ସହରାଞ୍ଚଳରେ ଫ୍ଲାଇ ଆସ୍ ଇଟାରେ ନିର୍ମାଣ ହେବ ଘର : ଖୁବଶୀଘ୍ର ନିୟମ ଆଣିବେ ସରକାର
କନକ ବ୍ୟୁରୋ : ସମସ୍ତ ସହରାଞ୍ଚଳରେ ଘର ନିର୍ମାଣ ସମୟରେ ଫ୍ଲାଇ ଆସ୍ ଇଟା ବ୍ୟବହାର ହେବ । ଏଥିପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ନିୟମ ଆଣିବାକୁ ଯାଉଛନ୍ତି । ସହରାଞ୍ଚଳରେ ଘର ନିର୍ମାଣରେ ଯେପରି ଫ୍ଲାଇ ଆସ୍ ଇଟା ବ୍ୟବହାର ହେବ ସେଥିପାଇଁ ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିଲଡିଂ ବାଇ ଲ’ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ ବୋଲି ନିକଟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଏବେ ନାଲି ଇଟା ପ୍ରସ୍ତୁତ ପାଇଁ ମାଟିରେ ପ୍ରସ୍ତୁତ ଇଟାକୁ ପୋଡ଼ିବା ଦ୍ୱାରା ଏହାର ଧୂଆଁରେ ପରିବେଶ ଉପରେ କୁପ୍ରଭାବ ପଡ଼ୁଛି । ତେଣୁ ତାପଜ ବିଦ୍ୟୁତ କେନ୍ଦ୍ରରୁ ବାହାରୁଥିବା ଫ୍ଲାଇ ଆସ୍ର ବହୁ ଭାଗ ଯେପରି ଇଟା ନିର୍ମାଣରେ ବ୍ୟବହାର ହୋଇପାରିବ ସେନେଇ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏପରିକି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତ ତାପଜ ବିଦ୍ୟୁତ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ଯେ, ସେମାନଙ୍କର ଶତ ପ୍ରତିଶତ ଫ୍ଲାଇ ଆସ୍ର ଉଚିତ ବ୍ୟବହାର ହୋଇଛି ।
ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ, ନାଲ୍କୋର ଅନୁଗୁଳସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ରରୁ ବାହାରୁଥିବା ଫ୍ଲାଇ ଆସ୍ର ମାତ୍ର ୪୬.୭୭% ବ୍ୟବହାର ହେଉଛି । ତେଣୁ ଶତ ପ୍ରତିଶତ କରିବାକୁ କୁହାଯାଇଛି । ଦୁଇ ମାସ ପରେ ଏହା ଶତ ପ୍ରତିଶତ ହୋଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏନ୍ଟିପିସିରେ ବାର୍ଷିକ ୭.୨୯ମିଲିଅନ୍ ଟନ୍ ଫ୍ଲାଇ ଆସ୍ ବାହାରୁଥିବାବେଳେ ଏଥିରୁ ୪୭.୪୯% ପୁନଃ ବ୍ୟବହାର ହୋଇପାରୁଛି। ଏନ୍ଟିପିସି କର୍ତ୍ତୃପକ୍ଷ କହିଛନ୍ତି ଯେ, ବର୍ତ୍ତମାନ ବାହାରୁଥିବା ଫ୍ଲାଇ ଆସ୍ଗୁଡ଼ିକୁ ସେମାନେ ରାସ୍ତା ନିର୍ମାଣ ସମୟରେ ବ୍ୟବହାର କରୁଛନ୍ତି । ପୂର୍ତ୍ତ ବିଭାଗ ସହ ଯୋଗାଯୋଗ କରି ପଦକ୍ଷେପ ନିଆଯାଉଛି । ଶତ ପ୍ରତିଶତ ଫ୍ଲାଇ ଆସ୍ ବ୍ୟବହାର ପାଇଁ ନୂଆ ପାଇପ୍ ଲାଇନ୍ ବିଛା ଯାଉଥିବାରୁ ଏହା କାର୍ଯ୍ୟକାରୀ ହେବାକୁ ଆଉ ୧୮ ମାସ ଲାଗିବ ।
ଝାରସୁଗୁଡ଼ା ସ୍ଥିତ ଓପିଜିସି ପ୍ଲାଣ୍ଟରୁ ୧.୦୯ମିଲିଅନ ଟନ୍ ଫ୍ଲାଇ ଆସ୍ ବାହାରୁଥିବାବେଳେ ଏହାର ୫୫.୪% ବ୍ୟବହାର ହୋଇଛି । ବିଭିନ୍ନ ସ୍ଥାନରେ ତଳିଆ ଅଞ୍ଚଳ ପୂରଣ ପାଇଁ ଏହା ବ୍ୟବହାର ହେଉଛି । ଏହି ପ୍ଲାଣ୍ଟ ଦୂରରେ ଥିବାରୁ ଫ୍ଲାଇ ଆସ୍ର ସଦୁପଯୋଗ ହୋଇପାରୁନି । ତେଣୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ହୀରାକୁଦସ୍ଥିତ ହିଣ୍ଡାଲକୋରୁ ୦.୯୪ ମିଲିଅନ ଟନ୍ ଫ୍ଲାଇ ଆସ୍ ବାହାରୁଥିବାବେଳେ ଏଥିରୁ ୬୩.୪୧% ବ୍ୟବହାର ହେଉଛି । ଏହି ଫ୍ଲାଇ ଆସ୍ ରାସ୍ତା ପ୍ରଶସ୍ତିକରଣ ଏବଂ ତଳିଆ ଅଞ୍ଚଳ ପୋତିବାରେ ମୁଖ୍ୟତଃ ବ୍ୟବହାର ହେଉଛି । ଆଦିତ୍ୟ ଆଲୁମିନିୟମ, ହିଣ୍ଡାଲକୋରୁ ୧.୫୩ ମିଲିଅନ ଟନ୍ ଫ୍ଲାଇ ଆସ୍ ବାହାରୁଥିବାବେଳେ ଏହାର ୭୩.୧୪% ବ୍ୟବହାର ହେଉଛି । ଏଥିରୁ ଅଧିକାଂଶ ସିମେଣ୍ଟ ପ୍ରସ୍ତୁତିରେ ବ୍ୟବହାର ହେଉଛି । ଆଠଗଡ଼ସ୍ଥିତ ଭୁବନେଶ୍ୱର ପାଓ୍ଵାରରୁ ୦.୩୫ ମିଲିଅନ ଟନ୍ ଫ୍ଲାଇ ଆସ୍ ବାହାରୁଥିବାବେଳେ ଏହାର ୫୬.୨୪% ବ୍ୟବହାର ହେଉଛି ।