ଛାଡ଼ପତ୍ରକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଏଣିକି ୬ମାସ ନୁହେଁ ସପ୍ତାହକ ମଧ୍ୟରେ ନେଇପାରିବେ ଡିଭୋର୍ସ

68

କନକ ବ୍ୟୁରୋ: ଏଥର ୬ମାସ ନୁହେଁ ସପ୍ତାହରେ ନେଇପାରିବେ ଛାଡ଼ପତ୍ର । ମଙ୍ଗଳବାର କିଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁ ବିବାହିତ ଦମ୍ପତିଙ୍କୁ ଅଲଗା ହେବା ପାଇଁ ୬ମାସ ଅପେକ୍ଷା କରିବାକୁ ପଡିବନି । ବୈବାହିକ ନିୟମ ଅନୁସାରେ, ଗୋଟିଏ ସପ୍ତାହ ମଧ୍ୟରେ ଛାଡ଼ପତ୍ର ନେଇପାରିବେ ।

ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ ଆପୋଷ ବୁଝାମଣା ହୋଇଥିଲେ ହିନ୍ଦୁ ବିବାହ ଆଇନରେ ଥିବା ୬ମାସର ପ୍ରତିକ୍ଷା ସମୟ ବାଧ୍ୟତାମୂଳକ ହେବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ହିନ୍ଦୁ ବିବାହ ଆଇନରେ ଛାଡ଼ପତ୍ର ପାଇଁ ଆବେଦନ ହେବାପରେ ବୁଝାବଣା ହେବାର ସମ୍ଭାବନାକୁ ଆଖି ଆଗରେ ରଖି କୋର୍ଟ ୬ମାସ ସମୟ ପ୍ରଦାନ କରିଥାନ୍ତି ।

ଏହି ଅବଧି ମଧ୍ୟରେ ଦମ୍ପତିଙ୍କୁ ଏକାଠି କରିବାକୁ ମଧ୍ୟସ୍ଥତା ଓ ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ତେବେ ପୂର୍ବରୁ ଏହି ଉଦ୍ୟମ ବିଫଳ ହୋଇଥିଲେ ଅଥବା ପତିପତ୍ନୀ ବର୍ଷେ ହେଲା ପୃଥକ ରହୁଥିଲେ ଧାରା ୧୩ବି (୨) ଅନୁଯାୟୀ କୁଲିଙ୍ଗ ପିରିୟଡ ବାଧ୍ୟତାମୂଳକ ହେବନାହିଁ । ବିବାହକୁ ଯେକୌଣସି ସମୟରେ ରଦ୍ଦ କରାଯାଇପାରିବ ବୋଲି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ୟୁୟୁ ଲଲିତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।