ଅଶାନ୍ତ ଦିଲ୍ଲୀରୁ ଆସିଲା ଶାନ୍ତିର ଚିତ୍ର…ଅସହାୟଙ୍କ ପାଇଁ ସାହାରା ସାଜିଛନ୍ତି ମୁସା । ନିଜ ଟଙ୍କାରେ ରୋଷେଇ କରି ଭୋକିଲାଙ୍କ ପେଟରେ ଦେଉଛନ୍ତି ଆହାର

302

କନକ ବ୍ୟୁରୋ: ନାଗରିକତା ନିଆଁରେ ଜଳୁଛି ଦିଲ୍ଲୀ । ନାଗରିକତା ସଂଶୋଧନ ଆଇନକୁ ବିରୋଧରେ ଦିଲ୍ଲୀରେ ହିଂସାକାଣ୍ଡ ଘଟି ବର୍ତ୍ତମାନ ପର୍ଯ୍ୟନ୍ତ ୩୮ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଏବେବି ଶହ ଶହ ଲୋକ ଗୁରୁତର ଭାବେ ଆହତ ହୋଇ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ । ଏପଟେ ଡାକ୍ତରଖାନାରେ ଲାଗିଛି ଆହତଙ୍କ ଲମ୍ବା ଲାଇନ ଆଉ ଡାକ୍ତରଖାନା ବାହାରେ ସମ୍ପର୍କୀୟମାନଙ୍କ ମଧ୍ୟରେ ପଡିଛି ଭାଳେଣି । ତେବେ ଦୁଃଖ-ହିଂସାର ଏହି ଘଡିସନ୍ଧି ମୁହୂର୍ତ୍ତରେ ବି ମାନବିକତାର ପରିଚୟ ଦେଇ ଅସହାୟଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ଲୋକ । ଆଉ ଏହି ଚିତ୍ର ଦିଲ୍ଲୀର ହିଂସାତ୍ମକ ପରିବେଶରେ ଶାନ୍ତିର ଆଶା ସୃଷ୍ଟି କରିଛି ।

ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ମୁସା ଅଲଭି । ଦିଲ୍ଲୀର ଗୁରୁତେଗ ବାହାଦୂର ମେଡିକାଲ ବାହାରେ ଭୋକ ଉପାସରେ ବୁଲୁଥିବା ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ଏହି ଯୁବକ ଜଣକ । ତେବେ ଏଭଳି କାମ କରିବାକୁ ତାଙ୍କୁ କୌଣସି ରାଜନୈତିକ ଦଳ କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇନି ବରଂ ସେ ନିଜେ ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଂଟାଭିଡିଛନ୍ତି । ଏଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳୁଥିବା କହିଛନ୍ତି ମୁସା ଅଲଭି । ତେବେ ଖାଲି ମୁସା ଅଲଭି ହିଁ ନୁହଁନ୍ତି ବରଂ ତାଙ୍କ ଭଳି ଏଭଳି ଅନେକ ଲୋକ ଅଛନ୍ତି । ଯେଉଁମାନେ କି ଏଭଳି ସମୟରେ ପରସ୍ପରକୁ ସହାୟତା କରୁଥିବାର ନଜର ଆସିଛନ୍ତି । କିଏ ଆହତଙ୍କୁ ମେଡିକାଲରେ ପହଂଚାଉଛନ୍ତି ତ ପୁଣି କିଏ ହିଂସାରୁ ରକ୍ଷା କରୁଛନ୍ତି ।

 

ଏଠାରେ ଆମେ କହି ରଖୁଛୁ କି, ହିଂସାକାଣ୍ଡ ମୃତ୍ୟୁ ସଂଖ୍ୟା ୩୯ କୁ ବୃଦ୍ଧି ହୋଇଛି । ସେପଟେ ପୁରା ଅଂଚଳ ଗୁଡିକ ଉପରେ ନଜର ରଖିଛି ପୋଲିସ । ହିଂସାକାଣ୍ଡ ଘଟିଥିବା ଅଂଚଳରେ ପୋଲିସ ଫ୍ଲାଗମାର୍ଚ କରୁଥିବା ବେଳେ ଦିଲ୍ଲୀ ହିଂସା ମାମଲାରେ ଶେଷ ଖବର ସୁଦ୍ଧା ୪୮ଟି ଏଫଆଇଆର ରୁଜ୍ଜୁ ହୋଇଛି । ୩୫୦ଟି ଶାନ୍ତି କମିଟି ବୈଠକ ହୋଇସାରିଛି । ଘଟଣାର ତଦନ୍ତ କରିବାକୁ ୨ଟି ଏସଆଇଟି ଟିମ୍ ଗଠନ ହୋଇଛି । ହିଂସାରୁ ଦୂରେଇ ରହିବାକୁ ଓ ଭାଇଚାରା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛି ପ୍ରଶାସନ ।