ବିଜେପିକୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ ! ଆସନ୍ତାକାଲି ୟେଦ୍ୟୁରପ୍ପାଙ୍କୁ ଦେବାକୁ ପଡ଼ିବ ଅଗ୍ନିପରୀକ୍ଷା, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଡ଼େଡଲାଇନ

49

ବିଜେପି ଓ ୟେଦିୟୁରପ୍ପାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା । ଆସନ୍ତାକାଲି ଅପରାହ୍ନ ୪ଟା ସୁଦ୍ଧା ଦେବାକୁ ପଡିବ ଅଗ୍ନି ପରୀକ୍ଷା । ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାପାଇଁ କହିଛନ୍ତି କୋର୍ଟ । କଂଗ୍ରେସ ଓ ଜେଡିଏସ ମେଂଟ ନିକଟରେ ଅଧିକ ବିଧାୟକ ଥିବାବେଳେ ବିଜେପିକୁ ସରକାର ଗଢିବାର ସୁଯୋଗ ଦିଆଯାଇଥିବାରୁ ୟେଦିୟୁରପ୍ପାଙ୍କୁ ତୁରନ୍ତ ଶକ୍ତି ପରୀକ୍ଷାର ସାମ୍ନା କରିବାକୁ ପଡିବ । ରାଜ୍ୟପାଳ ଦେଇଥିବା ୧୫ ଦିନର ସମୟକୁ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ । ସେପଟେ ଆବଶ୍ୟକ ସଂଖ୍ୟା ନଥିବା ବିଜେପି ଘୋଡା ବେପାର କରିବା ଆଶଙ୍କାରେ ବିଧାୟକମାନଙ୍କୁ ହାଇଦ୍ରାବାଦ ନେଇଯାଇଛନ୍ତି ଜେଡିଏସ ଓ କଂଗ୍ରେସ । ଆଉ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେଜି ବୋପାୟାଙ୍କୁ ଅସ୍ଥାୟୀ ବାଚସ୍ପତି ମଧ୍ୟ ନିଯୁକ୍ତ କରାଯାଇଛି ।

କର୍ଣ୍ଣାଟକରେ ତୀବ୍ର ରାଜନୈତିକ ବିବାଦ ଭିତରେ ତୁରନ୍ତ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆବଶ୍ୟକ ସଂଖ୍ୟା ନଥାଇ ସରକାର ଗଢିବାକୁ ସୁଯୋଗ ପାଇଥିବା ବିଏସ ୟେଦିୟୁରପ୍ପାଙ୍କୁ ଦେବାକୁ ପଡିବ ବଡ ଅଗ୍ନି ପରୀକ୍ଷା । କାରଣ କଂଗ୍ରେସ ଓ ଜେଡିଏସର ଆବେଦନକୁ ଗ୍ରହଣ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକ ବିଧାନସଭାର ୨୨୨ଟି ଆସନରେ ଭୋଟ୍ ପଡିଥିବାବେଳେ ଜେଡିଏସ ସୁପ୍ରିମୋ କୁମାରସ୍ୱାମୀ ଦୁଇଟି ଆସନରୁ ଜିତିଥିବାରୁ ଗୋଟିଏରୁ ଇସ୍ତଫା ଦେବାକୁ ପଡିବ । ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୧ । ଆଉ ବିଏସ ୟେଦିୟୁରପ୍ପାଙ୍କ ସମର୍ଥନରେ ୧୧୧ ବିଧାୟକ ଅଛନ୍ତି ବୋଲି ଶନିବାର ୪ଟା ସୁଦ୍ଧା ପ୍ରମାଣ କରିବାକୁ ପଡିବ ।

ବିଜେପି ଆଗରେ ଦୁଇଟି ବିକଳ୍ପ ରଖିଥିଲେ ସୁପ୍ରିମକୋର୍ଟ । ୟେଦିୟୁରପ୍ପାଙ୍କ ଶପଥର ସମୀକ୍ଷା ହେବ କିମ୍ବା ସରକାର ଗଢିବା ପାଇଁ ବିଧାନସଭାରେ ତୁରନ୍ତ ଶକ୍ତି ପରୀକ୍ଷା ଦେବାକୁ ପଡିବ । ଆଉ ଦ୍ୱିତୀୟ ବିକଳ୍ପରେ ରାଜି ଭାରତୀୟ ଜନତା ପାର୍ଟି, ଆବଶ୍ୟକ ୭ ବିଧାୟକଙ୍କ ସମର୍ଥନ କେଉଁଠୁ ଆଣିବ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ହୋଇଛି । ଚର୍ଚ୍ଚା ହେଉଛି କଂଗ୍ରେସ-ଜେଡିଏସ ମେଂଟରେ ଅସନ୍ତୁଷ୍ଟ କିଛି ବିଧାୟକଙ୍କୁ ଜଣେ ଲିଙ୍ଗାୟତ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଭୋଟ ପାଇଁ ମନାଇସାରିଛି ବିଜେପି । କଂଗ୍ରେସର ଦୁଇ ବିଧାୟକ ଆନନ୍ଦ ସିଂ ଓ ରାଜଶେଖର ପାଟିଲ ନିଖୋଜ ହୋଇଯିବା ଏହି ରଣନୀତିର ଏକ ଅଂଶ ବୋଲି ମଧ୍ୟ କୁହାଯାଉଛି ।

ବିଜେପି ସହ ନ୍ୟାୟିକ ଲଢେଇରେ ବିଜୟ ପରେ ସଂଖ୍ୟାର ଲଢେଇରେ ହାରିବାକୁ ଚାହୁଁନାହିଁ କଂଗ୍ରେସ-ଜେଡିଏସ ମେଂଟ । ଯେଉଁଥିପାଇଁ ଦଳର ବିଧାୟକମାନଙ୍କୁ ଏକାଠି କରି ନେଇଯାଇଛି ହାଇଦ୍ରାବାଦ । ତିନିଟି ବସରେ ଜେଡିଏସ ଓ କଂଗ୍ରେସର ବିଧାୟକମାନଙ୍କୁ ନେଇ ହାଇଦ୍ରାବାଦ ବଂଜାରା ହିଲ୍ସର ଏକ ହୋଟେଲ ଓ ଗାନ୍ଧିପେଟର ଏକ ରିସୋର୍ଟରେ ରଖାଯାଇଛି । ଜାତୀୟ ସ୍ତରରେ ଅଣବିଜେପି ମେଂଟର ଆହ୍ୱାନ ଦେଇଥିବା କେସିଆର ଏବେ କୁମାରସ୍ୱାମୀଙ୍କ ଭରସା ପାଲଟିଛନ୍ତି ।

ତେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଆଗରୁ ୟେଦିୟୁରପ୍ପା କୌଣସି ନୀତିଗତ ନିଷ୍ପତି ନେଇ ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଆଉ ସେପଟେ କେଜି ବୋପାୟାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିର୍ବାଚିତ କରିଛନ୍ତିି ରାଜ୍ୟପାଳ । ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ଏବେ ଉଷ୍ମ ହୋଇଛି ।