିବେ ସିଂଜୋ ଆବେ

67

କନକ ବ୍ୟୁରୋ : ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏଥର ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଗୁଜରାଟରେ ହେବ ଦ୍ୱିପାକ୍ଷିକ ବୈଠକ । ଗୁଜରାଟରେ ସିଂଜୋ ଆବେଙ୍କୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ ମୋଦି । ବିମାନବନ୍ଦରରୁ ଏକ ବିଶାଳ ରୋଡ ଶୋ କରିବେ ଉଭୟ ନେତା । ପ୍ରାୟ ୮ କିଲୋମିଟର ଲମ୍ବାର ଏହି ରୋଡ ଶୋ ବିମାନବନ୍ଦରରୁ ଆରମ୍ଭ ହୋଇ ସାବରମତୀ ଆଶ୍ରମରେ ଶେଷ ହେବ । ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ସ୍ୱାଗତ କରିବା ପାଇଁ ଗୁଜରାଟର ରାସ୍ତାଘାଟକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି ।

PM Modi in Tokyoଦୁଇଦିନଆ ଗସ୍ତରେ ଆସିଥିବା ସିଂଜୋ ମୋଦିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ । ଏଥିସହ ଗୁଜରାଟର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି । ଆଜି ସିଂଜୋ ଅହମ୍ମଦାବାଦ ସ୍ଥିତ ପ୍ରସିଦ୍ଧ ସିଦ୍ଦି ସୟଦ ମସଜିଦ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ସିଂଜୋଙ୍କ ମସଜିଦ ପରିଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ସିଂଜୋଙ୍କ ସହ ମୋଦି ମଧ୍ୟ ମସଜିଦ ଯିବାର କାର୍ଯ୍ୟକ୍ରମ ରହିଛି ।

ମୋଦିଙ୍କ ମସଜିଦ ପରିଦର୍ଶନ ଏବେ ଦେଶବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପ୍ରଥମଥର ପାଇଁ ଦେଶର କୌଣସି ମସଜିଦ୍ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ରେ ମୋଦି ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ତା ପୂର୍ବରୁ ମଧ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ମଧ୍ୟ କୌଣସି ମସଜିଦ ଯାଇନଥିଲେ ମୋଦି ।

masjid 3ତେବେ ପ୍ରଧାନମନ୍ତ୍ରୀ ମୋଦି ସିଦ୍ଦି ସୟଦ ମସଜିଦ ପରିଦର୍ଶନ ବେଳେ ସିଂଜୋଙ୍କ ଗାଇଡ ଭୂମିକାରେ ନଜର ଆସିବେ । ପ୍ରଥମଥର ଦେଶର କୌଣସି ମସଜିଦକୁ ଯାଉଥିବା ମୋଦି ମସଜିଦର ବୈଶିଷ୍ଟ୍ୟ ବିଷୟରେ ସିଂଜୋଙ୍କୁ ଅବଗତ କରାଇବେ । ସନ୍ଧ୍ୟା ସମୟରେ ଏହି ମସଜିଦର ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଥାଏ । ଏହି ମସଜଦ୍ର ଏକ ବିଶେଷତା ହେଉଛି ଯେ, ସନ୍ଧ୍ୟା ସମୟରେ ଅସ୍ତଗାମୀ ସୂର୍ଯ୍ୟ କିରଣ ଏହି ମସଜିଦ ଉପରେ ପଡିଥିବାର ଦୃଶ୍ୟ ବେଶ ଉପଭୋଗ୍ୟ । ଏହାଛଡା ଦୁଇ ନେତାଙ୍କୁ ଗୁଜୁରାଟର ଐତିହାସିକ ସ୍ଥାନ ଉପରେ ପ୍ରସ୍ତୁତ ହୋଇଥିବା କାହାଣୀ ଦେଖାଯିବ । ଆଜି ସନ୍ଧ୍ୟାରେ ଦୁଇ ନେତା ୬ଟା ବାଜି ୧୫ ମିନିଟରେ ମସଜିଦ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସିଦ୍ଦି ସୟଦ ମସଜିଦର ବିଶେଷତା :

masjid 1ଅହମ୍ମଦାବାଦରେ ଅବସ୍ଥିତ ଥିବା ଏହି ମସଜିଦ ସିଦ୍ଦି ସୟଦ କି ଜୋଲି ନାମରେ ପରିଚିତ । ୧୫୭୩ ମସିହାରେ ସୁଲତାନଙ୍କ ଶାସନ ସମୟରେ ଏହି ମସଜିଦ ନିର୍ମାଣ କରାଯାଇଥିଲା । ପଥରରେ ନିର୍ମିତ ହୋଇଥିବା ମସଜିଦ୍ ଜାଲି ଗଛ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଇଣ୍ଡୋ-ଇସଲାମିକ ବାସ୍ତୁକଳାକୁ ନେଇ ନିର୍ମିତ ହୋଇଥିବା ଏହି ମସଜିଦ ସମ୍ପୂର୍ଣ୍ଣ ଭାବେ ହଳଦିଆ ପଥରରେ ନିର୍ମିତ । ଏବେ ଏହି ମସଜିଦ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ବ୍ରିିଟିଶ ଶାସନ କାଳରେ ଏହି ମସଜିଦକୁ ଅଫିସ ଭାବେ ବ୍ୟବହାର କରୁଥିଲେ ଇଂରେଜ ।

ତେବେ ଏହା ପୂର୍ବରୁ ମଧ୍ୟ ୨୦୧୫ରେ ମୋଦି ୟୁଏଇ ଗସ୍ତ ସମୟରେ ଆବୁଧାବି ସ୍ଥିତ ପ୍ରସିଦ୍ଧ ଶେଖ ଜାୟଦ ମସଜିଦ ପରିଦର୍ଶନ କରିଥିଲେ । ଆବୁଧାବିର ରାଜାଙ୍କ ସହ ମୋଦି ମସଜିଦ ପରିଦର୍ଶନ କରିଥିଲେ ସେତେବେଳେ ମୋଦିଙ୍କ ଫଟୋ ପୂରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

first-Bullet-Trains-Indiaଏସବୁ ବାଦ୍ ଜାପାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ସବୁଠୁ ଅଧିକ ଫୋକସ୍ ରହିବ ବୁଲେଟ୍ ଟ୍ରେନ୍ ଉପରେ । କାରଣ ମୋଦି ଦେଖିଥିବା ସ୍ୱପ୍ନ ଅନୁଯାୟୀ ୨୦୨୨ ସୁଦ୍ଧା ଭାରତରେ ଗଡ଼ିବ ବୁଲେଟ୍ ଟ୍ରେନ୍ । ଯେଉଁଥିରେ ଜାପାନ ଯୋଗାଇବ ସମସ୍ତ ପ୍ରକାର ସହାୟତା ଓ କୌଶଳ । ୨୦୨୨ରେ ବୁଲେଟ ଟ୍ରେନ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୫୦୮ କିଲୋମିଟର ମୁମ୍ବାଇ-ଅହମ୍ମଦାଦ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧,୧୦,୦୦୦ କୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇଛି । ଏଥିରୁ ୮୮ ହଜାର କୋଟି ଟଙ୍କା ଜାପାନ ଋଣ ଆକାରରେ ଦେବ ଓ ଋଣକୁ ୫୦ ବର୍ଷରେ ପରିଷୋଧ କରିବ ଭାରତ । ଏଥିପାଇଁ ଭାରତ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ତେବେ ଦିଲ୍ଲୀ ପରିବର୍ତ୍ତେ ଗୁଜୁରାଟରେ ହେବ ଦ୍ୱାପାକ୍ଷିକ ଆଲୋଚନା । ଜାପାନ ପ୍ରଧାନମନ୍ତ୍ରୀ ଗୁଜୁରାଟରେ ପହଞ୍ଚିବା ପରେ ମୋଦି ତାଙ୍କୁ ସ୍ୱାଗତ କରିବେ ।

gujuratଗୁଜୁରାଟରେ ପହଞ୍ଚିବା ପରେ ପ୍ରାୟ ୮କିଲୋମିଟର ବିଶିଷ୍ଟ ଏହି ରୋଡ ଶୋ କରିବେ ମୋଦି ଓ ସିଂଜୋ । ଏହି ରୋଡ ଶୋ ଗାନ୍ଧୀନଗର ବିମାନବନ୍ଦରରୁ ଆରମ୍ଭ ହୋଇ ସାବରମତୀ ଆଶ୍ରମରେ ଶେଷ ହେବ । ଏହି ରୋଡ ଶୋ ପାଇଁ ସ୍ୱତନ୍ତ୍ର ସିଙ୍ଗିଙ୍ଗ୍ ଟ୍ରୁପ୍ଙ୍କୁ ନିୟୋଜିତ କରାଯାଇଛି । ୮ କିମି ବିଶିଷ୍ଟ ରୋଡ ଶୋରେ ପ୍ରାୟ ୨୮ଟି ସ୍ଥାନରେ ଏହି ସିଙ୍ଗିଙ୍ଗ୍ ଟ୍ରୁପ୍ ରହିବେ । ଏହି ବିଶାଳ ର୍ୟାଲି ପାଇଁ ୯୦୦୦ ସୁରକ୍ଷା କର୍ମୀ ମୁତୟନ କରାଯାଇଛି ।

ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏହି ସୁରକ୍ଷା କର୍ମୀ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସୁରକ୍ଷା ପାଇଁ ମୁତୟନ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ସ୍ୱାଗତ କରିବା ପାଇଁ ଗାନ୍ଧିନଗରରେ ସଜେଇ ହୋଇଛି ସାବରମତି ମଠ । ରଙ୍ଗବେରଙ୍ଗ ଆଲୋକମାଳା ମଠକୁ ସଜାଇବା ସହ ଗାନ୍ଧିନଗରରେ ରାସ୍ତାଘାଟ ସବୁ ରଙ୍ଗୀନ୍ ଲାଇଟ୍ରେ ସଜେଇ ହୋଇଛି ।

ଏହା ସହ ଦୁଇ ଦେଶର ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ଗାନ୍ଧି ଆଶ୍ରମକୁ ଯିବେ । ରାତିରେ ଉଭୟ ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ଗୁଜରାଟି ଖାଦ୍ୟ ପରଷା ଯିବ । ଏଥିରେ ରହିବ ଗୁଜରାଟର ଢୋକଲା, ମିଠା ଓ ମୁଗଡାଲି ଭଳି ସୁସ୍ୱାଦୁ ବ୍ୟଞ୍ଜନ ।