ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ! ୨୪ ଘଣ୍ଟାରେ ଗଲାଣି ୪୯ ଜୀବନ, ମୋଟ ୨୫୩ ମୃତ

32

କନକ ବ୍ୟୁରୋ : ବନ୍ୟା ସାଜିଛି ବିହାରବାସୀଙ୍କ ପାଇଁ ମୃତ୍ୟୁର ଦୂତ । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଭୟଙ୍କର ବନ୍ୟା । ମାତ୍ର ୨୪ ଘଂଟା ଭିତରେ ୪୯ଜଣଙ୍କର ଜୀବନ ଯିବା ପରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୫୩ ଛୁଇଁଛି । ବିହାରର ଆରାରିଆ ଜିଲ୍ଲାରେ ସର୍ବାଧିକ ୫୭ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ଏହା ପଛକୁ ସୀତାମାଢ଼ିରେ ୩୧ ଜଣ ଓ ଚମ୍ପାରନରେ ୨୯ଜଣଙ୍କର ଜୀବନ ଯାଇଛି । ବନ୍ୟାରେ ସାଧାରଣ ଲୋକଙ୍କ ଜୀବନ ଏକପ୍ରକାର ଦୁଃବିସହ ହୋଇପଡିଛି ।

ରାଜ୍ୟରେ ହୋଇଥିବା ବନ୍ୟା ଯୋଗୁଁ  ୧୮ଟି ଜିଲ୍ଲାରେ ପ୍ରାୟ ୪.୨୧ଲକ୍ଷ ଲୋକ ଘରଦ୍ୱାର ଛାଡି ୧୩୫୮ଟି ବନ୍ୟା ଶିବିରରେ ଆଶ୍ରୟ ନେଇଛନ୍ତି । ୨୮ଟି ଏନଡିଆରଏଫ୍ ଟିମକୁ ଉଦ୍ଧାର କାର୍ୟ୍ୟରେ ନିୟୋଜିତ କରାଯାଇଛି । ୧୧୮ଟି ବୋଟ୍ ସହାୟତାରେ ଜଳଘେରରେ ଫଶି ରହିଥିବା ଲୋକଙ୍କ ନିରାପଦ ସ୍ଥାନକୁ ନିଆଯାଉଛି । ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି ।