ଗୋ-ଖାଦ୍ୟ ଦୁର୍ନୀତି ମାମଲା ! ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବଙ୍କ ସମେତ ୧୬ ଜଣଙ୍କ ଦଣ୍ଡର ଆଜି ହେବ ଘୋଷଣା

79

କନକ ବ୍ୟୁରୋ: ଆଜିର ଦିନ ବିହାର ରାଜନୀତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବିହାରର ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସମେତ ୧୬ ଜଣଙ୍କ ବିରୋଧରେ ଦଣ୍ଡ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ  । ରାଂଚି ସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ଶୁଣାଣି କରିଛନ୍ତି  । ଚାରା ଦୁର୍ନୀତିର ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ ଯାଦବ  ।

ଗତ ୨୩ ତାରିଖରେ  ମାମଲାର ଶୁଣାଣି କରି କୋର୍ଟ ଗୋ-ଖାଦ୍ୟ ଦୁର୍ନୀତିର ଏକ ମାମଲାରେ ଲାଲୁ ଓ ୧୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨୨ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଦୋଷମୁକ୍ତ କରିଥିଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ । ଏମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର । ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ଯାଦବ ଏବେ ରାଂଚି ଜେଲରେ ଅଛନ୍ତି ।  କୋର୍ଟ ଦଣ୍ଡାଦେଶ ଘୋଷଣା କରିବାକୁ ଥିବାରୁ ରାଂଚିରେ ଲାଲୁ ସମର୍ଥକ ଓ ଆରଜେଡି କର୍ମକର୍ତାଙ୍କ ଭିଡ ଲାଗିଛି ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୦ ମସିହାରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବାବେଳେ ପଶୁପାଳନ ବିଭାଗରେ ନକଲି ବିଲ ଦିଆଯାଇ ଜିଲ୍ଲା କୋଷାଗାରରୁ କୋଟି କୋଟି ଟଙ୍କା ହଡପ ହୋଇଥିଲା । ଠିକାଦାର, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ୯ ଶହ କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ ଆସିଥିଲା । ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା । ଆଉ ସିବିଆଇ ବି ଏ ନେଇ ଅଲଗା ଅଲଗା ମାମଲା ରୁଜୁ କରିଥିଲା ।

ଗୋ-ଖାଦ୍ୟ ଦୁର୍ନୀତିରେ ମୋଟ ୬ଟି ମାମଲା ଅଛି । ଗୋଟିଏ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ  ୫ ବର୍ଷ ଜେଲଦଣ୍ଡ ହୋଇସାରିଛି । ବର୍ତ୍ତମାନ ଏହି ମାମଲାରେ ସେ ଜାମିନରେ ଅଛନ୍ତି । ଗୋ-ଖାଦ୍ୟ ଦୁର୍ନୀତି ଯୋଗୁଁ ଲାଲୁଙ୍କୁ ରାଜନୀତିରୁ ବି ଦୂରେଇ ରହିବାକୁ ପଡିଛି । ସବୁ ମାମଲାର ଶୁଣାଣି  ଗୋଟିଏଥରରେ କରିବାକୁ ଲାଲୁ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ ମାମଲାର ଟ୍ରାଏଲ ଅଲଗା ଅଲଗା କରିବାକୁ ନିର୍ଦ୍ଦେଶ ବି ଦେଇଥିଲା । ଦେବଘର କୋଷାଗାରରୁ ବେଆଇନ ଭାବେ ଉଠାଯାଇଥିବା ୮୫ ଲକ୍ଷ ଟଙ୍କା ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଉ ଆଜି ଦଣ୍ଡ ଘୋଷଣା କରିବେ ସିବିଆଇ କୋର୍ଟ ।