ବାତ୍ୟା ଫୋନିକୁ ବର୍ଷେ…ଫଣା ଟେକି ଆସିଥିଲା ଫୋନି । ଝଡ଼ ମାଡ଼ରେ ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା ।

820

କନକ ବ୍ୟୁରୋ : ସବୁଦିନ ପରି ସେଦିନର ସକାଳ ବି ଥିଲା ସ୍ୱାଭାବିକ । କିନ୍ତୁ ବାଦଲ ବଳୟରେ ଭରି ରହିଥିଲା ଆକାଶ, କୋହଲା ପାଗରେ ଦାନ୍ତ ଚିପି ଥରୁଥିଲା ଓଡ଼ିଶା । ଆଉ ଏହି କୋହଲା ପାଗ କେତେବେଳେ ଯେ, କରାଳ ରୂପ ନେଇଯିବ, ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଝଡ ପୂର୍ବର ନୀରବତା ଏତେ ଭୟଙ୍କର ହୋଇପାରେ, ତାର ପରିକଳ୍ପନା ବୈଜ୍ଞାନିକମାନେ ବି ବାରି ପାରିନଥିଲେ । ଭୟଙ୍କର ରୂପରେ ଆସିଲା, ଆଉ ସବୁକିଛି ଛାରଖାର କରିଦେଲା ।

ମେ’ ୩, ୨୦୧୯ । ସମୟ – ସକାଳ ସାଢ଼େ ୮ଟା । ସ୍ଥାନ – ଚନ୍ଦ୍ରଭାଗା ସମୁଦ୍ରକୂଳ । ଫଣା ଟେକି ମାଡ଼ିଆସିଲା ଫୋନି । ଭୟଙ୍କର ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲା ବାତ୍ୟା ଫୋନି । ପ୍ରାୟ ୨୨୦ କିଲୋମିଟର ବେଗରେ ମାଡ଼ି ଆସିଥିଲା ସାମୁଦ୍ରିକ ଝଡ । ପ୍ରକୃତିର ଏମିତି ତାଣ୍ଡବ ବୋଧହୁଏ ଆଗରୁ କେବେ ଦେଖିନଥିଲା ଓଡ଼ିଶା । ଆଶା ଆଶଙ୍କା ଭିତରେ ପୁରୀ ଚନ୍ଦ୍ରଭାଗାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଫୋନି । ସ୍ଥଳଭାଗ ଛୁଇଁବା ପରେ ବିକଟାଳ ଗର୍ଜନ କରି ମାଡି ଆସିଲା ପବନ । ପାଖାପାଖି ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷାରେ ଅଂଟାଭାଙ୍ଗି ପଡିଥିଲା ଅଧା ଓଡ଼ିଶା ।

ବାତ୍ୟା ମାଡ଼ରୁ ବର୍ତିପାରିନଥିଲା ଭୁବନେଶ୍ୱର । କେଇ ଘଂଟା ମଧ୍ୟରେ ବଦଳିଯାଇଥିଲା ରାଜଧାନୀର ରୂପ । ଫଣା ଟେକି ଆସିଲା ଫୋନି, ଆଉ ପାଖାପାଖି ୩ରୁ ୪ ଘଂଟା ଧରି ତାଣ୍ଡବ ରଚିଲା । ଉଜାଡି ଦେଇ ଚାଲିଗଲା ଓଡ଼ିଶାର ସୌନ୍ଦର୍ଯ୍ୟ । ବାତ୍ୟା ଆସିବା ନେଇ ପୂର୍ବରୁ ସୂଚନା ରହିଥିଲେ ମଧ୍ୟ, ପ୍ରକୃତି ଏମିତି ଯେ, ତାଣ୍ଡବ ରଚିବ, ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।

ଫୋନି ସିନା ଫେରିଗଲା, ହେଲେ ସେ ଦେଇଯାଇଥିବା ଦାଗ ଆଉ ଦରଦ ଏତେ ସହଜରେ ଗଲାନି । ଫୋନି ମାଡରେ ଛାରଖାର ହୋଇଯାଇଥିଲା ଅଧା ଓଡିଶା । ଶ୍ରୀହୀନ ହୋଇପଡିଥିଲା ଶ୍ରୀକ୍ଷେତ୍ର । ବାତ୍ୟାର ତାଣ୍ଡବରୁ ବର୍ତିପାରିନଥିଲା ରାଜଧାନୀ ଭୁବନେଶ୍ୱର । ଉପୁଡି ପଡିଥିଲା ବିରାଟ ବିରାଟ ଗଛ, ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା ଘରଦ୍ୱାର । ଶୋଚନୀୟ ହୋଇପଡିଥିଲା ବିଦ୍ୟୁତ ଭିତିଭୂମି । ଆଉ ଭୁଷୁଡି ପଡିଥିଲା ଯୋଗାଯୋଗ ବ୍ୟବସ୍ଥା ।

ବାତ୍ୟା ଫୋନିକୁ ଆଜି ବର୍ଷେ ପୂରିଛି । ହେଲେ ବର୍ଷେ ତଳର ସେ ସମୟ ଆଉ ମୁହୂର୍ତ୍ତ କାହାରି ମନରୁ ଲିଭିନି । ପ୍ରକୃତିର ଏମିତି କରାଳ ତାଣ୍ଡବ ଆଉ କେବେ କେଉଁଠି ନଘଟୁ ।