୨୦୨୦ରେ ପ୍ରଭୁଙ୍କ ‘ରଘୁନାଥ ବେଶ’ । ୧୧୫ ବର୍ଷ ପରେ ପ୍ରଭୁଙ୍କ ଦୁର୍ଲଭ ବେଶ । ହୀରା, ନୀଳା, ମୋତି, ମାଣିକରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ରାମ ଅଭିଷେକ ସମୟର ବିରଳ ଦରବାର ଦୃଶ୍ୟ ଶୋଭା ପାଇବ

247

କନକ ବ୍ୟୁରୋ: ୨୦୨୦ ମସିହାରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦୁର୍ଲଭ ରଘୁନାଥ ବେଶ। ୧୧୫ ବର୍ଷ ପରେ ପ୍ରଭୁଙ୍କୁ ଏହି ବିରଳ ବେଶରେ ଦର୍ଶନ କରିବାର ଅବକାଶ ଜୁଟିବ। ହୀରା, ନୀଳା, ମୋତି, ମାଣିକରେ ସଜେଇ ହେବେ ଚତୁର୍ଧା ମୂର୍ତି। ରାମ ଅଭିଷେକ ସମୟର ବିରଳ ଦରବାର ଦୃଶ୍ୟ ଶୋଭା ପାଇବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍ ଏବଂ ‘ନାଲ୍କୋ ନଗର ମନ୍ଦିର କମିଟି’ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ବିଶେଷ ଉତ୍ସବରେ ଯୋଗଦେଇ ସେ କହିଛନ୍ତି ଯେ, ଏଥିପାଇଁ ଆମକୁ ଏବେଠୁ ସଂକଳ୍ପ ନେଇ ଆଗେଇବାକୁ ପଡ଼ିବ। ଏଥିସହ ଆସନ୍ତା ୩ରୁ ୪ ମାସ ମଧ୍ୟରେ ନୀତି ସବ୍ କମିଟିରେ ଏ ବିଷୟରେ ଆଲୋଚନା କରାଯିବ। ୧୯୦୫ ମସିହାରେ ଏହି ବେଶ ଶେଷଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ଏତେ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା ଯେ ଏହାକୁ ସମ୍ଭାଳି ହୋଇ ନଥିଲା। ତେଣୁ ଆଜିର ଦିନରେ ମଧ୍ୟ ଯେମିତି ଏହି ବେଶ ଦର୍ଶନକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବ। ଏଥିପାଇଁ ଏବେଠୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଥିସହିତ ଏହି ବେଶ ସମ୍ବନ୍ଧରେ ଏତେ ଆଲୋଚନାଚକ୍ର ହେବା ଆବଶ୍ୟକ, ଯେମିତି ଆମ ଉପରେ ୨୦୨୦ ମସିହା ବେଳକୁ ଏହି ବେଶ କରିବା ପାଇଁ ଚାପ ପଡ଼ିବ।

ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସ, ମାଦଳାପାଞ୍ଜି ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧୫୭୭ ମସିହାରେ ରେ ପ୍ରଥମ ଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା। ସେହିଭଳି ୧୭୩୯ ମସିହାରେ ଦ୍ବିତୀୟଥର ଏବଂ ପରେ ୧୮୦୯, ୧୮୩୩, ୧୮୪୨, ୧୮୯୩, ୧୮୯୬ ଏବଂ ୧୯୦୫ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିବା ସୂଚନା ମିଳେ। ଇତି ମଧ୍ୟରେ ୯ଥର ବେଶ ଅନୁଷ୍ଠିତ ହୋଇସାରିଛି। ୧୯୬୯ ମସିହାରେ ଏହି ବେଶ ପାଇଁ ବାବା ଜଗତାନନ୍ଦ ଦାସ ଅପିଲ୍ କରିଥିଲେ। କିନ୍ତୁ ଆୟୋଜନରେ ସଫଳ ନହେବାରୁ ବେଶ ସମ୍ଭବ ହୋଇପାରି ନଥିଲା। ୧୯୮୩ ମସିହାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ, ସେବାୟତ ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହି ବେଶ କରିବା ପାଇଁ ଆଲୋଚନା ହୋଇଥିଲା। ତାହା ବି ସଫଳ ହୋଇପାରିନଥିଲା। ତେଣୁ ୨୦୨୦ ମସିହାରେ ଯଦି ଏହି ବେଶ ହୁଏ ତେବେ ଦୀର୍ଘ ୧୧୫ ବର୍ଷ ପରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନର ସୁଯୋଗ ପାଇବେ।