ମାଲକାନଗିରି ସୀମାବର୍ତ୍ତି ସୁକମା ଜିଲ୍ଲାରେ ବନ୍ୟା ପରିସ୍ଥିତି: ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି, ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଯବାନ

30

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାବର୍ତି ସୁକମା ଜିଲ୍ଲାରେ ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁ ସନେରି ନଈ ଫୁଲୁଥିବାରୁ ସୁକମା ଜିଲ୍ଲା କିସ୍ତରାମ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜାତୀୟ ରାଜପଥ ଉପରେ ଆଂଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଛି ।

ଲୋକମାନେ ଦଉଡି ସହାୟତାରେ ରାସ୍ତା ପାର ହେଉଛନ୍ତି । ଫଳରେ ଆନ୍ଧ୍ରପ୍ରଦେଶ ସମେତ ଓଡିଶା ଓ ତେଲେଙ୍ଗାନା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଘେରରେ ଫଶି ରହିଥିବା ଲୋକମାନଙ୍କୁ ଯବାନମାନେ ଉଦ୍ଧାର କରୁଛନ୍ତି ।

ସେପଟେ କେରଳରେ ଭୟାବହ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୫୦ ଟପିଛି । ସେପଟେ ଆଗାମୀ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ସହ ୧୪ଟି ଜିଲ୍ଲାରୁ ରେଡ୍ ଆଲର୍ଟ ପ୍ରତ୍ୟାହାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳରେ ପହଂଚି ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ଆକାଶମାର୍ଗରୁ ବନ୍ୟାଂଚଳ ବୁଲି ଦେଖିଛନ୍ତି । ଏହାପରେ ୫ଶହ କୋଟି ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି । ସେପଟେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଏନଡିଆରଏଫକୁ ସହାୟତା କରୁଛନ୍ତି ସ୍ଥଳସେନା, ନୌସେନା ଓ ବାୟୁସେନା ସମେତ କୋଷ୍ଟଗାର୍ଡ । ଅନ୍ୟାନ୍ୟ ଅର୍ଦ୍ଧ ସାମରିକ ବଳ ମଧ୍ୟ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ବନ୍ୟାରେ ରାସ୍ତା ଧୋଇଯିବା ପରେ ପାଣି ଉପରେ ଅସ୍ଥାୟୀ ପୋଲ କରି ବନ୍ୟା ପ୍ରଭାବିତଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛି ସ୍ଥଳ ସେନ । ସେପଟେ ପାଣି ଘେରରେ ଥିବା ଲୋକଙ୍କୁ ଏୟାର ଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ଆଣୁଛି ନୌସେନାର ହେଲିକପ୍ଟର । ୧୩ଟି ଅସ୍ଥାୟୀ ପୋଲ ଜରିଆରେ ପ୍ରାୟ ୩୮ଟି ଅପହଂଚ ଇଲାକାକୁ ଯୋଗାଯୋଗ ସ୍ଥାପନ କରିବାରେ ସମର୍ଥ ହୋଇଛି ସେନା । ଏପର୍ଯ୍ୟନ୍ତ ୩୬୨୭ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସେନା ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ୧ଲକ୍ଷରୁ ଅଧିକ ପ୍ୟାକେଟ ଖାଦ୍ୟ ପୁଡିଆ ହେଲିକପ୍ଟର ଜରିଆରେ ଆକାଶ ମାର୍ଗରୁ ପହଂଚା ଯାଇଛି । ଅତିରିକ୍ତ ୧ ଲକ୍ଷ ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ ରହିଛି । ପ୍ରତି ୧୦ ମିନିଟ୍ରେ ନୌସେନାର ହେଲିକପ୍ଟର ଉଚ୍ଚ ସ୍ଥାନମାନଙ୍କରେ ରିଲିଫ ସାମଗ୍ରୀ ପହଂଚାଉଛି । ଏନଡିଆରଏଫର ୧୬୩ ବୋଟ ସହ ନୌସେନାର ୫୧ଟି ମୋଟର ବୋଟ୍ ଓ କୋଷ୍ଟ ଗାର୍ଡର ୩୦ଟି ବୋଟ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ସ୍ଥଳ ସେନାର ୬ଟି ବୋଟ୍, ବାୟୁ ସେନାର ୨୩ଟି ହେଲିକପ୍ଟର ଓ ୧୧ଟି ଏୟାରକ୍ରାଫ୍ଟକୁ ନିୟୋଜିତ କରାଯାଇଛି ।