ମହାନଦୀ ଅବବାହିକାରେ ବନ୍ୟା! ରାଜ୍ୟର ଅଧିକାଂଶ ଅଂଚଳ ଜଳମଗ୍ନ, ପାଣିପାଗ ବିଭାଗର ପୂର୍ବାନୁମାନ, ପଶ୍ଚିମ ଓ ଉତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

67

କନକ ବ୍ୟୁରୋ: ହୀରାକୁଦ୍ ଗେଟ୍ ଖୋଲିବା ପରେ ତଳିଆ ଅଂଚଳରେ ପଶିଲା ମହାନଦୀର ବନ୍ୟା ପାଣି । ସୋନପୁର, ବୌଦ୍ଧ, ବାଙ୍କୀ ଓ ନୟାଗଡରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟ ପାଣିରେ ବୁଡି ରହିଛି । ବ୍ରିଜ୍ ଉପରେ ୪ ଫୁଟର ପାଣି ଚାଲୁଛି । ଫଳରେ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏପଟେ ସାମାନ୍ୟ ବନ୍ୟାସ୍ଥିତି ଉପୁଜିଥିବା କହିଛନ୍ତି ଏସଆରସି । ତଥାପି ସତର୍କ ଦୃଷ୍ଟି ରଖିଛନ୍ତି ସରକାର । ହୀରାକୁଦ ନଦୀବନ୍ଧକୁ ବନ୍ୟାଜଳ ପ୍ରବେଶ କମିଥିବାରୁ ୫ଟି ଗେଟକୁ ବନ୍ଦ କରିଦିଆଯାଇଛି ।

ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀ ଅବବାହିକାରେ ଥିବା ତଳିଆ ଅଂଚଳରେ ବନ୍ୟା ଜଳ ପଶିଛି । ବାଙ୍କିର ରତାଗଡ, ଗୋବିନ୍ଦପୁର, ବନ୍ଦାଳ, ବାଉଁଶପୁଟ ପଂଚାୟତର ପ୍ରାୟ ୨୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏହାସହ ତିରିଆରୁ ବାଙ୍କି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ବିଲିପଡା ପଂଚାୟତର କବଁଆ ନାଳ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି । ଫଳରେ ବିଲିପଡାରୁ ସିମିଳପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଅନ୍ୟପଟେ ସୋନପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୀରମହାରାଜପୁରର ୪୦ଟି ଗାଁରେ ବନ୍ୟା ପାଣି ପଶିବାରୁ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ବୀରମହାରାଜପୁର ଓ ସୁବର୍ଣ୍ଣପୁରକୁ ସଂଯୋଗ କରୁଥିବା ବିଜେପୁର ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

ନୟାଗଡରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ଜିଲ୍ଲାର ୨ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି । ଗଣିଆ ବ୍ଲକର ରାସଙ୍ଗ ନିକଟ ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଗଣିଆ ଓ ଛାମୁଣ୍ଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଚିନ୍ନ ହୋଇଯାଇଛି । ସେହିପରି ବୌଦ୍ଧରେ ବି ବନ୍ୟା ପରିସ୍ଥିତି । ୩ ଦିନ ହେବ ଗାଁ ଲୋକ ବନ୍ୟା ପାଣିରେ ଅଛନ୍ତି । ହରଭଙ୍ଗା ବ୍ଲକର ବହୁ ଚାଷ ଜମିରେ ବନ୍ୟା ଜଳ ମାଡିଯାଇଛି । ବୌଦ୍ଧ-ହରଭଙ୍ଗା ଜଗନ୍ନାଥ ସଡକ ତିନଦିନି ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କୁଶଙ୍ଗ ପଂଚାୟତର ମାରାଡା ଗାଁ ମଧ୍ୟ ପାଣିଘେରରେ ରହିଛି । ମାରାଡା ଗାଁର ୨୫ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି ।

ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ମହାନଦୀ ଅବବାହିକାରେ ସାମାନ୍ୟ ବନ୍ୟା ଆସିଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ତେବେ ରିଲିଫ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ତତ୍ପର ଥିବା ସେ କହିଛନ୍ତି । ତେବେ ଏସବୁ ଭିତରେ ହୀରାକୁଦ ନଦୀବନ୍ଧରେ ୫ଟି ଗେଟ୍କୁ ବନ୍ଦ କରିଦିଆଯାଇଛି । ଏବେ ୨୦ଟି ଗେଟ ଦେଇ ୩ ଲକ୍ଷ ୩୧ ହଜାର ୯୯ କ୍ୟୁସେକ ପାଣି ଛଡାଯାଉଥିବାବେଳେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୭ ହଜାର ୩୩୧ କ୍ୟୁସେକ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି । ସଂଧ୍ୟାସୁଦ୍ଧା ହୀରାକୁଦର ଜଳସ୍ତର ୬୨୨ ଦଶମିକ ୬୫ ଫୁଟ ରହିଛି । କଟକ ମୁଣ୍ଡଳୀଠାରି ୬ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଆଜି ମଧ୍ୟରାତ୍ରୀ ବେଳକୁ କିଛି ଘଂଟା ପାଇଁ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି । ଏହି ସମୟରେ ପାଖାପାଖି ସାଢେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ । ତେଣୁ ଆସନ୍ତାକାଲି ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାର କିଛି ତଳିଆ ଅଂଚଳରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି ।

ତେବେ ଏସବୁ ଭିତରେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇଦେଇଛି । ଉତର ଆଭ୍ୟନ୍ତରୀଣ ଓଡିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଦୁଇଦିନ ଧରି ଉତର ଓ ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ୩୦ ଓ ୩୧ ତାରିଖରେ ପଶ୍ଚିମ ଓଡିଶାରେ ବର୍ଷା ହେବ । ଫଳରେ ହୀରାକୁଦରେ ପାଣି ବଢିବା ନେଇ ଆଶଙ୍କା ଉପୁଜିଛି । ଯାହା ତଳିଆ ଅଂଚଳ ପାଇଁ ବିପଦ ଆଣିପାରେ । ପଶ୍ଚିମ ଓଡିଶା ସମେତ ଗଞ୍ଜାମ, ଗଜପତି, ରାୟଗଡା, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କୋରାପୁଟ, ରାୟଗଡା, ନୟାଗଡ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ବର୍ଷା ହେବ ବୋଲି ଚେତାବନୀ ଦିଆଯାଇଛି ।.