ଏଣିକି କମିବ କୁହୁଡ଼ି ! ୨୬ ଓ ୨୭ ତାରିଖରେ କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା

150

କନକ ବ୍ୟୁରୋ : ଏଣିକି କମିବ କୁହୁଡ଼ି । ଆଜି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ । ଅନ୍ୟ ସ୍ଥାନଗୁଡ଼ିକରେ କୁହୁଡ଼ିର ମାତ୍ରା କମିବ । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ରାତିଠାରୁ କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇ ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

http://www.odishabytes.com/

ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ ୨୬ ଓ ୨୭ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ । ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବାକି ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ । ସେହିପରି ୨୭ ଓ ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହାପରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣିଥରେ ଥଣ୍ଡା ଫେରିବ ବୋଲି କୁହାଯାଇଛି ।

ପାଣିପାଗ ବିଶେଷଜ୍ଞ ତଥା ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଉପକୂଳ ଓଡ଼ିଶା ଓ ଏହାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ଶୁକ୍ରବାର ପର୍ଯ୍ୟନ୍ତ କୁହୁଡ଼ି ଲାଗିରହିବ। ଏହାପରେ କିଛିଟା ହ୍ରାସ ପାଇବ । ୨୬ ତାରିଖଠାରୁ କୁହୁଡ଼ି ରହିବ ନାହିଁ । ରାତିର ତାପମାତ୍ରା ସ୍ଥିର ରହିବ । କୌଣସି ପରିବର୍ତନ ହେବନି । ୨୭ ଓ ୨୮ ତାରିଖରେ ରାତିର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ତେବେ ଏହାପରେ ପୁଣି ଥଣ୍ଡା ଲେଉଟିବ ।
fog in odisha
ସେପଟେ ପଶ୍ଚିମ ଓଡ଼ିଶାର ସୀମାନ୍ତବର୍ତୀ ଅଞ୍ଚଳରେ ବୁଧବାର ଓ ଗୁରୁବାର ତାପମାତ୍ରା ବଢ଼ିବ । ୨୬ ଓ ୨୭ ତାରିଖରେ ପାଗ ମେଘୁଆ ରହିବ। ହାଲକା ବର୍ଷା ହେବ । ମେଘୁଆ ପାଗ ହେତୁ ତାପମାତ୍ରା କମିବ। ଦିନରେ ଦେହକୁ ଥଣ୍ଡା ଲାଗିବ । ରାତିର ତାପମାତ୍ରା କମିବ ବୋଲି ସେ କହିଛନ୍ତି। ସେପଟେ ସାରା ରାଜ୍ୟରେ ଦିନର ତାପମାତ୍ରା ବଢ଼ିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଟପିଛି ।