ଅଷ୍ଟ୍ରେଲିଆରେ ପ୍ରଳୟଙ୍କାରୀ ବନ୍ୟା ! ରାସ୍ତା ଉପରେ ବୁଲୁଛନ୍ତି ଶହ ଶହ କୁମ୍ଭୀର, ଉଦ୍ଧାରକାର୍ଯ୍ୟ ପାଇଁ ସେନା ମୁତୟନ

280

ଅଷ୍ଟ୍ରେଲିଆର ଉତ୍ତର ପୂର୍ବ ଅଞ୍ଚଳରେ ପ୍ରବଳ ବନ୍ୟା ଆସିବା ଫଳରେ ଭୟଙ୍କର ସ୍ଥିତି ଉପୁଜିଛି । କୁହାଯାଉଛି ପ୍ରତି ୧୦୦ ବର୍ଷରେ ଏଭଳି ଏକ ବନ୍ୟା ଆସିଥାଏ । ଆଉ ଏହି ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ଘରଦ୍ୱାର, ସ୍କୁଲ ଓ ବିମାନ ବନ୍ଦର ପାଣିରେ ଉବୁଟୁବୁ ହେଉଛି । ତେବେ ଲୋକଙ୍କ ପାଇଁ ଏହି ବନ୍ୟା ଯେତିକି ବିପଦ ସୃଷ୍ଟି କରିନାହିଁ ତା’ଠାରୁ ଅଧିକ ବିପଦ ସୃଷ୍ଟି କରିଛି କୁମ୍ଭୀର । ଯେଉଁଥିପାଇଁ ହଜାର ହଜାର ଲୋକ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି ।

ବନ୍ୟା ପାଣି ସହ ରାସ୍ତା ଉପରକୁ ଶହ ଶହ କୁମ୍ଭୀର ମଧ୍ୟ ଉଠି ଆସିଛନ୍ତି । ଯାହା ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପୁରାଇଛି । ପ୍ରଥମ ଥର ପାଇଁ ଏତେ ପାଣି ଦେଖି ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଉ ଏଭଳି ସ୍ଥିତିରୁ ରକ୍ଷା ପାଇବା ପାଇଁ ସରକାର ସେନାର ସହାୟତା ଲୋଡିଛନ୍ତି । କୁଇନସଲାଣ୍ଡରେ ଅଷ୍ଟ୍ରେଲିଆନ୍ ଡିଫେନ୍ସ୍ ଫୋର୍ସ ୭୦, ୦୦୦ ବାଲିବସ୍ତା ଦେବା ସହ ଜଳ ଓ ସ୍ଥଳରେ ଚାଲିପାରୁଥିବା ମାଲପରିବହନ ଗାଡ଼ି ମୁତୟନ କରିଛି। ଯଦି ପ୍ରବଳ ବର୍ଷା ଲାଗି ରହେ ତେବେ ବନ୍ୟା ଯୋଗୁଁ ପ୍ରାୟ ୨୦, ୦୦୦ ଘର ପ୍ରଭାବିତ ହୋଇପାରେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଜଳମଗ୍ନ ରାସ୍ତାଘାଟରେ କେତେଗୁଡ଼ିଏ ଲୁଣିପାଣି କୁମ୍ଭୀର ଦେଖା ଦେବାରୁ ଲୋକମାନଙ୍କୁ ବନ୍ୟାପାଣି ମଧ୍ୟକୁ ନ ଯିବାକୁ ପୁଲିସ ତରଫରୁ ସତର୍କ କରାଇ ଦିଆଯାଇଛି। ୧୬୦୦୦ ରୁ ଅଧିକ ଲୋକଙ୍କ ଘରୁ ବର୍ଷା ଓ ବନ୍ୟା ଯୋଗୁଁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି। ବିପନ୍ନ ଲୋକମାନଙ୍କ ସକାଶ ଦୁଇଟି ବିମାନରେ ପ୍ରାୟ ୩୦୦୦ ଟନର ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବହାର‌୍ୟ୍ୟ ସାମଗ୍ରୀ ପଠାଯାଇଛି।

ବର୍ଷାଜନିତ ବନ୍ୟା ଯେତେ ପ୍ରଳୟଙ୍କରୀ ହେଲେ ସୁଦ୍ଧା ଏହାର ସୁଫଳ ମଧ୍ୟ ମିଳିବ ବୋଲି ଜଣାପଡ଼ିଛି। କାରଣ ଦୀର୍ଘ ଦିନ ହେବ ଅଷ୍ଟ୍ରେଲିଆର ସେ ଅଞ୍ଚଳରେ ମରୁଡ଼ି ଦେଖା ଦେଇଛି।ସୋମବାର ସକାଳେ ମାତ୍ର କେଇଘଣ୍ଟାରେ ଇନଗାମ ସହରରେ ୧୦ ସେମି ବର୍ଷା ହୋଇଛି। ସବୁଠୁ ବଡ କଥା ହେଲା. ପୂରା ବର୍ଷରେ ଯେତିକି ବର୍ଷା ହେବା କଥା ସେତିକି ପରିମାଣର ବର୍ଷା ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ହୋଇଛି । ଯାହାଫଳରେ ଏଭଳି ବନ୍ୟା ସ୍ଥିତି ଉପୁଜିଛି ।