କିଏ ନରମ, କିଏ ଗରମ? ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡର ଯାଞ୍ଚ ବେଳେ ଦୁଇନେତାଙ୍କ ଦୁଇଟି ଚିତ୍ର, ନବୀନ ସହଯୋଗ କଲେ, ନାଲିଆଖି ଦେଖାଇଲେ ଧର୍ମେନ୍ଦ୍ର ।

1,339

କନକ ବ୍ୟୁରୋ: ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ ହେବାପରେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଏବଂ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଞ୍ଚକୁ ନେଇ ଭିନ୍ନ ଚିତ୍ର ଏବଂ ଭିନ୍ନ ବାର୍ତ୍ତା ଦେଖିବାକୁ ମିଳିଛି । ଗତକାଲି ରାଉରକେଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାସ୍ଥଳରେ ପହଁଚିବା କ୍ଷଣୀ ହଠାତ୍ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ସେଠାରେ ପହଁଚିଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ତନତନ କରି ଯାଞ୍ଚ କରିଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ଫ୍ଲାଇଂ ସ୍କ୍ୱାର୍ଡ଼ ଅଫିସରଙ୍କୁ ସହଯୋଗ କରିଥିଲେ ଏବଂ ଶେଷରେ ସାଧୁବାଦ୍ ଜଣାଇଥିଲେ ।


ଅପରପକ୍ଷେ ଗତ ସୋମବାର ଦିନ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଞ୍ଚ  ପ୍ରକ୍ରିୟାବେଳେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଏମସିଏଲ ହେଲିପ୍ୟାଡରେ ପହଚିଂବା ପରେ ହେଲିକପ୍ଟରକୁ ଯାଂଚ କରିବାକୁ ଚାହିଁଥିଲେ ପୁଲିସ ଅଧିକାରୀ । କିନ୍ତୁ ଧର୍ମେନ୍ଦ୍ର ପୁଲିସ ଅଧିକାରୀଙ୍କୁ ବିରୋଧ କରି ତାଙ୍କ ଉପରେ କ୍ଷୁବ୍ଧ ହୋଇପଡ଼ିଥିଲେ । ଏପରିକି ସେମାନଙ୍କୁ କାଗଜ ଦେଖେଇବାକୁ କହିଥିଲେ । ଫ୍ଲାଇଂ ସ୍କ୍ୱାର୍ଡ଼ ଅଧିକାରୀମାନେ ନିଜର ପରିଚୟ ପତ୍ର ଦେଖାଇଥିଲେ ଏବଂ ପୁଲିସ ଅଧିକାରୀମାନେ କହିଥିଲେ , ସେମାନେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି । କିଛି ସମୟ ଧରି ହେଲିପ୍ୟାଡରେ ଏମିତି ଯୁକ୍ତିତର୍କ ଚାଲିଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଧର୍ମେନ୍ଦ୍ରଙ୍କ ଏଭଳି ଆଚରଣକୁ ନାପସନ୍ଦ ମଧ୍ୟ କରିଥିଯାଇଛି ।

ଅନ୍ୟପଟେ ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ନିର୍ବାଚନ କମିଶନଙ୍କ ବେଶ୍ କଡ଼ା ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି । ଏପରି ସମୟରେ ଚାରିଆଡ଼େ ତୀକ୍ଷ୍ଣ ନଜର ରଖିଛନ୍ତି ନିର୍ବାଚନ କମିସନ୍ । ଚାରିଆଡ଼େ ଯାଂଚ ପ୍ରକ୍ରିୟା କଡ଼ାକଡ଼ି କରାଯାଉଛି । ଆଉ ଏହି ଯାଞ୍ଚ ପ୍ରକିୟାରୁ ବାଦ୍ ପଡୁ ନାହାନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ ନବୀନ ଜଣେ ଶାନ୍ତ ସରଳ ମନୋଭାବ ବ୍ୟକ୍ତି ଏବଂ ଯେଉଁଥି ପାଇଁ ଲୋକେ ପସନ୍ଦ କରନ୍ତି ସେହି ଗାରିମାକୁ ବଜାୟ ରଖିଛନ୍ତି ବୋଲି ବିଭିନ୍ନ ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି । ହେଲେ ଠିକ୍ ଦିନକ ପୂର୍ବରୁ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଞ୍ଚ ସମୟର ଯେଉଁଭଳି ଆଚରଣ ପ୍ରଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ତାହା ନବୀନଙ୍କ ହେଲିକପ୍ଟର ଯାଞ୍ଚ ସମୟର ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।