ଉଛୁଳୁଛି ମହାନଦୀ, ବଢୁଛି ବନ୍ୟା ଆଶଙ୍କା ! ମହାନଦୀରେ ମାଡିଆସୁଛି ବନ୍ୟା, ଛତିଶଗଡ ବନ୍ୟାଜଳ ଛାଡୁଥିବାରୁ ବିଜେପିକୁ ବିଜେଡିର ଟାର୍ଗେଟ ।

51

କନକ ବ୍ୟୁରୋ : ମହାନଦୀରେ ମାଡି ଆସୁଛି ବନ୍ୟା ପାଣି । ହୀରାକୁଦ ଜଳଭଣ୍ଡାରରୁ ୨୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨ ଦଶମିକ୍ ଏକ ଶୂନ ଫୁଟ ରହିଛି । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୧ହଜାର ୯୪୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ୪ ଲକ୍ଷ ୯ ହଜାର ୯୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଖଇରମାଲ ନିକଟରେ ୭ ଲକ୍ଷ ୬୬ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବରମୂଳରେ ୪ଲକ୍ଷ ୫୮ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେହିପରି ମୁଣ୍ଡଳି ବ୍ୟାରେଜରେ ୬ଲକ୍ଷ ୨୫ହଜାର ୯୭୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେପଟେ ଛତିଶଗଡ଼ରୁ ୫ ଲକ୍ଷ ୪୯ ହଜାର କ୍ୟୁସେକ୍ ପାଣି ପହଁଚିବାକୁ ଥିବାରୁ ହୀରାକୁଦ ଡ୍ୟାମରୁ ପାଣି ନିଷ୍କାସନ କରାଯାଉଛି । ହୀରାକୁଦରୁ ନିଷ୍କାସିତ ହେଉଥିବା ୮ଦଶମିକ ୫ ଲକ୍ଷ କ୍ୟୁସେକ ଜଳ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳିରେ ପହଁଚିବ । ବଡ଼ ଧରଣର ବନ୍ୟା ନହେଲେ ମଧ୍ୟ ଏହି ପାଣି ପହଁଚିଲେ ମହାନଦୀର ତଳମୁଣ୍ଡରେ ଥିବା ଗାଁ  ଜଳମଗ୍ନ ହେବାର ଆଶଙ୍କା ସୃ୍ଷ୍ଟି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ମହାନଦୀ କୂଳିଆ ୧୧ଟି ଜିଲ୍ଲାକୁ ସତର୍କ କରାଇଛନ୍ତି  ସରକାର । ୩ଟି ଏନଡିଆରଏଫ, ୨ଟି ଓଡ୍ରାଫ ଟିମ ଏବଂ ୧୯୮ଟି ବୋଟ୍ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି ।

ଛତିଶଗଡ଼ ପାଇଁ ଓଡ଼ିଶାରେ ବନ୍ୟା? ଫୁଲୁଛି ମହାନଦୀ, ତେଜୁଛି ରାଜନୀତି । ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ଖରାଦିନେ ମହାନଦୀ ପାଣିକୁ ଅଟକାଇ ଦେଇ ଅଧା ଓଡ଼ିଶାରେ ଜଳକଷ୍ଟ ସୃଷ୍ଟି କରିଥିଲା ଛତିଶଗଡ଼ । କିନ୍ତୁ ଏବେ ଲଗାଣ ବର୍ଷାରେ ସ୍ଥିତି ଅସମ୍ଭାଳ ହେବାରୁ ବିନା ସୂଚନାରେ ଛାଡ଼ି ଚାଲିଛି ବନ୍ୟା ପାଣି । ଫଳରେ ଛନକା ପଶିଯାଇଛି ମହାନଦୀ କୂଳିଆ ଲୋକଙ୍କ ମନରେ । ସେପଟେ ମହାନଦୀର ସୁଅ ଯେତିକି ପ୍ରଖର ହେଉଛି ଏହାକୁ ନେଇ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ମହାନଦୀରେ ବନ୍ୟା ପରିସ୍ଥିତିକୁ ନେଇ ସିଧାସଳଖ ଛତିଶଗଡକୁ ଦାୟୀ କରିଛି ବିଜେଡି । ଛତିଶଗଡର ମନମୁଖୀ କାର୍ଯ୍ୟ ପାଇଁ ବନ୍ୟା ଆଶଙ୍କା ଉପୁଜିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଦେବୀପ୍ରସାଦ ମିଶ୍ର । ବର୍ଷା ସମୟରେ ଛତିଶଗଡ ଅବିଚାରିତ ଭାବେ ବନ୍ୟା ଜଳ ଛାଡୁଛି । ଓଡ଼ିଶାକୁ ପ୍ରାକ୍ ସୂଚନା ନଦେଇ ଛତିଶଗଡ ପାଣି ଛାଡୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ବିଜେଡିର ଏହି ଅଭିଯୋଗକୁ ମାନିବାକୁ ନାରାଜ ରାଜ୍ୟ ବିଜେପି ।

ମହାନଦୀରେ ପାଣି ଅଟକାଇବା ଓ ପାଣି ଛାଡିବାକୁ ନେଇ ଛତିଶଗଡ଼ର ମନମୁଖୀ କାରବାରକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଅଚାନକ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗ ସହ ମହାନଦୀ ପାଇଁ ସମୀକ୍ଷା ବୈଠକ କରିଛନ୍ତି ମନ୍ତ୍ରୀ ଅର୍ଜୁନ ମେଘୱାଲ । କେତେ ଜଳ ଛାଡିଲେ ଓଡିଶା ପାଇଁ ଅସୁବିଧା ହେବନି ସେଥି ନେଇ ଛତିଶଗଡ ସହିତ ଆଲୋଚନା କରିବେ ବୋଲି ସେ କହିଛନ୍ତି । ଉପର ମୁଣ୍ଡରେ ମାଳ ମାଳ ବ୍ୟାରେଜ୍ କରି ମହାନଦୀ ଜଳ ଉପରେ ଏକଚାଟିଆ ଅଧିକାର ରଖିବାକୁ ଚାହୁଁଛି ଛତିଶଗଡ଼ । ପରିସ୍ଥିତି ଏପରି ହୋଇଛି ଯେ ଓଡ଼ିଶାରେ ଖରାଦିନେ ମରୁଡ଼ି ଓ ବର୍ଷା ଦିନେ ବନ୍ୟା ସବୁକିଛି ଏବେ ରହିଯାଇଛି ଛତିଶଗଡ଼ ହାତରେ ।