ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ! ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାସ୍ତରରେ ସବୁ ଅଫିସରଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

61

କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଂଟା ଭିତରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ପ୍ରଭାବରେ ସୁନ୍ଦରଗଡ , କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ଆସନ୍ତା ୪୮ ଘଂଟା ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆଗାମୀ ୨୪ ଘଂଟା ଭିତରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ଫଳରେ ସୁବର୍ଣ୍ଣରେଖା, ବୁଢାବଳଂଗ, ବାହ୍ମଣୀ, ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଛି ।

ସେପଟେ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରିଲିଫ୍ କମିଶନର୍ । ଏହା ସହ ବନ୍ୟାକୁ ଆଖି ଆଗରେ ରଖି ଜିଲ୍ଲା ସ୍ତରରେ ସମସ୍ତ ଅଧିକାରୀ ଏବଂ ଅଫିସରଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।