ସଂକ୍ରମଣର ସଂକଟ ରୋକିବାକୁ ସରକାରଙ୍କ ସଟ୍ ଡାଉନ୍ ସୁତ୍ର । ଭୁବନେଶ୍ୱର, କଟକ , ଭଦ୍ରକ ପରେ ଗଂଜାମ ଜିଲ୍ଲା ହେଲା ସଟ୍ ଡାଉନ୍ : ଦିନ ୧୨ରୁ ସକାଳ ୭ଟା ଯାଏଁ ସବୁ କିଛି ବନ୍ଦ

654

କନକ ବ୍ୟୁରୋ : ଜାଗା ଜାଗାରେ ବ୍ୟାରିକେଡ୍ । ଛକ ଛକରେ ପୋଲିସ । ଶୂନଶାନ ସାରା ସହର । ଖାଲିପଡିଛି ରାଜଧାନୀର ରାସ୍ତାଘାଟ । କାଁ ଭାଁ ଗାଡି ଚାଲୁଥିଲା । ତାହା ବି ପୋଲିସ ଭ୍ୟାନ୍, ବିଏମସି ଗାଡି ନଚେତ୍ ଆମ୍ବୁଲାନ୍ସ ଥିଲା । ଜରୁରୀ କାମରେ ବାହାରିଥିବା ଲୋକଙ୍କୁ ତନ୍ନ ତନ୍ନ କରି ଯାଂଚ୍ କରିଥିଲା ପୋଲିସ ।

ରାସ୍ତା ଉପରେ ହାତରେ ଲାଠି ଧରି ପହରା ଦେଉଥିଲା ପୋଲିସ । ସାରା ସହରରେ ପୋଲିସ ଛାଉଣୀ । ଗଳି ଗଳିରେ ପୋଲିସ ପଇଁତରା ବି ମାରୁଥିଲା । ସାଇରନ୍ ଦେଇ ସତର୍କ କରୁଥିଲା ପିସିଆର । ଆକ୍ରାନ୍ତ ଅଂଚଳକୁ ସିଲ୍ କରିବା ସହ ସଂକ୍ରମିତ ଜୋନ୍ ଘୋଷଣା ହୋଇଥିଲା । ଆଇନ ଶୃଙ୍ଖଳା ଓ ସୁରକ୍ଷା ପାଇଁ ରାଜଧାନୀରେ ଛାଇଯାଇଥିଲେ ୧୨ ପ୍ଲାଟୁନ୍ ପୋଲିସ ।

ହଜାରେ ବର୍ଷର ଶହର କଟକ ବି ଥମିଯାଇଛି । କର୍ଫ୍ୟୁ ପାଇଁ ଶୂନଶାନ ହୋଇଯାଇଥିଲା ସିଲଭରସିଟି । ଦୋକାନ ବଜାର ବନ୍ଦ । ରାସ୍ତାଘାଟ ଖାଲି । ଲୋକ ଘରୁ ଗୋଡ କାଢିନଥିଲେ । କିଏ ସଚେତନ ଥିଲା ତ ଆଉ କାହା ଭିତରେ ଥିଲା ଭୟ । ପ୍ରଶାସନ ଦେଇଥିବା କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ବାଧ୍ୟକରିଥିଲା ଲୋକଙ୍କୁ ଘରେ ରହିବାକୁ ।

କରୋନା ପାଇଁ ଜାରି ହୋଇଥିବା କର୍ଫ୍ୟୁରେ ବନ୍ଦ ହୋଇଯାଇଛି ଭଦ୍ରକ । ଦୋକାନ ବଜାର ବନ୍ଦ ରହିଥିଲା । ଔଷଧ ଦୋକାନ ବି ଖୋଲିନଥିଲା । ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳକୁ ସମ୍ପୂର୍ଣ୍ଣ ସଟଡାଉନ କରିଥିଲା ଜିଲ୍ଲାପ୍ରଶାସନ । ଲୋକେ ନିଜ ନିଜ ଘରେ ରହିଥିଲେ । କରୋନା ସଂକ୍ରମଣ ରୋକିବାକୁ ସରକାର ଜାରି କରିଥିବା ସଟଡାଉନ୍କୁ ସମର୍ଥନ କରିଛନ୍ତି ଭଦ୍ରକବାସୀ ।