ଗୋ-ଖାଦ୍ୟ ଦୁର୍ନୀତି ମାମଲା ! ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ଜଣାପଡିବ ଲାଲୁଙ୍କ ରାଜନୈତିକ ଭବିଷ୍ୟତ

27

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଆଜି ଆସିବ ଦଣ୍ଡାଦେଶ । ଆଜି ଅପରାହ୍ନ ୨ଟା ପରେ ଲାଲୁ ଯାଦବ ଓ ଅନ୍ୟ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇବେ ରାଂଚି ସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ । ତେବେ ଗତକାଲି ଶୁଣାଣି ସମୟରେ କୋର୍ଟଙ୍କୁ କୋହଳ ଦଣ୍ଡ ଦେବାକୁ ଲାଲୁଙ୍କ ଓକିଲ ଅପିଲ୍ କରିଥିଲେ । ଖରାପ ସ୍ୱାସ୍ଥ୍ୟର କାରଣ ଦର୍ଶାଇ କୋର୍ଟଙ୍କୁ ଏହି ଗୁହାରି କରିଛନ୍ତି ଲାଲୁଙ୍କ ଓକିଲ । ଚୂଡ଼ାନ୍ତ ରାୟ ଆସିବାର ଥିବାରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିଲା । ସେହିପରି ବାହାରେ ଲାଲୁ ସମର୍ଥକଙ୍କ ନାରାବାଜି ମଧ୍ୟ ଦେଖିବାକୁ ମିଳିଥିଲା ।

ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ଲାଲୁଙ୍କ ରାଜନୈତିକ ଭବିଷ୍ୟତ ଜଣାପଡ଼ିବ । ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କ ସମେତ ୧୬ଜଣ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ । ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ଲାଲୁ କୋର୍ଟରେ ହାଜର ହୋଇଥିଲେ । ତେବେ ୫ ମିନିଟରେ ଲାଲୁଙ୍କ ଶୁଣାଣି ଶେଷ ହୋଇଥିଲା ।

ଉଲ୍ଲେଖଥାଉ କି, ଝାଡ଼ଖଣ୍ଡର ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ  ଦଣ୍ଡାଦେଶର ଶୁଣାଣି ଶୁକ୍ରବାର ହୋଇ ପାରିନାହିଁ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଶନିବାର ତଥା ଆଜି ଅପରାହ୍ନ ୨ଟାରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଏହି ଶୁଣାଣି  ଭିଡିଓ କନଫେରେନସିଂ ମାଧ୍ୟମରେ କରାଯିବ । ସିବିଆଇର ସ୍ୱତନ୍ତ୍ର ବିଚାରପତି ଶିବପାଳ ସିଂହଙ୍କ ଅଦାଲତରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୬ ଲୋକଙ୍କ ଦଣ୍ଡ ହେବାର ଥିଲା । ଅଦାଲତ ଆରମ୍ଭ ହେବା ପରେ ଏହା ଶୁକ୍ରବାର ଅପରାହ୍ନ ୨ଟାକୁ ଘୁଞ୍ଚାଇ ଦିଆଯାଇଥିଲା । ମାତ୍ର ଦଣ୍ଡାଦେଶର ଶୁଣାଣି ହୋଇନାହିଁ । ତେବେ ଲାଲୁଙ୍କ ଓକିଲ ଚିତ୍ତରଞ୍ଜନ ପ୍ରସାଦ ଲାଲୁ ଓ ଅନ୍ୟ ସମସ୍ତ ୧୫ଜଣ ଦୋଷୀଙ୍କୁ କମ୍ ଦଣ୍ଡ ଦିଆଯିବାକୁ ଅନୁରୋଧ କରିଥିଲେ ।

ଗତକାଲି ଭିଡିଓ କନଫେରେନସିଂ ରୁମରେ କେବଳ ଜଜ ଉପସ୍ଥିତ ଥିଲେ। ଲାଲୁଙ୍କ ଓକିଲ ଓ ସିବିଆଇ ଅଧିକାରୀ ମଧ୍ୟ ଭିଡିଓ କନଫେରେସିଂ ରୁମରେ ନଥିଲେ।  ସେହିଭଳି ଗଣମାଧ୍ୟମକୁ ଭିସି ରୁମକୁ ଯିବାକୁ ଅନୁମତି ଦିଆଯାଇ ନଥିଲା। ଲାଲୁ ରାୟ ଶୁଣିବା ପାଇଁ କୋର୍ଟ ଯାଇ ନଥିଲେ ବରଂ ଜେଲର  ଭିଡିଓ କନଫେରେସିଂ ରୁମରେ ଉପସ୍ଥିତ ହୋଇଥିଲେ । ଲାଲୁ ପ୍ରସାଦ ସିବିଆଇ କୋର୍ଟରେ ଆବେଦନ କରି କମ୍ ଦଣ୍ଡ ଦିଆଯିବାକୁ ଦାବି କରିଥିଲେ। ଲାଲୁ ସମେତ ୧୧ ଜଣ ଅଭିଯୁକ୍ତଙ୍କୁ ସଜା ନେଇ ବିତର୍କ ଶେଷ ହୋଇଛି। ଏହି ମାମଲାରେ ୫ ଦୋଷୀଙ୍କୁ ସଜା ହେବାର ଅଛି ।