ବନ୍ୟା ସ୍ଥିତିରେ ଆସୁଛି ସୁଧାର ! ବିଭିନ୍ନ ନଦୀରେ କମୁଛି ଜଳସ୍ତର, ସୁବର୍ଣ୍ଣରେଖା ସ୍ଥିର, ବିପଦ ସଙ୍କେତ ତଳେ ବହୁଛି ବୈତରଣୀ ଓ ଇବ୍

23

କନକ ବ୍ୟୁରୋ : ସୁନ୍ଦରଗଡରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ଇବ୍ ନଦୀରେ ଜଳସ୍ତର ଧିରେ ଧିରେ କମୁଛି । ଏବେ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ସହର ଓ ନଇକୁଳିଆ ଅଂଚଳରୁ ପାଣି ଛାଡି ଯାଇଛି । ତେବେ ଗତକାଲି ପିଇବା ପାଣି ପାଇଁ ଲୋକେ ହଇରାଣ ହେଉଥିବା ବେଳେ ଲୋକଙ୍କୁ ପିଏଚଡି ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ତେବେ ଉପରମୁଣ୍ଡରେ ବର୍ଷା କମି ଯିବାରୁ ବନ୍ୟା ପରିସ୍ଥିତିରେ ସୁଦ୍ଧାର ଆସିଛି ।

ହେଲେ ଏବେ ବି ପାଗ ମେଘୁଆ ରହିଛିି । ଲଗାଣ ବର୍ଷା ଯୋଗୁଁ ଇବ୍ ନଦୀରେ ବନ୍ୟା ଆସି ସୁନ୍ଦରଗଡ ସହରର ରାଣୀବଗିଚା ଓ ମହାଦେବପଡା ଅଂଚଳ ଜଳମଗ୍ନ ହେବା ସହ ତଳି ଅଂଚଳରେ ପାଣି ପଶିଥିଲା । ରାସ୍ତାଘାଟରେ ପାଣି ଜମିଥିବା ବେଳେ ଘରେ ମଧ୍ୟ ପାଣି ପଶିଛି । ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।ରାଉରକେଲା ଉପକଣ୍ଠରେ କୂଳ ଲଂଘିଥିବା କୋଏଲ ଓ ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର କମିଛି ।

ଫଳରେ ପାଣିଘେରରେ ଥିବା ଅଂଚଳରେ ବନ୍ୟାଜଳ ଛାଡି ଯାଇଛି । ପାଣିଛାଡି ଯିବା ପରେ ଲୋକେ ନିଜର ଜୀବନ ଜୀବିକାକୁ ସଜାଡିବାରେ ଲାଗିଛନ୍ତି । ବ୍ରାହ୍ମଣୀ କୂଳରେ ଥିବା ପାନପୋଷ ଅଂଚଳର ବାଲଘାଟ, ପର୍ପଲ ବସ୍ତି, ଦାଣ୍ଡିଆ ପଲ୍ଲୀରେ ବନ୍ୟାପାଣି ପଶିଯାଇଥିଲା । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି । ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର ପରେ ଅସ୍ଥାୟୀ ଆଶ୍ରୟ ଗୃହରେ ରଖାଯାଇଛି । ସେପଟେ ବନ୍ୟା ଜଳ ନିଷ୍କାସନ ପାଇଁ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ଖୋଲା ରହିଛି ।

ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିଛି । ଏବେ ବି ବିପଦ ସଂକେତ ଉପରେ ବହୁଛି ସୁବର୍ଣ୍ଣରେଖା । ରାଜଘାଟରେ ନଦୀର ବିପଦ ସଂକେତ ୧୦ ଦଶମିକ ୩୬ ଥିବା ବେଳେ ଏବେ ଏଠାରେ ସୁବର୍ଣ୍ଣରେଖା ୧୧ ଦଶମିକ ୩୩ ରହୁଛି । ଗାଲୁଡିହି ଡ୍ୟାମରୁ ୯ଟି ଗେଟ୍ ଖୋଲିବା ପରେ ଫୁଲୁଛି ସୁବର୍ଣ୍ଣରେଖା । ବନ୍ୟାଜଳ ଆସିବାରୁ ବାଲିଆପାଳ, ବସ୍ତା ଜଳେଶ୍ୱର ଓ ଭୋଗରାଇର ୫୫ଟି ଗାଁ ଜଳବନ୍ଦୀ ହୋଇ ରହିଛି । ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ଗତକାଲି ସଂଧ୍ୟା ଠାରୁ ଏବେ ଯାଏଁ ଜଳସ୍ତର ସ୍ଥିର ରହିଛି ।