ଆଜି ଆସିବ ବହୁ ଚର୍ଚ୍ଚିତ ବିହାର ଗୋ-ଖାଦ୍ୟ ଦୁର୍ନୀତିର ରାୟ ! ୯ ଶହ କୋଟିର ମହାଦୁର୍ନୀତିରେ ଲାଲୁ ଅଛନ୍ତି ଅଭିଯୁକ୍ତ, ଗୋଟିଏ ମାମଲାରେ ହୋଇଛି ୫ ବର୍ଷ ଜେଲ୍ ଦଣ୍ଡାଦେଶ

29

କନକ ବ୍ୟୁରୋ: ବିହାରର ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାର ଶୁଣାଣି  ଆଜି ରାଂଚି ସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଣି କରିବେ । ଏଥିପାଇଁ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ରାଂଚି ପହଂଚି ସାରିଛନ୍ତି । ଲାଲୁ ଯାଦବ କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରୁ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ସିବିଆଇକୁ ବ୍ୟବହାର କରି ତାଙ୍କୁ ଫସାଇଛି । ହେଲେ ନ୍ୟାୟପାଳିକ ଉପରେ ତାଙ୍କର ଆସ୍ଥା ଅଛି ଓ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଲାଲୁ କହିଛନ୍ତି ।  ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜି ସ୍ପଷ୍ଟ କରିବେ ଲାଲୁ ଯାଦବଙ୍କ ନୂଆ ବର୍ଷ ଘରେ ପରିବାରଙ୍କ ଗହଣରେ କଟିବ ନା ଜେଲରେ କଟିବ । ଲାଲୁ ଜେଲ ଯିବେ ନା ମାମଲାର ଖଲାସ ହେବେ ତାହା ଆଜି ଜଣାପଡିବ ।

ଗୋ-ଖାଦ୍ୟ ଦୁର୍ନୀତି କଣ ?

୧୯୯୦ ମସିହାରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବାବେଳେ ପଶୁପାଳନ ବିଭାଗରେ ନକଲି ବିଲ ଦିଆଯାଇ ଜିଲ୍ଲା କୋଷାଗାରରୁ କୋଟି କୋଟି ଟଙ୍କା ହଡପ ହୋଇଥିଲା । ଠିକାଦାର, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ୯ ଶହ କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ ଆସିଥିଲା । ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା । ଆଉ ସିବିଆଇ ବି ଏ ନେଇ ଅଲଗା ଅଲଗା ମାମଲା ରୁଜୁ କରିଥିଲା । ଗୋ-ଖାଦ୍ୟ ଦୁର୍ନୀତିରେ ମୋଟ ୬ଟି ମାମଲା ଅଛି । ଗୋଟିଏ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ  ୫ ବର୍ଷ ଜେଲଦଣ୍ଡ ହୋଇସାରିଛି । ବର୍ତମାନ ଏହି ମାମଲାରେ ସେ ଜାମିନରେ ଅଛନ୍ତି ।

ଗୋ-ଖାଦ୍ୟ ଦୁର୍ନୀତି ଯୋଗୁଁ ଲାଲୁଙ୍କୁ ରାଜନୀତିରୁ ବି ଦୂରେଇ ରହିବାକୁ ପଡିଛି । ସବୁ ମାମଲାର ଶୁଣାଣି  ଗୋଟିଏଥରରେ କରିବାକୁ ଲାଲୁ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ ମାମଲାର ଟ୍ରାଏଲ ଅଲଗା ଅଲଗା କରିବାକୁ ନିର୍ଦ୍ଦେଶ ବି ଦେଇଥିଲା । ଆଜି ଦେବଘର କୋଷାଗାରରୁ ବେଆଇନ ଭାବେ ଉଠାଯାଇଥିବା ୮୫ ଲକ୍ଷ ଟଙ୍କା ମାମଲାର ଶୁଣାଣି ହେବ । ମାମଲାରେ ଲାଲୁପ୍ରସାଦ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସମେତ ୨୨ ଅଭିଯୁକ୍ତ ଅଛନ୍ତି । ଝାଡଖଣ୍ଡ ରାଂଚିର ବିଶେଷ ସିବିଆଇ କୋର୍ଟ ଆଜି ରାୟ ଶୁଣାଇବେ ।