ବର୍ଷା ଦିନେ କେଉଁ କେଉଁ ଖାଦ୍ୟ ଶରୀରପକ୍ଷେ କ୍ଷତିକାରକ ଜାଣନ୍ତୁ !

110

ବର୍ଷା ଦିନରେ ଖାଇବା ପିଇବାର ଯତ୍ନ ଅଧିକ ଆବଶ୍ୟକ, କାରଣ ଏ ସମୟରେ ସଂକ୍ରମଣର ଆଶଙ୍କା ବେଶୀ। ବିଶେଷ କରି ଜଣ୍ଡିସ୍ ହେବାର ସମ୍ଭାବନା ଅଧିକ ଥାଏ । ତେବେ ଜାଣନ୍ତୁ ବର୍ଷା ଦିନରେ କେଉଁ କେଉଁ ଖାଦ୍ୟ ପଦାର୍ଥ ଖାଇବା ପ୍ରତି ଆମର ନିୟନ୍ତ୍ରଣ ରହିବା ଉଚିତ।

ପକୋଡ଼ା : ବର୍ଷା ଦିନରେ ଚା ସହିତ ବିଭିନ୍ନ ପ୍ରକାର ପକୋଡ଼ା ଖାଇବା ଅନୁଚିତ । ଏହାଦ୍ୱାରା ପେଟ ଖରାପ ହେବାର ବିଶେଷ ସମ୍ଭାବନା ରହିଥାଏ । ଗରିଷ୍ଠ ଏବଂ ତେଲରେ ଛଣା ଖାଦ୍ୟ ମଧ୍ୟ ବର୍ଜନୀୟ।

ଚାଟ୍‌ : ରାସ୍ତା କଡ଼ରେ ବିକ୍ରି ହେଉଥିବା ଏକ ଲୋକପ୍ରିୟ ଖାଦ୍ୟ ହେଉଛି ଚାଟ୍‌ । ସଂଧ୍ୟା ସମୟରେ ସମସ୍ତେ ଚାଟ୍‌ ଖାଇବାକୁ ବେଶୀ ପସନ୍ଦ କରନ୍ତି। ଚାଟ୍‌, ଭେଲ୍‌ପୁରୀ, ଗୁପ୍‌ଚୁପ୍‌ ଆଦି ଖାଦ୍ୟରେ ବ୍ୟବହାର କରାଯାଉଥିବା ଦହି ଏବଂ ପାଣି ଯୋଗୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଅନ୍ତତଃ ବର୍ଷା ଋତୁରେ ଏସବୁ ଖାଦ୍ୟରୁ ଦୂରେଇ ରହିବା ଶ୍ରେୟସ୍କର ।

ସିଙ୍ଗଡା : ମଇଦା, ଆଳୁ ମସଲା ତଥା ତେଲରେ ଛଣା ହୋଇଥିବା ସ୍ୱାଦିଷ୍ଠ ସିଙ୍ଗଡା ଖାଇବାକୁ ଅନେକଙ୍କୁ ଭଲ ଲାଗିଥାଏ। କିନ୍ତୁ ଏସିଡ଼ିଟି ଓ ଗ୍ୟାସ୍‌ ସମସ୍ୟା ଥିବା ଲୋକେ ସିଙ୍ଗଡା ଖାଇବା ଅନୁଚିତ । ବର୍ଷା ଦିନରେ ଏହା ଆହୁରି ସମସ୍ୟା ସୃଷ୍ଟି କରିପାରେ। ବର୍ଷା ଦିନରେ କଚୋଡ଼ି ଖାଇବା ମଧ୍ୟ ଦେହ ପ୍ରତି ଅହିତକର।

ଚାଇନିଜ୍‌ ଫାଷ୍ଟ୍‍ ଫୁଡ୍‌ : ଆଜିକାଲି ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ଚାଓମିନ୍‌, ମୋମୋ, ନୁଡୁଲ୍‌ସ୍‌ ଆଦି ଚାଇନିଜ୍‌ ଖାଦ୍ୟ ବିକ୍ରି ହେଉଛି । ଅନେକ ସମୟରେ ଅବିଶୋଧିତ ପାଣିରେ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ତାହା ଖାଇଲେ ଶରୀର ଅସୁସ୍ଥ ହେବାର ଆଶଙ୍କା ରହିଛି । କୃତ୍ରିମ ରଙ୍ଗ ଏବଂ ପୋଡ଼ା ତେଲରେ ପ୍ରସ୍ତୁତ କରାଯାଉଥିବା ଚାଇନିଜ୍‌ ଖାଦ୍ୟ ପାଟିକୁ ଯେତିକି ସୁଆଦିଆ ଦେହ ପାଇଁ ସେତିକି ପରିମାଣରେ ଖରାପ । ଏଥିରୁ ଜଳ ଓ ବାୟୁ ବାହିତ ରୋଗ ହୋଇପାରେ। ଚାଇନିଜ୍‌ ଖାଦ୍ୟରେ ମୋନାସୋଡିୟମ୍‌ ପରିମାଣ ଅଧିକ ଥିବାରୁ ଶରୀରରେ ଶ୍ୱାସକ୍ରିୟା ସମସ୍ୟା, ମୁଣ୍ଡବିନ୍ଧା, ଅଧକପାଳି, ଅରୁଚି, ପାଟି ଜଳାପୋଡ଼ା, ପେଟବ୍ୟଥା ଆଦି ରୋଗ ସୃଷ୍ଟି ହୋଇଥାଏ । ବର୍ଷା ସମୟରେ ଏହାର କୁପ୍ରଭାବ ଅଧିକ ଦେଖାଯାଇଥାଏ।

ଜୁସ୍‌ : ବର୍ଷା ଋତୁରେ ଜୁସ୍‌ ପିଇଲେ ଠିକ୍‌ ଭାବରେ ହଜମ ହୋଇପାରେନାହିଁ। କେତେକ ସ୍ଥାନରେ ପଚାଶଢ଼ା ଫଳ ତଥା ଫଳକୁ କାଟି ବହୁ ସମୟ ଧରି ରଖି ପରେ ଜୁସ୍‌ ପ୍ରସ୍ତୁତ କରି ବିକ୍ରି କରାଯାଇଥାଏ। ପଚା ଫଳରୁ ପ୍ରସ୍ତୁତ ଜୁସ୍‌ ପିଇବା ବିପଦଜନକ ହୋଇପାରେ। ଏହାଦ୍ୱାରା ଝାଡ଼ାବାନ୍ତି ମଧ୍ୟ ହୋଇପାରେ। ବର୍ଷାଋତୁ ଆରମ୍ଭ ହେଲା ପରେ ଆମ୍ବ ଖାଇବା ବନ୍ଦ କରିଦେବା ଉଚିତ। ଅମୃତଭଣ୍ଡା, ନାସ୍‌ପାତି, କଦଳୀ ତଥା କୋଳି ଜାତୀୟ ଫଳ ଖାଇପାରିବା।

ସାମୁଦ୍ରିକ ଖାଦ୍ୟ : ବର୍ଷା ଋତୁ ହେଉଛି ମାଛ ଓ ଚିଙ୍ଗୁଡ଼ିମାନଙ୍କ ପ୍ରଜନନ ସମୟ। ଏହି କାରଣରୁ ବର୍ଷା ଦିନରେ ସାମୁଦ୍ରିକ ମାଛ ଖାଇବା କ୍ଷତିକାରକ ହୋଇପାରେ। ଅତ୍ୟାବଶ୍ୟକ ହେଲେ ସଜ ମାଛ ଖାଇବା ଉଚିତ।

କାର୍ବନଯୁକ୍ତ ପାନୀୟ : କାର୍ବନଯୁକ୍ତ ପାନୀୟ ଦ୍ରବ୍ୟ ଆମ ଶରୀରରେ ଏନଜାଇମ୍‌ କ୍ରିୟାକୁ ପ୍ରଭାବିତ କରିଥାଏ। ସାଧାରଣତଃ ବର୍ଷା ଦିନରେ ଆମର ପରିପାକ କ୍ରିୟା ମନ୍ଥର ହୋଇଥାଏ । ତେଣୁ ବର୍ଷା ଦିନରେ ଏଭଳି ପାନୀୟ ଗ୍ରହଣ କରିବା ଠିକ୍‌ ନୁହେଁ। ଏହା ବଦଳରେ ବିଶୁଦ୍ଧ ପାଣି କିମ୍ବା ଅଦା ମିଶା ଗରମ ଚା’ ପିଇବା ଶ୍ରେୟସ୍କର।

ଦହି ଓ କ୍ଷୀର : ବର୍ଷା ଋତୁରେ ଦହି ତଥା କ୍ଷୀର ଜାତୀୟ ଖାଦ୍ୟ ଦ୍ରବ୍ୟ ଅତ୍ୟନ୍ତ ସତର୍କତାର ସହିତ ଖାଇବା ଉଚିତ । କଫ ହେଉଥିବା ଲୋକେ ଅଧିକ ସତର୍କ ରହିବାଟା ଭଲ। ବର୍ଷା ଋତୁରେ ଉଷୁମ କ୍ଷୀରରେ ସମାନ୍ୟ ହଳଦୀ ପକାଇ ପିଇବାଟା ଦେହ ପାଇଁ ହିତକର ବୋଲି କୁହାଯାଏ।

 

 ö