ଚାଷୀଙ୍କ କୁହୁଡି ଦୁଃଖ: ଘନ କୁହୁଡି ଯୋଗୁଁ ଜଳିଗଲା କାକୁଡି ପତ୍ର, ନଷ୍ଟ ହୋଇଗଲା କୋବି ଫସଲ

ଆଗକୁ ବଜାର ଉପରେ ପଡିବ ପ୍ରଭାବ

98

କନକ ବ୍ୟୁରୋ: ୧୫ ଦିନ ଧରି ଘନ କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଘନ କୁହୁଡ଼ି ଯୋଗୁଁ ଖାଲି ଯେ ଜନଜୀବନ ପ୍ରଭାବିତ ହୋଇଛି ତାନୁହେଁ ବରଂ ଚାଷ ଉପରେ କୁହୁଡିର ପ୍ରଭାବ ପଡିଛି । କୁହୁଡ଼ି ଯୋଗୁଁ ରବି ଋତୁରେ ପନିପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ପୁରୀ ନିମାପଡ଼ା ବ୍ଲକ ବଳଙ୍ଗା ଅଂଚଳର ପନିପରିବା ଚାଷୀ ହତାସ ହୋଇପଡ଼ିଛନ୍ତି ।

ରୋଜଗାର ଆଶାରେ ପନିପରିବା ଚାଷ କରିଛନ୍ତି ପୁରୀ ନିମାପଡ଼ା ବ୍ଲକ ବଳଙ୍ଗାର ଚାଷୀ । ଏହି ଅଂଚଳରେ ଫୁଲକୋବି, ବାଇଗଣ, କାକୁଡି ଭଳି ପରିବା ଚାଷ କରାଯାଇଛି । ଆଉ ଏବେ ଘନ କୁହୁଡ଼ି ଯୋଗୁଁ ସବୁ କିଛି ଉଜୁଡ଼ି ଯିବାକୁ ବସିଛି । ଘନ କୁହୁଡି ଯୋଗୁଁ କୋବି ଚାଷୀ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି । ତଳିଘେରା ନଷ୍ଟ ହୋଇଯାଉଥିବା ବେଳେ ଅମଳ ସମୟରେ ପତ୍ର ପୋଡି ଯାଉଛି । କାବିକଢ ସବୁ ଫୁଟି ନାଲି ପଡିଯାଉଥିବାରୁ ବିକ୍ରି ହୋଇନପାରି ନଷ୍ଟ ହେଉଛି ।

ସେହିଭଳି  କାକୁଡ଼ି ଫଳ ଧରିବା ସମୟରେ କୁହୁଡି ଯୋଗୁଁ ପତ୍ର ପୋଡ଼ିଯିବାରୁ ଅମଳ କମିଯାଉଛି । ସେହିଭଳି ବାଇଗଣ ଓ ଅନ୍ୟାନ୍ୟ ଫସଲର ଅମଳ ଉପରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି । ପରିବା ଅମଳ କମ୍ ହେଲେ ଏହାର ପ୍ରଭାବ ବଜାର ଉପରେ ପଡିବ । ଚାଷୀଙ୍କ ଭଳି ଗ୍ରାହକଙ୍କ ପକେଟ୍ ଉପରେ ମଧ୍ୟ ମାଡ ହେବ । ତେବେ ପ୍ରବଳ କୁହୁଡ଼ି ଯୋଗୁଁ ପନିପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ଆଗକୁ ପନିପରିବା ଦର ବୃଦ୍ଧିର ଆଶଙ୍କା କରାଯାଉଛି ।