ଫୋନରେ ଚାର୍ଜ ସରିଗଲା ବୋଲି କକପିଟରେ ପଶିଗଲେ ଯାତ୍ରୀ ! ବିମାନରୁ ବାହାର କରିଦେଲେ କର୍ମଚାରୀ ।

35

ଦିନକୁ ଦିନ ବଢିଚାଲିଛି ମୋବାଇଲ ଫୋନର ବ୍ୟବହାର । ତେବେ ଲୋକମାନେ ମୋବାଇଲ ଫୋନ ସହ ଏତେ ମାତ୍ରାରେ ଯୋଡି ହୋଇଯାଇଛନ୍ତି ଯେ, ମୋବାଇଲର ବ୍ୟାଟେରୀ ଡାଉନ୍ ହେବା କ୍ଷଣି ଲୋକମାନେ ଏମିତି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି, ଯେମିତିକି ଦୁନିଆ ଧ୍ୱଂସ ହେବାକୁ ଯାଉଛି । ଏବଂ ସଙ୍ଗେ ସଙ୍ଗେ କିଭଳି ବ୍ୟାଟେରୀକୁ ଚାର୍ଜ କରିହେବ ସେନେଇ ଉପାୟ ବାହାର କରିଥାନ୍ତି । ତୁରନ୍ତ ମୋବାଇଲକୁ ଚାର୍ଜ କରିଥାନ୍ତି । ଠିକ୍ ଏମିତି ହିଁ କିଛି ଘଟିଥିଲା ମୁମ୍ବାଇ ଠାରେ । କିନ୍ତୁ ମୋବାଇଲ ଫୋନ ଚାର୍ଜ କରିବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କର ପ୍ରକ୍ରିୟା ଏବଂ ସ୍ଥାନ ଭୁଲ ଥିଲା । ଯେଉଁଥିପାଇଁ ଘଟଣାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

ସୂଚନା ଅନୁଯାୟୀ, ମୁମ୍ବାଇରୁ କୋଲକାତା ପାଇଁ ଉଡାଣ ଭରିବାକୁ ଯାଉଥିବା ବିମାନରେ ସେତେବେଳେ ହଙ୍ଗାମା ହୋଇଥିଲା ଯେତେବେଳେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ମୋବଇଲ ଚାର୍ଜ କରିବା ପାଇଁ କକପିଟରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ଯାତ୍ରୀଜଣଙ୍କୁ ତୁରନ୍ତ ବିମାନରୁ ବାହାର କରିଦିଆଯାଇଥିଲା । ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ନିକଟକୁ ନିଆଯାଇଥିଲା । ଏବଂ ସେଠାରେ ତାଙ୍କୁ ପଚରାଉଚୁରା କରି ଛାଡିଦିଆଯାଇଥିଲା । ଇଣ୍ଡିଗୋର ପ୍ରବକ୍ତା କହିଛନ୍ତି ଯେ, ଏହି ଘଟଣା ସେପ୍ଟେମ୍ବର ୨୪ ତାରିଖର ଅଟେ । ସେହି ସମୟରେ ବିମାନଟି ମୁମ୍ବାଇରୁ କୋଲକାତା ପାଇଁ ଉଡାଣ ଭରିବା ନିମନ୍ତେ ପ୍ରସ୍ତୁତ ହେଉଥିଲା । ସୁରକ୍ଷା ନିୟମ ଉଲଂଘନ ଆଧାରରେ ଯାତ୍ରୀଜଣଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।