ରାଜନୀତିର ସେଣ୍ଟର ଷ୍ଟେଜରେ ପଶ୍ଚିମ ଓଡ଼ିଶା । ବିରୋଧୀ ଦଳ ନେତା ଓ ଉପ-ବାଚସ୍ପତି ପଦରେ ପଶ୍ଚିମ ଓଡିଶା ନେତା ବସିବା ନେଇ ଚର୍ଚ୍ଚା । ସେପଟେ ଲୋକସଭା ବାଚସ୍ପତି ରେସରେ ଜୁଏଲ ଆଗରେ ।

328

କନକ ବ୍ୟୁରୋ : ରାଜନୀତିର ସେଣ୍ଟର ଷ୍ଟେଜରେ ଏବେ ପଶ୍ଚିମ ଓଡିଶା । ନିର୍ବାଚନ ସିନା ସରିଯାଇଛି, କିନ୍ତୁ ଏବେ ମଧ୍ୟ ପଶ୍ଚିମ ଓଡିଶାର ରାଜନୀତିକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଖରାର ତାତି ଭଳି ରାଜ୍ୟ ରାଜନୀତିକୁ ମଧ୍ୟ ତତାଉଛି ପଶ୍ଚିମ ଓଡିଶା ରାଜନୀତି । ପ୍ରଥମେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡିଶାରୁ କେହି ସ୍ଥାନ ନ ପାଇବା, ପରେ ନବୀନ ବିଜେପୁର ଆସନ ଛାଡିବା ନେଇ ପଶ୍ଚିମ ଓଡିଶା ରାଜନୀତି ଜୋର ଧରିଛି । ପଶ୍ଚିମ ଓଡିଶାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି । ଆଉ ଏଭଳି ସ୍ଥିତିରେ ବିରୋଧୀ ଦଳ ନେତା, ସରକାରୀ ଦଳ ଉପମୁଖ୍ୟ ସଚେତକ, ଉପ-ବାଚସ୍ପତି ପଦରେ ପଶ୍ଚିମ ଓଡିଶାରୁ କେହି ଜଣେ ବସନ୍ତୁ ବୋଲି ଦାବି ଉଠିଛି । ଏପରିକି ଏହି ୩ ପଦରେ ପଶ୍ଚିମ ଓଡିଶାର ନେତାଙ୍କୁ ବସାଇ ଫାଇଦା ନେବା ଲକ୍ଷ୍ୟରେ ରହିଛନ୍ତି ଉଭୟ ବିଜେଡି ଓ ବିଜେପି ।

ଚଳିତ ନିର୍ବାଚନରେ ୨୩ ଆସନ ସହ ବିରୋଧୀ ଆସନରେ ବସିଛି ବିଜେପି । ତେବେ ବିରୋଧୀ ଦଳ ନେତା କିଏ ହେବ ତାହାକୁ ନେଇ ସସପେନ୍ସ ଲାଗିରହିଛି । ତେବେ ପୁଣିଥରେ ପଶ୍ଚିମ ଓଡିଶାରୁ ହିଁ ବିରୋଧୀ ଦଳ ନେତା ହୁଅନ୍ତୁ ବୋଲି ଏବେ ଦାବି ଉଠିଛି । ଚଳିତ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡିଶାରେ ବିଜେପି ଜବରଦସ୍ତ ସଫଳତା ପାଇଥିବା ବେଳେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିନଥିଲା । ୫ରୁ ୫ ସାଂସଦ ବିଜୟୀ ହୋଇଥିଲେ ମନ୍ତ୍ରୀ ଶୂନ୍ୟ ରହିଥିଲା ପଶ୍ଚିମ ଓଡ଼ିଶା । ଯାହାକୁ ନେଇ ପଶ୍ଚିମ ଓଡିଶାବାସୀଙ୍କ ମନରେ କ୍ଷୋଭ ରହିଛି । ଆଉ ଏହାର ଭରଣା କରିବା ପାଇଁ ଏବେ ବିରୋଧୀ ଦଳ ନେତା ପଦ ଉପରେ ପଶ୍ଚିମ ଓଡ଼ିଶା କାର୍ଡ ଖେଳିପାରେ ବିଜେପି । ଏହାଛଡା ଆଗକୁ ବିଜେପୁର ଉପନିର୍ବାଚନ ରହିଥିବାରୁ ବିଜେପିର ପଶ୍ଚିମ ଓଡିଶା ନେତାଙ୍କୁ ବଡ ଭୂମିକାରେ ମଧ୍ୟ ଦେଖିବାକୁ ମିଳିପାରେ ।

ବିଜେପିର ଏହି ରଣନୀତି ଅନୁଯାୟୀ, ପଶ୍ଚିମ ଓଡିଶାରୁ କୌଣସି ନେତାଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇପାରେ ଦଳ । ଆଉ ଏହି ପଦ ପାଇଁ ପଶ୍ଚିମ ଓଡ଼ିଶାର ଦୁଇ ଟାଣୁଆ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ ଏହି ରେସରେ ଆଗରେ ରହିଛନ୍ତି । ପଶ୍ଚିମ ଓଡିଶାର ଏହି ଦୁଇ ଟାଣୁଆ ନେତା ପୂର୍ବରୁ ମନ୍ତ୍ରୀପଦରେ ରହିଥିବା ବେଳେ ଗୃହ ମଧ୍ୟରେ ଦଳୀୟ ବିଧାୟକଙ୍କୁ ଏକଜୁଟ୍ କରି ରଖିବାର ଅଭିଜ୍ଞତା ମଧ୍ୟ ରହିଛି । ତେଣୁ ଉଭୟଙ୍କ ମଧ୍ୟରୁ ଦଳ କାହାକୁ ବାଛିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ ।

ବିଜେପିର ଦଳୀୟ ମହଲରୁ ମିଳିଥିବା ଆଉ ଏକ ଖବର ଅନୁଯାୟୀ, ଦଳ ଉପକୂଳ ଓଡିଶାରେ ମଧ୍ୟ ଗତ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିଛି । ତେଣୁ ଉପକୂଳ ଓଡିଶାର କର୍ମୀଙ୍କ ମନରେ ଜୋଶ ଭରିବା ପାଇଁ ଦଳ ଏଠାରୁ ମଧ୍ୟ କାହାକୁ ବିରୋଧୀ ଦଳ ନେତା ବାଛିପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ରେସରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ତେବେ ପୂର୍ବରୁ ବିରୋଧୀ ଦଳ ନେତା ଭାବେ ପଶ୍ଚିମ ଓଡିଶାର ଦବଦବା ଦେଖିବାକୁ ମିଳିଛି । ୨୦୦୯ ଓ ୨୦୧୪ରେ ଗୃହରେ ବିରୋଧୀ ଦଳ ନେତା ଭାବେ ପଶ୍ଚିମ ଓଡିଶା ନେତାଙ୍କୁ ଦେଖିବାକୁ ମିଳିଥିଲା । ୨୦୦୯ରେ ଭୂପିନ୍ଦର ସିଂହ ଓ ୨୦୧୪ରେ ନରସିଂହ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ମିଳିଥିଲା । ଅବଶ୍ୟ ଉଭୟ ନେତା କଂଗ୍ରେସ ଦଳର ବିଧାୟକ ଥିଲେ । ଏହାଛଡା ବିଜେପି ବିଧାୟକ ଦଳ ନେତା ସାଜିଥିଲେ ପଶ୍ଚିମ ଓଡିଶାର ଟାଣୁଆ ନେତା କନକ ବର୍ଦ୍ଧନ ସିଂହଦେଓ । ତେଣୁ ପଶ୍ଚିମ ଓଡିଶାର ନେତାଙ୍କୁ ଅଣଦେଖା କରି ବିରୋଧୀ ଦଳ ନେତା ବାଛିବା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । କାରଣ ଆଗକୁ ରହିଛି ବିଜେପୁର ଉପନିର୍ବାଚନ ।

ବିଜେପି ଭଳି ବିଜେଡି ଫୋକସରେ ମଧ୍ୟ ରହିଛି ପଶ୍ଚିମ ଓଡିଶା । ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପୂର୍ବରୁ ପଶ୍ଚିମ ଓଡିଶାବାସୀଙ୍କୁ ବଡ ଉପହାର ଦେଇଛନ୍ତି । ନିଜ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡିଶାର ୬ ଜଣ ବିଧାୟକଙ୍କୁ ସ୍ଥାନ ଦେଇ ପଶ୍ଚିମ ଓଡିଶାବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି । ଏହାଛଡା ବିଜେପୁର ଆସନ ଛାଡିବା ପୂର୍ବରୁ ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାଛଡା ପଶ୍ଚିମ ଓଡିଶାବାସୀଙ୍କୁ ଖୁସ୍ କରିବାକୁ ଆଉ ୨ଟି ସୁଯୋଗ ମଧ୍ୟ ବିଜେଡି ହାତରେ ରହିଛି । ଏଯାଏଁ ସରକାରୀ ଦଳ ଉପମୁଖ୍ୟ ସଚେତକ ଓ ଉପ-ବାଚସ୍ପତି ପାଇଁ ନାଁ ଘୋଷଣା ହୋଇନଥିବା ବେଳେ ପଶ୍ଚିମ ଓଡିଶା ନେତାଙ୍କ ଉପରେ ବିଜେଡିର ନଜର ଥିବା ଚର୍ଚ୍ଚା ହେଉଛି । ଗତ ଥର ସରକାରୀ ଦଳ ମୁଖ୍ୟ ସଚେତକ ପଦରେ ରୋହିତ ପୂଜାରୀଙ୍କୁ ବସାଇଥିଲା ବିଜେଡି । ତେବେ ଚଳିତଥର ଏହି ପଦରେ ପ୍ରମିଳା ମଲ୍ଲିକଙ୍କୁ ବସାଇଥିବା ବେଳେ ଉପମୁଖ୍ୟ ସଚେତକ ପଦ ପଶ୍ଚିମ ଓଡିଶା ନେତାଙ୍କ ପାଖକୁ ଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଉପ-ବାଚସ୍ପତି ପଦ ରେସରେ ମଧ୍ୟ ପଶ୍ଚିମ ଓଡିଶା ନେତାଙ୍କ ନାଁ ରହିଥିବା ବିଜେଡିର ଅନ୍ଦରମହଲରେ ଆଲୋଚନା ହେଉଛି ।

ବିଜେଡିର ଏଭଳି ରଣନୀତିକୁ ପ୍ରତିହତ କରିବା ପାଇଁ ବିଜେପି ମଧ୍ୟ ବଡ କାର୍ଡ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି । ମୋଦି ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡିଶାରୁ କେହି ମନ୍ତ୍ରୀ ପଦ ପାଇନଥିବା ବେଳେ ବାଚସ୍ପତି ପଦରେ ଜୁଏଲ ଓରାମଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ପଶ୍ଚିମ ଓଡିଶାର ଗୁରୁତ୍ୱ ଏବେ ବଢିଯାଇଛି । କାରଣ ଯେଉଁ ଦଳ ପଶ୍ଚିମ ଓଡିଶାକୁ ଅଣଦେଖା କରିବ ତାହାର ପ୍ରଭାବ ସିଧାସଳଖ ବିଜେପୁର ନିର୍ବାଚନ ଉପରେ ପଡିବ । ତେଣୁ ପଶ୍ଚିମ ଓଡିଶାକୁ ଏବେ ଫୋକସରେ ରଖିଛନ୍ତି ଉଭୟ ବିଜେଡି ଓ ବିଜେପି ।