ବର୍ଷା କମିଛି ହେଲେ ଟଳିନି ବନ୍ୟା ସ୍ଥିତି: ସାବେରୀ ଓ ସିଲେରୁ ନଦୀ ଅଂଚଳରେ କମୁନି ଜଳସ୍ତର, ଏବେବି ରାସ୍ତା ଉପରେ ବହୁଛି ୮ ରୁ ୧୦ ଫୁଟ ଉଚ୍ଚର ବନ୍ୟା ଜଳ

25

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ବର୍ଷା ଥମିଛି । ହେଲେ ଏବେ ବି ବନ୍ୟା ପରିସ୍ଥିତି ଟଳି ନାହିଁ । ଜିଲ୍ଲାର ସାବେରୀ ଓ ସିଲେରୁ ଅଂଚଳରେ ଜଳ ପତନ ହ୍ରାସ ପାଉନ ଥିବା ଯୋଗୁ ମୋଟୁ ଅଂଚଳରେ ଏବେ ବି ବନ୍ୟା ପରିସ୍ଥିତି ଲାଗି ରହିଛି । ସେବେରୀ ନଦୀ ଫୁଲିବା ଯୋଗୁ ମୋଟୁ ଠାରୁ ମୁରଳିଗୁଡାକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୮ ରୁ ୧୦ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହୋଉଛି । ଫଳରେ ଆଲମା, ପେଟା, ବିନାୟକପୁର, ମୁରଳିଗୁଡା, ବାରିବଂଛା, ଜିନେଲଗୁଡା ପରି ୧୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସେହିପରି ସିଲେରୁ ନଦୀରେ ଜଳସ୍ତର ବଢିବାରୁ ମୋଟୁର ଅନ୍ୟ ପାର୍ଶ୍ୟରେ ଥିବା ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି । ଲୋକ ନିଜ ଗାଁକୁ ପହଁଚିବା ପାଇଁ ଡଙ୍ଗାର ସାହାୟତା ନେଉଛନ୍ତି ।

ସେପଟେ କୋରାପୁଟରେ ବିପଦ ସଂକେତ ନିକଟରେ ପହଂଚିଲାଣି କୋଲାବ ଡ଼୍ୟାମର ଜଳ । ସତର୍କ ରହିବାକୁ ତଳିଆ ଅଂଚଳକୁ ସୂଚନା ଦେଇଛନ୍ତି କୋଲାବ ଡ୍ୟାମ୍ ଅଧିକାରୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳଭଣ୍ଡାରର ଜଳସ୍ତର । ଘଂଟାକୁ ୨ ଇଂଚ ବଢ଼ୁଛି ଜଳସ୍ତର । ପାଣି ବଢୁଥିବାରୁ ଡ଼୍ୟାମ ନିକଟରେ ଡ଼େରା ପକାଇଛନ୍ତି ବିଭାଗୀୟ ଅଧିକାରୀ । ପ୍ରତି ଘଂଟାରେ ଜଳସ୍ତର ମାପିବା ସହ ସ୍ଥିତି ଆକଳନ କରାଯାଉଛି । ଜଳ ସ୍ଥରର ବୃଦ୍ଧି ରିପୋର୍ଟ ଜିଲ୍ଳାପାଳକୁ ଦେବା ସହ ତଳିଆ ଅଚଂଳକୁ ସତର୍କ ରହିବାକୁ ସୁଚନା ଦେଇଛନ୍ତି ଡ୍ୟାମ୍ ଅଧିକାରୀ ।

ବର୍ତମାନ କୋଲାବ ଜଳ ଭଣ୍ଡାରର ଜଳ ସ୍ଥର ୮୫୫.୯୦ରେ ପହଚିଂଥିବା ବେଳେ ଏହାର ବିପଦ ସଂକେତ ରହିଛି ୮୫୮ ମିଟର ରହିଛି । ତେବେ ବର୍ତମାନ କୌଣସି ଭୟଭୀତ ହେବାର ନାହିଁ, ପୁଣି ବର୍ଷା ହେଲେ, ଜଳସ୍ତରର ବିପଦ ସଂକେତ ଛୁଇଁଲେ ପାଣି ଛାଡ଼ିବୁ, ସେଥିପାଇଁ ସମସ୍ତେ ସତର୍କ ରହିଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ସେପଟେ ଡ୍ୟାମରେ ଜଳସ୍ତର ବୃଦ୍ଧି ଦେଖି ଡରି ଗଲେଣି ତଳି ଅଂଚଳର ବାସିନ୍ଦା ।