କଡ ଲେଉଟାଇବ କି କେନ୍ଦ୍ରାପଡା ରାଜନୀତି? ଇତିହାସ କହୁଛି ଅଣ କଂଗ୍ରେସ ଓ ଅଣ ବିଜେପିର ଗଡ ଏହି ଆସନ । ୨୦୧୯ରେ କିଏ କାହାକୁ ଦେବ ମାତ୍?

ସମ୍ମାନର ଲଢେଇ କେନ୍ଦ୍ରାପଡା ଲୋକସଭା ଆସନ । ଅଣ ବିଜେପି ଓ ଅଣ କଂଗ୍ରେସ ରାଜନୀତିର ଗଡ ହୋଇ ରହିଥିବା ଏହି ଆସନରେ ୨୦୧୯ରେ ଦେଖିବାକୁ ମିଳିବ ବଡ ଧରଣର ଲଢେଇ । ବିଜେଡି ଛାଡି ଗେରୁଆ ଶିବିରରେ ପ୍ରବେଶ କରିଥିବା ବୈଜୟନ୍ତ ପଣ୍ଡା କଣ ଅତୀତର ଇତିହାସ ବଦଳାଇ ପାରିବେ, ନା ରାଜନୀତିର ପଶାପାଲିରେ ଠିକ ସମାନ ସ୍ଥିତିକୁ ସାମ୍ନା କରିବେ, ଯାହା ଅତୀତରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କର ହୋଇଛି?

880

କନକ ବ୍ୟୁରୋ : ଅଣ କଂଗ୍ରେସ ଓ ଅଣ ବିଜେପି ରାଜନୀତିର ଗଡ ହୋଇ ରହିଛି କେନ୍ଦ୍ରାପଡା । ଗତ ୬ ଦଶନ୍ଧିର ରାଜନୀତିରେ ନା ଏଠି ସର୍ବ ପୁରାତନ ରାଜନୈତିକ ଦଳର ବିଜୟ ଧ୍ୱଜା ଉଡିଛି ନା ଏହି ଅଂଚଳ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି । ହେଲେ ପରିବର୍ତ୍ତିତ ସ୍ଥିତିରେ ବଦଳିଥିବା ରାଜନୈତିକ ସମୀକରଣରେ ସମସ୍ତଙ୍କ ଫୋକସ୍ ଆସି ଅଟକିଛି କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ର ଉପରେ ।

୨ ଥରର ରାଜ୍ୟସଭା ସାଂସଦ ଓ ୨ ଥରର ଲୋକସଭା ସାଂସଦ ବିଜେପିରେ ମିଶିବା ପରେ ୨୦୧୯ରେ ଏଠି ବିଗ୍ ଫାଇଟ୍ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଅତୀତର ତମାମ ତଥ୍ୟ ଯଦିଓ ବିଜେପି ଓ ବୈଜୟନ୍ତଙ୍କ ବିରୁଦ୍ଧରେ ଯାଉଛି, ହେଲେ ରାଜନୀତିର ପାଣିପାଗ ଯେ ବଦଳିବାକୁ ବେଶ ସମୟ ଲାଗେନାହିଁ, ଏହାକୁ ସମସ୍ତେ ମାନି ଆଗକୁ ବଢୁଛନ୍ତି ।

ବିଜେପି ଓ ବୈଜୟନ୍ତ

୨୦୧୯ରେ ବିଜେପି ଟିକେଟରୁ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକପ୍ରକାର ସ୍ପଷ୍ଟ । ହେଲେ ଅତୀତରେ ଜନତା ପାର୍ଟି ପରେ ଜନତା ଦଳ ଆଉ ଏବେ ବିଜୁ ଜନତା ଦଳର ଗଡ ହୋଇ ରହିଥିବା କେନ୍ଦ୍ରାପଡା ଲୋକସଭା ଆସନ ସବୁଜ ରଙ୍ଗ ବଦଳରେ ଗେରୁଆ ରଙ୍ଗରେ ରଙ୍ଗେଇ ହେବ କି? ଯାହାକୁ ନେଇ ଏବେ ସମୀକ୍ଷା କରାଯାଉଛି ।

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର

ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା ବିଧାନସଭା ମଣ୍ଡଳୀକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ରରେ ୨୦୧୪ରେ ବିଜେପିର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ଥିଲା । କେବଳ ମହାକାଳପଡାକୁ ଛାଡିଦେଲେ ବାକି ସମସ୍ତ ବିଧାନସଭା କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ମାନେ ପାଇଥିବା ଭୋଟରେ ବିଜେଡି ୧ ନମ୍ବର ସ୍ଥାନରେ ଥିବା ବେଳେ ୨ ନମ୍ବର ସ୍ଥାନରେ କଂଗ୍ରେସ ଓ ୩ ନମ୍ବର ସ୍ଥାନରେ ଥିଲା ବିଜେପି ।

ମହାକାଳପଡାରେ ବିଜେପିରୁ ଲଢିଥିବା ବିଜୟ ମହାପାତ୍ରଙ୍କ ଭୋଟବ୍ୟାଙ୍କ ହିଁ ବିଜେପି ସାଂସଦ ପ୍ରାର୍ଥୀଙ୍କୁ ସହାୟକ ହୋଇଥିବା କୁହାଗଲା । ୨୦୧୪ରେ ସାରା ଦେଶରେ ମୋଦି ହାୱା ବହୁଥିଲେ ମଧ୍ୟ ତାହା ଭୋଟରେ ରୁପାନ୍ତରିତ ହୋଇନଥିଲା । ଏପରିକି ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଗୋଟିଏ ବି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ବାଜିମାତ କରିପାରିନଥିଲେ । ୭ଟି ବିଧାନସଭା ଆସନରୁ ୩ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୪ଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ ।

୨୦୧୯ରେ କଣ ହେବ?

ବଡ କଥା ହେଉଛି, ଦୁଇ ଦୁଇ ଥର ବିଜେଡିର ସାଂସଦ ଥିବା ନେତା ଯେତେବେଳେ ବିଜେଡି ଛାଡି ବିଜେପି ଶିବିରରେ ସାମିଲ ହେଉଛନ୍ତି, ଠିକ ସେତିକି ବେଳେ ଭୋଟ ରାଜନୀତିରେ ଏହାର କଣ ପ୍ରଭାବ ପଡିବ, ତାକୁ ନେଇ ଅନୁଶୀଳନ କରାଯାଉଛି । ୨୦୧୯ରେ କିଏ ବିଜେଡି ଟିକେଟରୁ ଲଢିବ? ଏହାକୁ ନେଇ ଭିନ୍ନ ମହଲ ଭିନ୍ନ କଥା କହୁଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କୁ କିଏ ଟକ୍କର ଦେଇ ପାରିବ, ତାକୁ ନେଇ ଏବେ ବିଜେଡି ଶିବିରରେ ଅଙ୍କ କଷାଯାଉଛି ।

କେନ୍ଦ୍ରାପଡା ସଂସଦୀୟ  କ୍ଷେତ୍ରରେ ଯଦିଓ ବୈଜୟନ୍ତଙ୍କ ନିଜସ୍ୱ ଭୋଟବ୍ୟାଙ୍କ ରହିଛି, ବିଜେପିରେ ସାମିଲ ହେଲା ପରେ ଏହା କଣ ବୈଜୟନ୍ତଙ୍କ ନିକଟରେ ରହିବ କି? ସେହିଭଳି ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ କାହାକୁ ପ୍ରାର୍ଥୀ କରୁଛି, ତା’ଉପରେ ମଧ୍ୟ ବହୁଳ ଭାବେ ନିର୍ଭର କରିବ ଦଳର ପ୍ରଦର୍ଶନ କିଭଳି ରହିବ । କାରଣ କାଁ ଭାଁ ବ୍ୟତିକ୍ରମକୁ ଛାଡିଦେଇ ଓଡିଶାରେ ନଜିର ରହିଛି, ଭୋଟର ବିଧାନସଭା ଆସନରେ ଯାହାକୁ ଭୋଟ ଦିଅନ୍ତି, ଲୋକସଭାରେ ମଧ୍ୟ ସେହି ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତି ।

ବିଜେପି ପ୍ରାର୍ଥୀ ଭାବେ ବୈଜୟନ୍ତ ପଣ୍ଡାଙ୍କ ନାଁ ଆପାତତଃ ଚୁଡାନ୍ତ ହୋଇଥିବା ବେଳେ କଂଗ୍ରେସରୁ ଧରଣୀଧର ନାୟକଙ୍କ ନାଁ ମଧ୍ୟ ସିଇସି କମିଟିକୁ ପଠାଯାଇଛି । ୨୦୧୪ରେ ଧରଣୀଧର ନାୟକ କଂଗ୍ରେସ ଟିକେଟରୁ ଲଢି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏବେ କିନ୍ତୁ କେନ୍ଦ୍ରାପଡା ରାଜନୈତିକ ସମୀକରଣ ବଦଳିଥିବାରୁ କେତେ ଦୁର କଂଗ୍ରେସ ସଫଳତା ଦୋହରାଇବ, ତାକୁ ନେଇ ଏବେ ଛକାପଂଝା ଆରମ୍ଭ ହୋଇଛି ।

ବିଜେଡିରୁ କିଏ?

ସମସ୍ତଙ୍କ ନଜର ଆସି ଅଟକୁଛି ବିଜେଡି କ୍ୟାମ୍ପ ଉପରେ । କାହାକୁ ଦଳ ପ୍ରାର୍ଥୀ କରିବ? ଅନେକ ଥିଓରୀକୁ ନେଇ ଏଠି ଚର୍ଚ୍ଚା କରାଯାଉଛି । ବିଜୟ ଓ ଦିଲ୍ଲୀପ ବିଜେପି ଛାଡି ଅନେକ ଦିନ ହେଲାଣି ଚୁପ୍ ରହିଛନ୍ତି । ଶୁଣିବାକୁ ମିଳୁଛି, ଏମାନେ ବିଜେଡିର ଗ୍ରୀନ ସିଗନାଲକୁ ଅପେକ୍ଷା କରିଛନ୍ତି । ଯଦି ନବୀନ ପଟ୍ଟନାୟକ ବିଜୟ ଓ ଦିଲ୍ଲୀପଙ୍କୁ ନେଇ ସମ୍ମତି ଦିଅନ୍ତି ତେବେ ବିଜେଡି କେନ୍ଦ୍ରାପଡା ଲୋକସଭା ଆସନରୁ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିପାରେ ।

ଏଭଳି ହେଲେ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତଙ୍କୁ ମୈଦାନକୁ ଓହ୍ଲାଇ ବିଜେଡି ଗୋଟିଏ ଗୁଳିରେ ଅନେକ ଶିକାର କରିବାକୁ ଉଦ୍ୟମ କରିପାରିବ । ବୈଜୟନ୍ତଙ୍କୁ ଟକ୍କର ଦେଲାଭଳି ବିଜେଡି ଜଣେ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ ପାରିବ । ବିଜୁ ବାବୁଙ୍କ ନାଁକୁ ପାଥେୟ କରି ବୈଜୟନ୍ତ ଯେଉଁ ଗୋଟିଚାଳନା କରିବାକୁ ଲକ୍ଷ୍ୟ ରଖିଛନ୍ତି, ତାକୁ ପ୍ରତିହତ କରାଯାଇ ପାରିବ । ଉଭୟଙ୍କ ବ୍ୟକ୍ତିତ୍ୱ ଆଉ ରାଜନୈତିକ ପରାକାଷ୍ଠା ଯଥେଷ୍ଟ ଅଧିକ ରହିଛି । ଆଉ ସର୍ବୋପରି ବିଜୟ ମହାପାତ୍ର ଯିଏ ଉଭୟ ପାଟକୁରା ଓ ମହାକାଳପଡା ଅଂଚଳରେ ନିଜ ପ୍ରଭାବ ରଖିଛନ୍ତି, ସେହି ଭୋଟ ମଧ୍ୟ ବିଜେଡି ଆଡକୁ ଆସିପାରିବ । ଏଭଳି କ୍ଷେତ୍ରରେ ବିଜେଡିର ଗଡ ହୋଇ ରହିଥିବା ଏହି ଅଂଚଳରେ ବିଜେଡି କଡା ଟକ୍କର ଦେଇପାରିବ ।

ଯଦି ଏହି ଗୋଟିଚାଳନା ବିଫଳ ହୁଏ ତେବେ, ରାଜ୍ୟସଭା ସାଂସଦ ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ନାଁକୁ ନେଇ ମଧ୍ୟ ଅଙ୍କ କଷାଯାଉଛି । ତେବେ ସୂଚନା ମୁତାବକ ଉଭୟ ନେତା ସାଂସଦ ପ୍ରାର୍ଥୀ ହୋଇ ଲଢିବାକୁ ମନ ବଳାଉ ନାହାନ୍ତି । କାରଣ, ଦିଲ୍ଲୀ ରାଜନୀତି ଅପେକ୍ଷା ରାଜ୍ୟ ରାଜନୀତିରେ ଏହି ଦୁଇ ନେତାଙ୍କ କାଟତି ଓ ପ୍ରଭାବ ଯଥେଷ୍ଟ ଅଧିକ । ଏମାନଙ୍କ ବାଦ୍ ମଧ୍ୟ ବିଜେଡି ଆଉ କିଛି ନାଁକୁ ନେଇ ଚର୍ଚ୍ଚା କରାଯାଉଥିବା କୁହାଯାଉଛି ।

କେନ୍ଦ୍ରାପଡା ଇତିହାସ ବଦଳିବ କି?

୨୦୦୪ରେ ଅର୍ଚ୍ଚନା ନାୟକ ବିଜେଡି ଟିକେଟରୁ ଲଢି ଜିତିଥିଲେ । ହେଲେ ୨୦୦୯ରେ ଟିକେଟ ନ’ମିଳିବା ପରେ ଅର୍ଚ୍ଚନା ବିଜେପି ଟିକେଟରେ ଲଢି ପରାସ୍ତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ବୈଜୟନ୍ତ ବିଜେଡି ଟିକେଟରୁ ଲଢି ଜିତିଥିବା ବେଳେ ୨୦୧୯ରେ କିନ୍ତୁ କ୍ୟାମ୍ପ ବଦଳାଇଛନ୍ତି । ଅତୀତରେ ନେତା ଦଳ ବଦଳାଇଥିଲେ ମଧ୍ୟ କର୍ମୀ ଆଭିମୁଖ୍ୟ ବଦଳାଇନଥିବାର ଅନେକ ଉଦାହରଣ ରହିଛି । ସେହି ଦୃଷ୍ଟିକୋଣରେ ବୈଜୟନ୍ତଙ୍କ ସାମ୍ନାରେ ଆହ୍ୱାନ ଅଧିକ ରହିଛି ।

୧୯୫୭, ୧୯୬୨ ଓ ୧୯୬୭ରେ ପ୍ରଜା ସୋସିଆଲିଷ୍ଟ ପାର୍ଟି, ୧୯୭୧ରେ ଉତ୍କଳ କଂଗ୍ରେସ, ୧୯୭୭, ୧୯୮୦, ୧୯୮୪, ୧୯୮୫ରେ ଜନତା ପାର୍ଟି, ୧୯୮୯, ୧୯୯୧, ୧୯୯୬ରେ ଜନତା ଦଳ, ୧୯୯୮ରୁ ଏଯାଏଁ ବିଜେଡି ପ୍ରାର୍ଥୀ ବାଜିମାତ କରି ଆସିଛନ୍ତି । ଏ ତଥ୍ୟ ଗୋଟିଏ ଦିଗ ଦର୍ଶାଉଛି, ଅଣ ବିଜେପି ଓ ଅଣ କଂଗ୍ରେସର ପ୍ରାର୍ଥୀ କେନ୍ଦ୍ରାପଡାରେ ସବୁବେଳେ ଆହ୍ୱାନର ସାମ୍ନା କରନ୍ତି ।

୨୦୧୯ରେ ଯେତେବେଳେ ସ୍ଥିତି ବଦଳିଛି, ଠିକ ସେତିକି ବେଳେ ରାଜନୀତିର ଦୃଶ୍ୟପଟ ବଦଳିବା ସହ ନୂଆ ଇତିହାସ ଲେଖାଯିବ ନା ଅତୀତର ଧାରା ଏଠି ମଧ୍ୟ ଜାରି ରହିବ, ଯାହା ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବ, ତା’ଉପରେ ନଜର ରହିଛି ।