ମାଲକାନଗିରି ଚିତ୍ରକୋଣ୍ଡାରେ ଲଗାଣ ବର୍ଷାର ପ୍ରଭାବ : ପାଣିରେ ଧୋଇଗଲା ଅସ୍ଥାୟୀ ପୋଲ

175

କନକ ବ୍ୟୁରୋ : ମାଲକାନଗିରିର ଚିତ୍ରକୋଣ୍ଡାରେ କିଛି ଦିନର ଲଗାଣ ବର୍ଷା ପରେ ଏବେ ଅବସ୍ଥା ବେହାଲ । ବର୍ଷା ପରେ ଅନେକ ସମସ୍ୟାର ଶିକାର ହେଉଛନ୍ତି ସାଧାରଣ ଲୋକ । ପ୍ରବଳ ବର୍ଷା ପରେ ଆସିଥିବା ପାଣିରେ ଧୋଇ ଯାଇଛି ଅସ୍ଥାୟୀ ପୋଲ । ନୂଆଗୁଡା ପଂଚାୟତ ସ୍ଥିତ ସିଡିପକା ଗାଁରେ ରହିଛି ଏହି ଅସ୍ଥାୟୀ ପୋଲଟି ଚିତ୍ରକୋଣ୍ଡାରୁ ଆନ୍ଧ୍ରକୁ ଯୋଡିଥାଏ । ପୋଲ ଉପର ରାସ୍ତା ଦେଇ ଲୋକେ ପ୍ରତ୍ୟକ ଦିନ ଯିବାଆସିବା କରନ୍ତି । ହେଲେ ଅସ୍ଥାୟୀ ପୋଲ ଧୋଇନେବା ପରେ ଗାଁ ଲୋକେ ଏକପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛନ୍ତି ।

ଅସ୍ଥାୟୀ ପୋଲ ଭାସିଯିବା ପରେ ଏକ ନୂଆ ପୋଲ ନିର୍ମାଣ ଚାଲିଥିଲା । ତାହା ବି ବର୍ଷା ଧୋଇ ନେଇଛି । ବର୍ଷ ବର୍ଷ ଧରି ଚିତ୍ରକୋଣ୍ଡାବାସୀ ଗମନାଗମନ କ୍ଷେତ୍ରରେ ଏଭଳି ସମସ୍ୟାର ଶିକାର ହୋଇ ଆସୁଛନ୍ତି । ହେଲେ ସରକାରଙ୍କ ଏଥିପ୍ରତି ଦୃଷ୍ଟି ପଡୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଚିତ୍ରକୋଣ୍ଡା ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି, ଲୋକଙ୍କ ସମସ୍ୟା ପ୍ରଶାସନ ନିକଟରେ ପହଁଚିଛି । ଖୁବଶୀଘ୍ର ପୋଲର ମରାମତି କାମ କରାଯିବ ।