ଉଜ୍ଜଳା ହିତାଧିକାରୀଙ୍କ ପାଇଁ ଖୁସି ଖବର ! ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ନଷ୍ଟ ହୋଇଯାଇଥିଲେ ମାତ୍ର ୨୦୦ ଟଙ୍କାରେ ପାଇବେ ନୂଆ ଗ୍ୟାସ୍ ସିଲିଣ୍ଡର ।

32

କନକ ବ୍ୟୁରୋ : ଓଡିଶାରେ ତିତଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଘରେ ବନ୍ୟା ପାଣି ପଶିଯାଇଥିବାରୁ ସବୁ ଆସବାବପତ୍ର ନଷ୍ଟ ହୋଇଯାଇଛି । ତେବେ ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ତିନୋଟି ତୈଳ ବିତରଣ କମ୍ପାନି । ବନ୍ୟା ସମୟରେ ଯେଉଁ ଏଲପିଜି ଉଜ୍ଜଳା ହିତାଧିକାରି ମାନଙ୍କ ଗ୍ୟାସ ହଜିଯାଇଛି ସେମାନଙ୍କୁ ମାତ୍ର ୨୦୦ଟଙ୍କା ମୂଲ୍ୟରେ ନୂତନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ।

ସେହିଭଳି ଅନ୍ୟାନ୍ୟ ଘରୋଇ ଉପଭୋକ୍ତା ମାନଙ୍କୁ ୧୨୦୦ଟଙ୍କାରେ ନୂତନ ସିଲିଣ୍ଡର ଯୋଗାଇ ଦିଆଯିବ । ଏଥିସହ ଗ୍ୟାସ ସମ୍ବନ୍ଧିତ କାଗଜପତ୍ର ହଜିଯାଇଥିଲେ କିମ୍ବା ନଷ୍ଟ ହୋଇଯାଇଥିଲେ ପୁଣି ଥରେ ନୂଆ କାଗଜ ତିଆରି କରି ଯୋଗାଇଦେବା ପାଇଁ ତୈଳ ବିତରଣ କମ୍ପାନି ମାନେ ସହଯୋଗ କରିବେ ବୋଲି ଆଇଓସିଏଲ ଚିଫ ଜେନେରାଲ ମ୍ୟାନେଜର ପ୍ରିତିସ ଭାରତ ସାମ୍ବାଦିକ ସମ୍ମିଳନି କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ କ୍ୟାମ୍ପ ମାନ ଆୟୋଜନ କରାଯିବ ଓ ଏହାର ସୂଚନା ଗ୍ୟାସ ବିତରକ ଓ ଅନ୍ୟାନ୍ୟ ମାଧ୍ୟମରେ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚାଇଦିଆଯିବ ।